ସୁପର-୪ : ଆଫ୍ଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା
ଏସିଆ କପ୍ ଟ୍ବେଣ୍ଟି-୨୦
ଶାରଜା : ଶନିବାରଠାରୁ ଚଳିତ ଏସିଆ କପ୍ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି ୫ ଥର ଚମ୍ପିଆନ୍ ହୋଇଥିବା ଶ୍ରୀଲଙ୍କା। ସାମୂହିକ ବ୍ୟାଟିଂ ସଫଳତା ବଳରେ ଆଫ୍ଗାନିସ୍ତାନକୁ ୪ ୱିକେଟ୍ରେ ଶ୍ରୀଲଙ୍କା ପରାସ୍ତ କରିଛି। ରହ୍ମାନୁଲ୍ଲା ଗୁର୍ବାଜଙ୍କ ବିସ୍ଫୋରକ ୮୪ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଆଫ୍ଗାନିସ୍ତାନ ୬ ୱିକେଟରେ ୧୭୫ ରନ୍ କରିଥିଲା। ପରେ କୁଶଳ ମେଣ୍ଡିସ୍, ଦନୁଷ୍କା ଗୁଣତିଳକ ଓ ଭାନୁକା ରାଜପକ୍ଷଙ୍କ ଉପଯୋଗୀ ଇନିଂସ ବଳରେ ୫ଟି ବଲ୍ ବାକିଥାଇ ୬ ୱିକେଟ ହରାଇ ଶ୍ରୀଲଙ୍କା ଜିତିଥିଲା। ଏହି ମ୍ୟାଚ୍ ଜିତି ଲିଗ୍ରେ ଆଫ୍ଗାନିସ୍ତାନଠାରୁ ପରାଜୟର ପ୍ରତିଶୋଧ ନେଇପାରିଛି ଶ୍ରୀଲଙ୍କା। ଟୁର୍ଣ୍ଣାମେଣ୍ଟରେ ଏହା ଆଫ୍ଗାନିସ୍ତାନ ଦଳର ପ୍ରଥମ ପରାଜୟ।
୧୭୬ ରନ୍ ଲକ୍ଷ୍ୟରେ ଶ୍ରୀଲଙ୍କାର ଦୁଇ ଓପ୍ନର ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ୬ ଓଭରର ପାୱରପ୍ଲେରେ ୫୮ ରନ୍ ଯୋଡ଼ିଥିଲେ। ଗତ ମ୍ୟାଚ୍ର ହିରୋ କୁଶଳ ମେଣ୍ଡିସ୍ ବିସ୍ଫୋରକ ଇନିଂସ ଖେଳି ୧୯ ବଲ୍ରୁ ୩ଟି ଛକା ଓ ୨ଟି ଚୌକା ସହ ୩୬ ରନ୍କରି ଆଉଟ୍ ହୋଇଥିଲେ। ୨ ଓଭର ପରେ ଅନ୍ୟ ଓପ୍ନର ପାଥୁମ୍ ନିଶଙ୍କା ୨୮ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୫ ରନ୍କରି ବିଦାୟ ନେଇଥିଲେ। ଚରିତ ଆସାଲାଙ୍କା ୮ ରନ୍ କରିଥିଲେ। ପରେ ଦନୁଷ୍କା ଗୁଣତିଳକ ଆକ୍ରମଣ ଜାରି ରଖିଥିଲେ। ବାଉଣ୍ଡରୀ ଲାଇନ୍ରେ ନଜିବୁଲ୍ଲା ଜାଦ୍ରାନ୍ଙ୍କ ଦର୍ଶନୀୟ କ୍ୟାଚ୍ରେ ଅଧିନାୟକ ଦାସୁନ ଶନକ ୧୦ ରନ୍କରି ଆଉଟ୍ ହୋଇଥିଲେ। ଭାନୁକା ରାଜପକ୍ଷ ପାଭିଲିଅନ୍ରୁ ସେଟ୍ ହୋଇ ଆସିବା ପରି ଲାଗିଥିଲା। ରାଜପକ୍ଷ ଆସିବା