ସହିଦ୍‍ ରାଣାପ୍ରତାପଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଆଠଗଡ: ସଂପ୍ରତି ତାମିଲନାଡୁର କୁନୁର ଅଞ୍ଚଳରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକ୍ୟାପ୍ଟର ଦୁର୍ଘଟଣା ସମୟରେ ସେଥିରେ ଥିବା ଏବଂ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନାର ଓଡିଆ ଯବାନ ସହିଦ୍‍ ରାଣାପ୍ରତାପ ଦାସଙ୍କୁ ଆଠଗଡରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଗତ ବୁଧବାର ଘଟିଥିବା ଏହି ମର୍ମନ୍ତୁଦ ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ ଓ ତାଙ୍କ ସହଧର୍ମିଣୀ ମଧୁଲିକା ରାୱତଙ୍କ ସମେତ ମୋଟ ୧୩ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ତାଳଚେର ନିକଟବର୍ତ୍ତୀ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗ୍ରାମର ବାୟୁସେନାରେ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ରାଣାପ୍ରତାପ ଦାସ ଉକ୍ତ ହେଲିକ୍ୟାପ୍ଟର ଦୁର୍ଘଟଣାରେ ସହିଦ୍‍ ହୋଇଥିଲେ। ଶନିବାର ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ଏକ ସୁସଜ୍ଜିତ ଗାଡିରେ ତାଳଚେର କଣ୍ଢାଳ ଅଞ୍ଚଳକୁ ନେବା ରାସ୍ତାରେ ଆଠଗଡର ବିଭିନ୍ନ ସ୍ଥାନରେ ତାଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ରାଧାଗୋବିନ୍ଦପୁରସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ସୂର୍ଯ୍ୟଭବନଠାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ନାଥ ରାଉତ, ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ଜିଲ୍ଲା ଯୁବ ବିଜେଡି ସଂପାଦକ ପ୍ରଦୀପ୍ତ ଦାସ, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ରାଣାପ୍ରତାପଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ଚାନ୍ଦବାଲିଛକଠାରେ ବିଜେପି ନେତା ରାମନାରାୟଣ ମହାନ୍ତି, ସମାଜସେବୀ କ୍ଷୀରୋଦଚନ୍ଦ୍ର ମିଶ୍ର, ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର କୁମାର ରାୟଙ୍କ ପକ୍ଷରୁ ପ୍ରକାଶ ସେଠୀ, ଜଗଦାନନ୍ଦ ତ୍ରିପାଠୀ, ହେମନ୍ତ ମହାନ୍ତି, ପ୍ରଶାନ୍ତ ଗଣ୍ଠିଆ, ଅରୁଣ ମହାନ୍ତି, ପ୍ରଦୀପ ମହାପାତ୍ର, ଅଶୋକ ମହାନ୍ତି, ସୋମନାଥ ରାଉତଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସହିଦ୍‍ ରାଣାପ୍ରତାପଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଚାନ୍ଦବାଲିଛକଠାରେ ଗୋପବନ୍ଧୁ ବିଜ୍ଞାନ କଲେଜ ଓ ଗୋପବନ୍ଧୁ ମହିଳା କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହିଦ୍‍ ରାଣାପ୍ରତାପ ଅମର ରହେ ସ୍ଲୋଗାନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଳଚର ଯିବ ବାଟରେ ଆଠଗଡ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳର ଲୋକେ ରାସ୍ତାକଡରେ ଠିଆ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହିଦ୍‍ ରାଣାପ୍ରତାପ ଅମର ରହେ ସ୍ଲୋଗାନ ଦେଇଥିବା ଜଣାପଡିଛି।

Comments are closed.