ପାରିବାରିକ ସମସ୍ୟାକୁ ପଛରେ ପକାଇ ଏସୀୟ କ୍ରୀଡ଼ାରେ ପଦକ ଜିତିଲେ ପିଙ୍କି

0

ଜାକର୍ତ୍ତା : ଚଳିତ ଏସୀୟ କ୍ରୀଡ଼ାର କୁରସ୍‍ ବିଭାଗରେ ଭାରତ ପାଇଁ ୫୨ କେଜି ବିଭାଗରେ ରୌପ୍ୟ ପଦକ ଜିତିଥିଲେ ଦିଲ୍ଲୀର ୧୯ ବର୍ଷୀୟା ପିଙ୍କି ବଲହାରା। ତେବେ ଏସୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ପିଙ୍କି ବହୁ ପାରିବାରିକ ସମସ୍ୟା ଦେଇ ଗତି କରିଥିବା ଖୁବ୍‍ କମ୍‍ ଲୋକ ଜାଣିଥିବେ। ଏସୀୟ କ୍ରୀଡ଼ା ଆରମ୍ଭ ହେବାର ୩ ମାସ ପୂର୍ବରୁ ପିଙ୍କି ନିଜ ପରିବାରର ୩ ଜଣ ସଦସ୍ୟଙ୍କୁ ହରାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ତାଙ୍କ ବାପା। ତେବେ ଦୁଃଖରେ ଭାଙ୍ଗି ପଡ଼ିବା ଅପେକ୍ଷା ନିଜକୁ ଦୃଢ଼ କରି ପିଙ୍କି ଅଭ୍ୟାସ ଜାରି ରଖିଲେ ଏବଂ ଏସୀୟ କ୍ରୀଡ଼ାରେ ଦେଶକୁ ରୌପ୍ୟ ପଦକ ପ୍ରଦାନ କରିଥିଲେ।
ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପିଙ୍କି କହିଥିଲେ ଏସୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ସେ ବହୁ ସମସ୍ୟା ଦେଇ ଗତି କରିଥିଲେ। ପ୍ରଥମେ ତାଙ୍କର ସଂପର୍କୀୟ ଭାଇ ପ୍ରାଣ ହରାଇଲେ। ଏହାପରେ ତାଙ୍କ ବାପା ଓ ଜେଜେ ମା’ଙ୍କ ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିରେ ସେ ଅଭ୍ୟାସ ଜାରି ରଖିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ନିଜକୁ ଦୃଢ଼ କରି ସେ ଅଭ୍ୟାସ ଜାରି ରଖିଲେ ଏବଂ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବାରୁ ବେଶ୍‍ ଖୁସି ଅଛନ୍ତି।
ପିଙ୍କି ଜୁଡୋରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ କୁରସରେ କ୍ୟାରିୟର ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ। ଜୁଡୋ ଓ କୁରସ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବାରୁ ଏପରି ନିଷ୍ପତ୍ତି ନେଇଥିବା ପିଙ୍କି କହିଛନ୍ତି। ଏସୀୟ କ୍ରୀଡ଼ା ପାଇଁ କୁରସ ଦଳ ମନୋନୟନ ହେବାର କିଛିଦିନ ପୂର୍ବରୁ ତାଙ୍କ ବାପାଙ୍କ ପରଲୋକ ହୋଇଯାଇଥିଲା। ଏହାକୁ ନେଇ ପ୍ରଥମେ ସେ ବହୁତ ଭାଙ୍ଗି ପଡ଼ିଥିଲେ ଏବଂ ଦଳ ମନୋନୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ କି ନାହିଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ନେଇ ପାରୁନଥିଲେ। ଏହି ସମୟରେ ଜଣେ ସଂପର୍କୀୟ ଦାଦା ତାଙ୍କ ମନୋବଳ ବଢ଼ାଇଥିଲେ। ପିଙ୍କି କୁରସରେ ନିଜ କ୍ୟାରିୟର ଗଢ଼ି ଅଧିକରୁ ଅଧିକ ସଫଳତା ପାଆନ୍ତୁ ବୋଲି ତାଙ୍କ ବାପା ଆଶା ରଖିଥିଲେ। ତେଣୁ ସେ ହତୋତ୍ସାହିତ ନ ହୋଇ ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ସଂପର୍କୀୟ ଦାଦା ପିଙ୍କିଙ୍କୁ କହିଥିଲେ। ଏହାପରେ ପିଙ୍କି ମନୋବଳ ଦୃଢ଼ କରି ଖେଳାଳି ମନୋନୟନ ଶିବିରରେ ଯୋଗ ଦେଇ ଏସୀୟ କ୍ରୀଡ଼ା ନିମନ୍ତେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ପରେ ସେ ଦେଶ ପାଇଁ ରୌପ୍ୟ ପଦକ ଜିତି ନିଜ ପ୍ରତିଭାର ପରିଚୟ ଦେଇଥିଲେ। ଭବିଷ୍ୟତରେ ଦେଶ ପାଇଁ ଅଧିକରୁ ଅଧିକ ପଦକ ଜିତିବାକୁ ସେ ଆଶାବାଦୀ ଥିବା ପିଙ୍କି କହିଛନ୍ତି।

Leave A Reply