ପରିତ୍ୟକ୍ତ କୂଅରୁ ଦନ୍ତାର ମୃତଦେହ ଠାବ

ଆଠଗଡ: ଆଠଗଡ ବନଖଣ୍ଡରେ ହାତୀ ମୃତ୍ୟୁ ଭଳି ଘଟଣା ଥମିବାର ନାଁ ଧରୁନି । ଦୁଇଦିନ ପୂର୍ବରୁ ଆଠଗଡ ବନାଞ୍ଚଳ ଅନ୍ତର୍ଗତ କୁଲାଇଲୋ ନିକଟରେ ବିଦ୍ୟୁତ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି ଏକ ମାଈ ହାତୀର ଗଳିତ ମୃତଦେହ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଛି। ଏହି ଘଟଣାଟି ମଧ୍ୟ ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ବିଟ୍ ଅଞ୍ଚଳରେ ଘଟିଛି । କୂଅରେ ପାଣି ଭର୍ତ୍ତି ଥିବାରୁ ହାତୀଟି ସେଥିରେ ବୁଡିରହିଥିଲା। ଏବେ ପାଣି ଶୁଖି କମିଯିବା ପରେ ସେ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା । ସ୍ଥାନୀୟ କିଛି ଲୋକ ଗନ୍ଧ ବାରି ଉକ୍ତ କୂଅ ନିକଟକୁ ଯିବା ପରେ ସେଥିରେ ହାତୀର ଗଳିତ ମୃତଦେହ ଭାସୁଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଆଠଗଡ ଡିଏଫଓ ଙ୍କ ସମେତ ସଦର ରେଞ୍ଜର ରବିନ୍ଦ୍ର କୁମାର ନାୟକ, ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ କରିଥିଲେ। ଏକ ଜେସିବି ସାହାଯ୍ୟରେ ହାତୀର ଗଳିତ ମୃତଦେହକୁ କୂଅ ମଧ୍ୟରୁ ବାହାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।  ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ଅଧିକାରୀ  କହିଛନ୍ତି ।

Comments are closed.