ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନ ଫ୍ରେଣ୍ଡସ କ୍ଲବ ପକ୍ଷରୁ ଏକ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କର କ୍ରୀଡା ଓ ଯୁବସେବା ମନ୍ତ୍ରଣାଳୟର ନେହେରୁ ଯୁବକେନ୍ଦ୍ର ସଂଗଠନ ସହଯୋଗରେ ଅନୁଷ୍ଠିତ ଏହି ଦୁଇଦିନିଆ କ୍ରୀଡା ଉତ୍ସବରେ ଗ୍ରାମାଞ୍ଚଳର ବହୁ ଯୁବ କ୍ରୀଡାବିତ୍ ଭାଗ ନେଇଥିଲେ। ଭଲିବଲ, ବ୍ୟାଡମିଣ୍ଟନ, ଦୌଡ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ଦିନରେ ଆଠଗଡ, କନ୍ତୋଲ, ଲକ୍ଷ୍ମୀନାରାୟଣପୁର, ତରଡିଙ୍ଗ, ଗୋଡିଝରିଆ, କଖଡି, କନ୍ଦରପୁର ଓ ସୋଲଗାଡିଆ ଆଦି ୮ଟି ଦଳକୁ ନେଇ ଭଲିବଲ ପ୍ରତିଯୋଗିତା ହୋଇଥିବାବେଳେ ଆଠଗଡକୁ ୨-୧ରେ ହରାଇ ଗୋଡିଝରିଆ ଦଳ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା।
କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ଯୋଗଦେଇ ଏପରି କ୍ରୀଡା ପ୍ରତିଯୋଗିତା ଆୟୋଜନ ଦ୍ୱାରା ଗ୍ରାମାଞ୍ଚଳରେ ଭାଇଚାରା ଓ ଆଞ୍ଚଳିକ ସଦ୍ଭାବ ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଦର୍ଶନ ସାହୁ, ସମିତିସଭ୍ୟ ମାନସ ସାହୁ, ଆଠଗଡ କ୍ରୀଡା ସଂସଦର ଯୁଗ୍ମ ସଂପାଦକ ସୋମନାଥ ଭକ୍ତା ଯୋଗଦେଇ ସାଧାରଣ ଜୀବନ ଯାତ୍ରାରେ କ୍ରୀଡାର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଫ୍ରେଣ୍ଡସ କ୍ଲବର ସଂପାଦକ ଭାଷ୍କର ଚନ୍ଦ୍ର ବେହେରା, ତପନ କୁମାର ସାହୁ, ପ୍ରଦୀପ କୁମାର ସାହୁ, ପ୍ରକାଶ ଦଳାଇ, ସୂର୍ଯ୍ୟକାନ୍ତ ସେଠୀ, ମଧୁ ସାହୁ, ଜିତେନ୍ଦ୍ର ସାହୁ, ଦେବାଶିଷ ମହାପାତ୍ର, ସଂଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଲେ ସାରଦା ପ୍ରସାଦ ଦାସ ଓ ମାନସ କୁମାର ଦାସ ରେଫରି ଭାବେ କ୍ରୀଡା ପରିଚାଳନା କରିଥିଲେ।



