www.samajalive.in
Saturday, December 6, 2025
14.1 C
Bhubaneswar

ଦିବ୍ୟାଙ୍ଗ ହୋଇ ବି ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ସର୍ବେଶ୍ୱର

କାମାକ୍ଷାନଗର: ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ସର୍ବେଶ୍ୱର। ମେକାନିକ୍ ସାଜି ନିଜ ଗୋଡ଼ରେ ଛିଡା ହୋଇ ସମାଜ ପାଇଁ ସାଜିଛନ୍ତି ପ୍ରେରଣା। କିଏ କେମିତି, କେଉଁଠି ଆଉ କେଉଁଭଳି ଭାବରେ ଜନ୍ମ ନେବ ସେକଥା ଭଗବାନ ନିର୍ଣ୍ଣୟ କରିଥାନ୍ତି। କିନ୍ତୁ ସଂସାରକୁ ଆସିବା ପରେ ଜୀବନ ଜୀଇବାକୁ କର୍ମ ଆମେ ନିଜେ କରିଥାଉ। ଆଉ ସଂସାରରେ ନିଜ କର୍ମ ହିଁ ଜଣକ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଠିକ୍ ସେମିତି ଜନ୍ମରୁ ଦିବ୍ୟାଙ୍ଗ ହୋଇ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ନିଜର କର୍ମ ପାଇଁ ସର୍ବେଶ୍ୱର ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ। ଦିବ୍ୟାଙ୍ଗ ହୋଇ ମଧ୍ୟ କାହା ଉପରେ ନିର୍ଭର ନକରି ନିଜେ ସ୍ୱାବଲମ୍ବୀ ହୋଇ ସମାଜର ଅନେକ ଦିବ୍ୟାଙ୍ଗଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରା କାଟେଣୀ ଗାଁର ସର୍ବେଶ୍ୱର ପରିଡ଼ା। ଜନ୍ମରୁ ସେ ଦିବ୍ୟାଙ୍ଗ। ଦାରିଦ୍ର୍ୟତା ଆଉ ଅଭାବ ଅନଟନର ପାହାଡ଼ ଉପରେ ଛିଡା ହୋଇ ମଧ୍ୟ ଆଜି ସେ ନିଜ ପାଇଁ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା। ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଦୃଢ ଇଛାଶକ୍ତି ପାଇଁ ଆଜିର ସମୟରେ ସେ ନିଜ ଗୋଡ଼ରେ ନିଜେ ଛିଡା ହୋଇ ପାରିଛନ୍ତି, ଯେଉଁଥିପାଇଁ ନିଜ ଗ୍ରାମ ଓ ଆଖପାଖରେ ସର୍ବେଶ୍ୱର ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ପରିଚୟ। ଗରିବ ପରିବାରରେ ଦିବ୍ୟାଙ୍ଗ ହୋଇ ଜନ୍ମ, ଆଉ ସେଥିରେ ଚାରି ଭାଇ, ଭଉଣୀଙ୍କ ମଧ୍ୟରେ ସାନ ହେଉଛନ୍ତି ସର୍ବେଶ୍ୱର। ଜୀବନରେ ଆଗକୁ ବଢିବାର ଅଦମ୍ୟ ସାହସ ଓ ଦୃଢ ମାନସିକତା ଯୋଗୁଁଁ ସେ ହୋଇ ପାରିଛନ୍ତି ଜଣେ ସଫଳ ମେକାନିକ୍। କାହା ଉପରେ ନିର୍ଭର ନକରି ନିଜ ଖର୍ଚ୍ଚ ନିଜେ ଉଠାଇବା ସହ ବାପାଙ୍କ ମୃତ୍ୟୁ ପରେ ମାଆଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି ଦିବ୍ୟାଙ୍ଗ ସର୍ବେଶ୍ୱର। ଜନ୍ମରୁ ଦିବ୍ୟାଙ୍ଗ ହୋଇ ଗରିବ ପରିବାରରେ ଜନ୍ମ ନେବା ସତେ ଯେମିତି ସର୍ବେଶ୍ୱରଙ୍କ ପାଇଁ ଅଭିଶାପ ନହୋଇ ପାଲଟିଛି ଆଶୀର୍ବାଦ। ଛୋଟ ଦିନରୁ ଅଧିକ ପାଠ ପଢ଼ିବାର ଆଗ୍ରହ ଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁଁ ଅଳ୍ପ ପାଠରେ ଡୋରି ବାନ୍ଧିଲେ ସର୍ବେଶ୍ୱର। କିନ୍ତୁ ନିଜ ଭିତରେ କିଛି ନୂଆ କରିବାର ଇଛା ଆଉ ଜିଦ୍ ତାଙ୍କୁ ଦେଖାଇଲା ଆଶାର ଆଲୋକ।

