କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ଆଠଗଡ ଦୋଳଯାତ୍ରା

ଆଠଗଡ: ସଂପ୍ରତି ରାଜ୍ୟ ତଥା ଦେଶରେ ୨ୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟସରକାରଙ୍କର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦେଶ ମୁତାବକ ଆଠଗଡରେ ଦୋଳଯାତ୍ରା କୋଭିଡ କଟକଣା ମଧ୍ୟରେ କେବଳ ପରମ୍ପରା ବଜାୟ ରଖିବା ପାଇଁ ନିରାଡମ୍ବର ଭାବେ ପାଳିତ ହୋଇଛି। କୌଣସି ବାଜା, ବାଣ, ରୋଷଣୀ ନଥାଇ କେବଳ ସ୍ୱଳ୍ପ ଆଲୋକ ଏବଂ ଘଣ୍ଟ ବାଜଣା ମଧ୍ୟରେ ସହରର ସମସ୍ତ ଦିଅଁଙ୍କୁ ବିମାନରେ ଭୋଗଲାଗି ପାଇଁ ବିଭିନ୍ନ ସାହିବସ୍ତି ପରିକ୍ରମା କରାଯାଉଛି। ୨୪ତାରିଖ ଫଗୁଦଶମୀ ଠାରୁ ରାଧାଗୋବିନ୍ଦ ଜୀଉ, ଅଟ୍ଟାଳି ଜଗନ୍ନାଥ ଦେବ, ରଘୁନାଥ ଜୀଉ, ଲକ୍ଷ୍ମୀନୃସିଂହ ଦେବ, କାଶୀ ବିଶ୍ୱନାଥ, ସ୍ୱପ୍ନେଶ୍ୱର ଦେବ, ରାଧାଗୋବିନ୍ଦପୁରର ରାଧାଗୋବିନ୍ଦ ଦେବ, ରାସରସିକପୁରସ୍ଥିତ ରାଧାରସିକ ଦେବଙ୍କୁ ସୁସଜ୍ଜିତ ବିମାନରେ ଗୋପାଳ ଭାଇମାନେ ବୁହାଇ ବିଭିନ୍ନ ସାହିବସ୍ତିରେ ଚାଚେରି ଭୋଗ ଲାଗି କରାଇଥିଲେ। ଶନିବାର ଚତୁର୍ଦ୍ଦଶୀରେ ଶ୍ରୀଜୀଉମାନେ ସହର ତଥା ସାହିବସ୍ତି ପରିକ୍ରମା କରି ଚାଚେରି ଭୋଗଲାଗି ପରେ ଗୋପବନ୍ଧୁ ଛକଠାରେ ରାତି ପ୍ରାୟ ୧୦ଟାରେ ରାଜାଗ୍ନି ବା ଅଗ୍ନିଉତ୍ସବ ଅନୁଷ୍ଠିତ ହୋଇଥିଲା। ରବିବାର ଦୋଳପୂର୍ଣ୍ଣିମାରେ ସେହିପରି ୧୦ଟି ସୁସଜ୍ଜିତ ବିମାନ ଦୋଳମଣ୍ଡପ ନିକଟରେ ଏକତ୍ରିତ ହେବା ପରେ ସେଠାରେ ରାଜ ଜ୍ୟୋତିଷ ଲଲାଟେନ୍ଦୁ ସେନାପତି ପାଞ୍ଜି ପାଠ କରିଥିଲେ।

 

prayash

ଆଠଗଡ ଗଡଜାତର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଆସନ୍ତା ଏପ୍ରିଲ ୨ତାରିଖରେ ପଡୁଥିବାବେଳେ ୩ତାରିଖରେ ଏଠାରେ ହୋଲି ଉତ୍ସବ ପାଳନ ହୋଇଥାଏ। ପଞ୍ଚୁଦୋଳରେ ଆଠଗଡ ସହର ତଥା ବିଭିନ୍ନ ଗ୍ରାମାଞ୍ଚଳରୁ ପ୍ରାୟ ୫୦ରୁ ଉର୍ଦ୍ଧ ବିମାନରୁଢ ଦିଅଁ ଆସିଥାନ୍ତି। ତେବେ ଚଳିତବର୍ଷ କୋଭିଡ କଟକଣା ଲାଗି ଦୋଳ ମେଳଣ ବନ୍ଦ କରାଯାଇଥିବାବେଳେ କେବଳ ପରମ୍ପରା ରକ୍ଷା ପାଇଁ ଧବଳେଶ୍ୱର ଦେବ, ସର୍ପେଶ୍ୱର ଦେବଙ୍କ ସମେତ ଆଠଗଡ ସହରର ଦିଅଁ ମାନଙ୍କୁ ମିଶାଇ ମୋଟ ୧୦ଟି ବିମାନ ଯୋଗଦେବା ଲାଗି ସ୍ଥିର ହୋଇଛି। ସେହପିର ସାର୍ବଜନୀନ ହୋଲି ଉତ୍ସବକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲିଥିବା ଏହି ନିରାଡମ୍ବର ଦୋଳଯାତ୍ରା ପରିଚାଳନାରେ ଗଠିତ କମିଟିର ସଭ୍ୟ ଓ ଦେବୋତ୍ତର ବିଭାଗ ସହାୟକ ଭବାନୀ ଶଙ୍କର ପଣ୍ଡା ପରିଚାଳନା କରୁଛନ୍ତି।

Comments are closed.