ମାତ୍ରେ ବାଉଣ୍ଡରୀ ବର୍ଷା କରିଥିଲେ। ୫ ଓଭରରୁ ୪୯ ରନ୍ ଆବଶ୍ୟକ ଥିବା ବେଳେ ୧୬ଶ ଓଭରରୁ ୧୮ ରନ୍ ହୋଇଥିଲା। ୨୧ ବଲ୍ରୁ ୨୫ ରନ୍ ଆବଶ୍ୟକ ଥିବା ବେଳେ ଦନୁଷ୍କା ଗୁଣତିଳକ ଆଉଟ୍ ହୋଇଥିଲେ। ଗୁଣତିଳକ ୨୦ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍ କରିଥିଲେ। ରାଜପକ୍ଷ ୧୪ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୧ ରନ୍ କରିଥିଲେ। ୱାନିନ୍ଦୁ ହସରଙ୍ଗା ୯ ବଲ୍ରୁ ୧୬ ଓ ଚମିକା କରୁଣାରତ୍ନେ ୨ ବଲ୍ରୁ ୫ ରନ୍କରି ଅପରାଜିତ ରହିଥିଲେ। ମୁଜିବୁର୍ ରେହ୍ମାନ ଓ ନବିନ ଉଲ୍ ହକ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରହ୍ମାନୁଲ୍ଲା ଗୁର୍ବାଜ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନେବା ପରେ ଆକ୍ରମଣାତ୍ମକ ଢଙ୍ଗରେ ଆଫ୍ଗାନିସ୍ତାନ ଓପ୍ନର ଇନିଂସ ଆରମ୍ଭ କରିଥିଲେ। ୫ମ ଓଭରରେ ୪୬ ରନ୍ ସ୍କୋର୍ରେ ହଜ୍ରତୁଲ୍ଲା ଜାଜାଇ ୧୩ ରନ୍କରି ଆଉଟ୍ ହୋଇଥିଲେ। ୨ୟ ୱିକେଟ ଆଫ୍ଗାନିସ୍ତାନ ପାଇଁ ସବୁଠାରୁ ଫଳପ୍ରସୂ ହୋଇଥିଲା। ରହ୍ମାନୁଲ୍ଲା ଗୁର୍ବାଜ ଓ ଇବ୍ରାହିମ୍ ଜାଦ୍ରାନ୍ ଆକ୍ରମଣ କରି ବଡ଼ ସ୍କୋର୍ର ମୂଳଦୁଆ ପକାଇଥିଲେ। ଦୁହେଁ ୬୪ ବଲ୍ରୁ ୯୩ ରନ୍ର ଭାଗିଦାରୀ କରିଥିଲେ। ୨୨ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ରହ୍ମାନୁଲ୍ଲା ଗୁର୍ବାଜ ୩୫ ବଲ୍ରୁ ୬ଟି ଛକା ଓ ୪ଟି ଚୌକା ସହ ୮୪ ରନ୍କରି ଆଉଟ୍ ହୋଇଥିଲେ। ଇବ୍ରାହିମ୍ ଜାଦ୍ରାନ୍ ୩୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୪୦ ରନ୍ କରିଥିଲେ। ଅଧିନାୟକ ମହମ୍ମଦ ନବି ଓ ରସିଦ୍ ଖାଁ ବିଫଳ ହୋଇଥିଲେ। ଇନିଂସ୍ର ଶେଷଆଡ଼କୁ ଆଫ୍ଗାନିସ୍ତାନ ନିୟମିତ ୱିକେଟ ହରାଇବା ଯୋଗୁଁ ବଡ଼ ସ୍କୋର୍ କରି ପାରିନଥିଲା। ଦିଲ୍ସାନ ମଦୁଶଙ୍କା ୨ଟି ୱିକେଟ ପାଇଥିଲେ।
Comments are closed.