- Advertisement -

କାମାକ୍ଷାନଗର ସହରର ଜିରିଡାମାଳିଠାରେ ଦିବ୍ୟାଙ୍ଗମାନଙ୍କ ପାଇଁ ଇଲେକ୍ଟ୍ରିକାଲ ତାଲିମ ନେଇ ଜଣେ ଭଲ ମେକାନିକ ହେବାର ସ୍ବପ୍ନ ଦେଖିଥିଲେ ସର୍ବେଶ୍ୱର। ତାଲିମ ସରିବା ପରେ ନିଜ ଅସହାୟତାକୁ କବର ଦେଇ ସମାଜକୁ ଦିଗଦର୍ଶନ ଦେଇ ନିଜ ଗ୍ରାମ ଜୟପୁରା କାଟେଣୀରେ ଖୋଲିଲେ ଇଲେକ୍ଟ୍ରିକାଲ ମରାମତି ଦୋକାନ। ଆଉ ଏହି ଦୋକାନ ହିଁ ବଦଲାଇ ଦେଲା ସର୍ବେଶ୍ୱରଙ୍କ କାହାଣୀ। ସମାଜରେ ଦିବ୍ୟାଙ୍ଗ ନାମକ ଶବ୍ଦର ପରିଭାଷା ବଦଳାଇ ଦିବ୍ୟାଙ୍ଗ ସର୍ବେଶ୍ୱର ପାଲଟିଗଲେ ମେକାନିକ ସର୍ବେଶ୍ୱର। ରେଡ଼ିଓ, ଟର୍ଚ୍ଚ, ବିଭିନ୍ନ ପ୍ରକାରର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି କରି ସମାଜ ସାମ୍ନାରେ ନିଜ ପରିଚୟ ନିଜେ ସୃଷ୍ଟି କରିଛନ୍ତି ସର୍ବେଶ୍ୱର। ଆଉ ଏହି ମେକାନିକର ପରିଚୟ ସର୍ବେଶ୍ୱରଙ୍କ ପାଇଁ ହୋଇଗଲା ବଞ୍ଚିବାର ମାଧ୍ୟମ। ଗ୍ରାମ ତଥା ଆଖପାଖରେ ଥିବା ଗ୍ରାମଗୁଡିକରେ ଜଣେ ଭଲ ମେକାନିକ ଭାବେ ବେଶ୍ ସୁନାମ ଅର୍ଜନ କରିବା ସହ ନିଜ ଗୁଜୁରାଣ ମେଣ୍ଟାଇବାରେ ସେ ସକ୍ଷମ ହୋଇଛନ୍ତି। ଆଗକୁ ଏକ ଭଲ ଓ ବଡ଼ ଦୋକାନ କରିବାର ଇଛା ଥିଲେ ମଧ୍ୟ ସର୍ବେଶ୍ୱରଙ୍କ ପାଇଁ ବାଧକ ସାଜିଛି ଅର୍ଥ। ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଦିବ୍ୟାଙ୍ଗ ଭତ୍ତା ଓ ସରକାରଙ୍କ ରାସନରେ ସୀମିତ ସର୍ବେଶ୍ୱର। ସମାଜରେ ପ୍ରେରଣା ସାଜିଥିବା ସର୍ବେଶ୍ୱରଙ୍କୁ ଲୋଡ଼ା ହୋଇ ପଡ଼ିଛି ସରକାରୀ ସହାୟତା। ଦିବ୍ୟାଙ୍ଗ ହୋଇ ମଧ୍ୟ ସାଧାରଣ ଲୋକଙ୍କ ଭଳି ନିଜ ରୋଜଗାର ନିଜେ କରି ସମାଜକୁ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସର୍ବେଶ୍ୱର। ତେବେ ସରକାରଙ୍କ ତରଫରୁ କିଛି ସାହାଯ୍ୟ ଓ ସହଯୋଗ ମିଳି ପାରିଲେ ସର୍ବେଶ୍ୱରଙ୍କ ଜୀବନରେ ହୋଇ ପାରନ୍ତା ନୂତନ ସୂର୍ୟୋଦୟ। ପିଲାଟି ଦିନରୁ ଦୁଃଖ ଓ ଦୁର୍ଦଶାରେ କାଳାତିପାତ କରୁଥିବା ସର୍ବେଶ୍ୱରଙ୍କ ପାଇଁ ଆବଶ୍ୟକ ସହଯୋଗ। ଆଗାମୀ ସମୟରେ ସରକାରଙ୍କ ତରଫରୁ ସହଯୋଗର ହାତ ମିଳିଗଲେ ଦିବ୍ୟାଙ୍ଗ ସର୍ବେଶ୍ୱର ଯେ କେତେ ସକ୍ଷମ ତାହାର ପରାକାଷ୍ଠା ଦେଖନ୍ତା ସାରା ଜଗତ ବୋଲି କହିଛନ୍ତି ଅଞ୍ଚଳବାସୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories