ରୋମାଞ୍ଚକର ମ୍ୟାଚ୍ରେ ଭାରତ ପରାସ୍ତ
ଦୁବାଇ : ଏସିଆ କପ୍ ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟରେ ଭାରତକୁ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ପରାସ୍ତ କରିଛି । ରବିବାର ଏକ ରୋମାଞ୍ଚକର ମୁକାବିଲାରେ ପାକିସ୍ତାନ ୫ ୱିକେଟରେ ବିଜୟୀ ହୋଇଛି। ଏହାସହ ଲିଗ୍ ପର୍ଯ୍ୟାୟରେ ଭାରତଠାରୁ ପରାଜୟର ପ୍ରତିଶୋଧ ପାକିସ୍ତାନ ନେଇପାରିଛି। ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହ କିଛି ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୭ ୱିକେଟରେ ୧୮୧ ରନ୍ କରିଥିଲା। ପରେ ମହମ୍ମଦ ରିଜ୍ୱାନ ଓ ମହମ୍ମଦ ନୱାଜ୍ଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ଗୋଟିଏ ବଲ୍ ବାକିଥାଇ ୫ ୱିକେଟ ହରାଇ ପାକିସ୍ତାନ ଜିତିଥିଲା। ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ୨ୟ ସୁପର-୪ ମ୍ୟାଚ୍ ଖେଳିବ।
୧୮୨ ରନ୍ ଲକ୍ଷ୍ୟରେ ପାକିସ୍ତାନ ଆରମ୍ଭରୁ ଅଧିନାୟକ ବାବର ଆଜମ୍ଙ୍କ ୱିକେଟ ହରାଇଥିଲା । କ୍ରମାଗତ ୩ୟ ମ୍ୟାଚ୍ରେ ବିଫଳ ହୋଇ ବିଶ୍ବର ୧ନଂ ଟ୍ବେଣ୍ଟି-୨୦ ବ୍ୟାଟ୍ସମ୍ୟାନ ବାବର ୧୪ ରନ୍ କରିଥିଲେ। ପରେ ପାକିସ୍ତାନୀ ରନ୍ ମେସିନ୍ ମହମ୍ମଦ ରିଜ୍ୱାନ ଆକ୍ରମଣ ଆରମ୍ଭ କରିଥିବା ବେଳେ ଅଭିଜ୍ଞ ଫଖର ଜମାନ୍ ମଧ୍ୟ ସେଟ୍ ହୋଇ ଯାଇଥିଲେ। ବାଉଣ୍ଡରୀରେ କ୍ୟାଚ୍ ଦେବା ପୂର୍ବରୁ ବାମହାତି ଫଖର ୧୮ ବଲ୍ରୁ ୧୫ ରନ୍ କରିଥିଲେ। ପିଞ୍ଚ୍ ହିଟର ଭାବେ ଆସିଥିବା ମହମ୍ମଦ ନୱାଜ୍ ବିସ୍ଫୋରକ ବ୍ୟାଟିଂ କରିବାରୁ ପାକିସ୍ତାନ ଆବଶ୍ୟକ ରନ୍ ହାରଠାରୁ ଅଧିକ ଗତିରେ ସ୍କୋର୍ କରିଥିଲା। ରିଜ୍ୱାନ ଓ ନୱାଜ ୪୧ ବଲ୍ରୁ ୭୩ ରନ୍ ଯୋଡ଼ିଥିଲେ। ନୱାଜ୍ ମାତ୍ର ୨୦ ବଲ୍ରୁ ୨ଟି ଛକା ଓ ୬ଟି ଚୌକା ସହ ୪୨ ରନ୍କରି ଆଉଟ୍ ହୋଇଥିଲେ। ଶେଷ ୪ ଓଭରରୁ ପାକିସ୍ତାନ ୪୩ ରନ୍ ଆବଶ୍ୟକ କରୁଥିଲା। ୧୭ଶ ଓଭରରେ ରିଜ୍ୱାନ ଆଉଟ୍ ହେବା ପାକିସ୍ତାନ ପାଇଁ ଶକ୍ତ ଧକ୍କା ଥିଲା। ରିଜ୍ୱାନ ୫୧ ବଲ୍ରୁ ୨ଟି ଛକା ଓ ୬ଟି ଚୌକା ସହ ୭୧ ରନ୍ କରିଥିଲେ। ଶେଷ ୨ ଓଭରରେ ୨୬ ରନ୍ ଆବଶ୍ୟକ ଥିବା ବେଳେ ୧୯ ଓଭରରୁ ଭୁବନେଶ୍ବର ୧୯ ରନ୍ ଦେବା ନିର୍ଣ୍ଣାୟକ ହୋଇଥିଲା। ୩ ବଲ୍ରୁ ୨ ରନ୍ ଆବଶ୍ୟକ ଥିବା ବେଳେ ଆସିଫ୍ ଅଲୀ ଆଉଟ୍ ହୋଇଥିଲେ। ଆସିଫ୍ ୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ୫ମ ବଲ୍ରେ ୨ ରନ୍ ନେଇ ଇଫ୍ତିକାର ଅହମ୍ମଦ ଦଳକୁ ଜିତାଇଥିଲେ। ଖୁସ୍ଦିଲ ଶାହା ୧୧ ବଲ୍ରୁ ୧୪ ରନ୍କରି ଅପରାଜିତ ଥିଲେ। ୫ ଭାରତୀୟ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ ନେବା ପରେ ଦୁଇ ଭାରତୀୟ ଓପ୍ନର ଅଧିନାୟକ ରୋହିତ ଶର୍ମା ଓ କେ.ଏଲ୍. ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂକରି ପାକିସ୍ତାନକୁ ଚକିତକରିଥିଲେ। ୫ ଓଭରରେ ଓପ୍ନିଂ ଯୋଡ଼ି ୫୪ ରନ୍ କରିଥିଲେ। ଲିଗ୍ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥିବା ନସିମ୍ ଶାହାଙ୍କୁ ରାହୁଲ ଓ ରୋହିତ ଆକ୍ରମଣ କରିବାରୁ ନସିମ୍ ତାଙ୍କ ପ୍ରଥମ ୨ ଓଭରରୁ ୨୫ ରନ୍ ଦେଇଥିଲେ। ରୋହିତ ବିସ୍ଫୋରକ ପ୍ରାରମ୍ଭକରି ୧୬ ବଲ୍ରୁ ୨ଟି ଛକା ଓ ୩ଟି ଚୌକା ସହ ୨୮ ରନ୍କରି ବିଦାୟ ନେଇଥିଲେ। ରାହୁଲ ୨୦ ବଲ୍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୮ ରନ୍ କରିଥିଲେ। ପରେ ବିରାଟ କୋହଲି ଫର୍ମକୁ ଫେରିବା ସହ ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଚଳିତବର୍ଷ ଭାରତର ସଫଳତମ ଟ୍ବେଣ୍ଟି୨୦ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ୨ଟି ଚୌକା ସହ ୧୩ ରନ୍ କରିଥିଲେ। ଭାରତୀୟ ଏକାଦଶକୁ ଫେରିଥିବା ଋଷଭ ପନ୍ତ୍ଙ୍କ ସହ କୋହଲି ଦ୍ରୁତ ୩୫ ରନ୍ ଯୋଡ଼ିଥିଲେ। ପନ୍ତ୍ ୨ଟି ଚୌକା ସହ ୧୪ ରନ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଖାତା ଖୋଲି ପାରିନଥିଲେ। ୯ ଓଭରରେ ଭାରତ ୮୮ ରନ୍ କରିଥିବା ବେଳେ ନିୟମିତ ୱିକେଟ ହରାଇବାରୁ ଏହା ଶେଷ ୧୧ ଓଭରରୁ ଶହେ ରନ୍ ମଧ୍ୟ କରି ପାରିନଥିଲା। ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ଖେଳିଥିବା ଦୀପକ ହୁଡା ୨ଟି ଚୌକା ସହ ୧୬ ରନ୍ କରିଥିଲେ। ପାକିସ୍ତାନର ଦୁଇ ସ୍ପିନର ସଦ୍ଦାବ ଖାଁ ଓ ମହମ୍ମଦ ନୱାଜ୍ ଭଲ ବୋଲିଂକରି ମିଳିତ ଭାବେ ୮ ଓଭରରୁ ୫୬ ରନ୍ ଦେଇ ୩ଟି ୱିକେଟ ନେଇଥିଲେ।
Comments are closed.