ତରଡିଙ୍ଗକୁ ଆଦର୍ଶ ପଞ୍ଚାୟତ ଭାବେ ଗ୍ରହଣ କଲା ଟାଟା ପାୱାର
ଆଠଗଡ: ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ଯୋଗାଇବା ଲକ୍ଷ୍ୟ ନେଇ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱରେ ଥିବା ଟାଟା ପାୱାର କମ୍ପାନୀ ଆଠଗଡ ବ୍ଲକର ତରଡିଙ୍ଗ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗ୍ରହଣ କରିଛି । ଗତ ଶୁକ୍ରବାର ଟାଟା ପାୱାର କମ୍ପାନୀ ପକ୍ଷରୁ ଏଥିପାଇଁ ତରଡିଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକରେ ଏହି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗ୍ରହଣ କରିବା ନେଇ ଘୋଷଣା କରିବା ସହ ବିଦ୍ୟୁତ୍ ବଣ୍ଟନର ସୁବ୍ୟବସ୍ଥା ପାଇଁ ନେବାକୁ ଥିବା ପଦକ୍ଷେପ ସଂପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା ।
ସରପଞ୍ଚ ସିଦ୍ଧାନ୍ତ ଦଳାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ କଟକ ବିଦ୍ୟୁତ୍ ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ଦେବାଶିଷ ପଟ୍ଟନାୟକ, ଆଠଗଡ ବିଦ୍ୟୁତ୍ ଖଣ୍ଡର ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, କଟକର ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ ମିଶ୍ର, ଆଠଗଡ ବିଦ୍ୟୁତ୍ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ତରଡିଙ୍ଗ ଗ୍ରାମରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସୁଧାର ପାଇଁ ନେବାକୁ ଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିବା ସହ ପଞ୍ଚାୟତବାସୀଙ୍କ ସହଯୋଗ କାମନା କରିଥିଲେ ।
ଏହି ପଞ୍ଚାୟତରେ ବେଆଇନ ବିଦ୍ୟୁତ୍ ସଂଯୋଗ ନେଇଥିବା ଲୋକଙ୍କୁ ନିୟମିତ ବିଦ୍ୟୁତ୍ ଗ୍ରାହକ କରାଯିବା, ମିଟର ରିଡିଂ ସଠିକ୍ ସମୟରେ କରିବା, ମିଟର ନଥିରେ ଗ୍ରାହକଙ୍କ ଘରେ ନୂତନ ମିଟର ଲଗାଇବା, ବିଦ୍ୟୁତ୍ ଦେୟ ଡିଜିଟାଲ ମାଧ୍ୟମରେ ପୈଠ ଲାଗି ଲୋକଙ୍କୁ ସଚେତନ କରିବା, ଯୁଦ୍ଧକାଳିନ ଭିତ୍ତିରେ ୧୧କେଭି ଓ ଏଲଟି ଲାଇନର ବିଦ୍ୟୁତ୍ ଖୁଣ୍ଟକୁ ମରାମତି କରିବା ସହିତ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଏବଂ ଏହି ପଞ୍ଚାୟତ ଅନ୍ତର୍ଗତ ତରଡିଙ୍ଗ, ଗଜାମ୍ବ, ତେନ୍ତୁଳିଆ, ବାଇଲୋ ଓ ଗୌରାଙ୍ଗପୁର ଗ୍ରାମରେ ଥିବା ବିଦ୍ୟୁତ୍ ସବ୍ଷ୍ଟେସନ ଗୁଡିକୁ ସୁରକ୍ଷା ପାଇଁ ଚତୁଃପାଶ୍ୱର୍ରେ ପାଚେରୀ ନିର୍ମାଣ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ଅଧିକାରୀମାନେ ପ୍ରକାଶ କରିଥିଲେ । ପର୍ଯ୍ୟାୟକ୍ରମେ ଏହି ସେବା ଅନ୍ୟ ପଞ୍ଚାୟତ ଗୁଡିକରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରାଯିବ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାମନ୍ତରାୟ ପ୍ରକାଶ କରିଥିଲେ ।
Comments are closed.