ଏସିଆ କପ୍‍ କ୍ରିକେଟ୍‍ : ଭାରତ-ହଂକଂ ମ୍ୟାଚ୍‍ ଆଜି

0

ଦୁବାଇ : ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ଭାରତର ମୁକାବିଲା ନବାଗତ ହଂକଂ ଦଳ ସହ ହେବ। ବୁଧବାର ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‍ ଅନୁଷ୍ଠିତ ହେବାକୁ ଯାଉଥିବାରୁ ମଙ୍ଗଳବାର ମ୍ୟାଚ୍‍ ଭାରତୀୟ ଦଳ ଖେଳାଳିଙ୍କ ନିମନ୍ତେ ନିଜ ଦକ୍ଷତା ପରଖିବାକୁ ସୁଯୋଗ ଆଣି ଦେଇଛି।
ଚଳିତ ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଭାରତୀୟ ଦଳ ପାଇଁ ବଡ଼ ପରୀକ୍ଷା ଏଥିରେ ସନ୍ଦେହ ନାହିଁ। ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରୋହିତ ଶର୍ମା ଏସିଆ କପ୍‍ରେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ହଂକଂକୁ ପରାସ୍ତ କରିବା ଯଦିଓ ଭାରତୀୟ ଦଳ ନିମନ୍ତେ ବଡ଼ କଥା ନୁହେଁ ତେବେ ଚୂଡ଼ାନ୍ତ ଏକାଦଶରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଦେଖିବାର କଥା। ଦୁବାଇ ତାପମାତ୍ରା ପାଖାପାଖି ୪୩ ଡିଗ୍ରୀ ରହୁଥିବାରୁ ଭାରତୀୟ କ୍ରିକେଟର୍‍ ଏତେ ତାପମାତ୍ରାରେ କିପରି ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ହଂକଂ ଦଳ ନିଜର ପ୍ରଥମ ମ୍ୟାଚ୍‍ରେ ପାକିସ୍ତାନ ଠାରୁ ୮ ୱିକେଟ୍‍ରେ ପରାସ୍ତ ହୋଇଥିବା ବେଳେ ଭାରତ ବିପକ୍ଷ ମ୍ୟାଚ୍‍ରେ ଦଳର ପ୍ରଦର୍ଶନରେ ବେଶୀ ଉନ୍ନତି ଘଟିବ ବୋଲି ଆଶା କରାଯାଉ ନାହିଁ।
ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ମଧ୍ୟଭାଗ ବ୍ୟାଟସମ୍ୟାନ୍‍ କିପରି ଭାବେ ପ୍ରଦର୍ଶନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ଭାରତୀୟ ବ୍ୟାଟିଂ ଲାଇନ୍‍ଅପ୍‍କୁ ଦୃଷ୍ଟି ଦେଲେ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାୱନ୍‍ ବ୍ୟାଟିଂ ଓପନ୍‍ କରିବେ। ଏହି ଯୋଡ଼ି ପୂର୍ବରୁ ଅନେକ ମ୍ୟାଚ୍‍ରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତେବେ ୩ନଂ ସ୍ଥାନରେ କୋହଲିଙ୍କ ଅନୁପସ୍ଥିତି ଯୋଗୁଁ ଓପନର୍‍ମାନଙ୍କ ମଧ୍ୟରୁ ଜଣଙ୍କୁ ବେଶୀ ସମୟ ପିଚ୍‍ରେ ରହିବାକୁ ପଡ଼ିବ। ୩ନଂ ସ୍ଥାନରେ ଅମ୍ବାତି ରାୟୁଡୁଙ୍କୁ ସୁଯୋଗ ମିଳିପାରେ। ଦିନିକିଆରେ ରାୟୁଡୁଙ୍କ ଆଭରେଜ୍‍ ୫୦। ତେବେ ତାଙ୍କର ଷ୍ଟ୍ରାଇକ୍‍ ରେଟ୍‍ ଏତେଟା ଭଲ ନୁହେଁ। ୩ନଂ ସ୍ଥାନରେ ଖେଳୁଥିବା ବ୍ୟାଟସମ୍ୟାନ୍‍ ଦଳକୁ ସ୍ଥିରତା ପ୍ରଦାନ କରିବା ସହ ଆବଶ୍ୟକ ସ୍ଥଳେ ଦ୍ରୁତ ଗତିରେ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହେବା ନିହାତି ଆବଶ୍ୟକ। ଏହି ଦୃଷ୍ଟିକୋଣରୁ ରାୟୁଡୁ ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ପାଇଲେ ଏହାର କିପରି ସଦୁପଯୋଗ କରୁଛନ୍ତି ତାହା ଦେଖିବାକୁ କଥା।
ଭାରତୀୟ ଦଳ ତରଫରୁ ୪ନଂ ସ୍ଥାନରେ ଦିନେଶ କାର୍ତ୍ତିକ ବ୍ୟାଟିଂ କରିବା ଆଶା ରହିଛି। ଗତ କିଛିମାସ ହେବ କାର୍ତ୍ତିକ ନିଜ ବ୍ୟାଟିଂରେ ବେଶ୍‍ ଉନ୍ନତି ଆଣି ପାରିଛନ୍ତି। ୫ନଂରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବ୍ୟାଟିଂ କରିପାରନ୍ତି। କୋହଲିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ସଫଳତାର ଧୋନିଙ୍କ ଅଭିଜ୍ଞତା ଉପରେ ନିର୍ଭରଶୀଳ। ଅନ୍ୟପକ୍ଷରେ କେଦାର ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ୬ ଓ ୭ ନଂରେ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। ଏହି ଦୁଇ ଅଲରାଉଣ୍ଡର ମ୍ୟାଚ୍‍ରେ କିଛି ଓଭର ବୋଲିଂ କରିବା ସହ ନିଜ ବ୍ୟାଟିଂ ବଳରେ ଭାରତୀୟ ଦଳକୁ ବିଜୟୀ କରାଇବାକୁ ଚେଷ୍ଟା କରିବେ। ହାର୍ଦିକଙ୍କ ବୋଲିଂ ଦକ୍ଷତା ଅଧିକ ଶାଣିତ ହୋଇଥିôବାରୁ ସେ ଏସିଆ କପ୍‍ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ଅନ୍ୟପକ୍ଷରେ କେଦାର ଯାଦବଙ୍କ ବୋଲିଂ ଯଦିଓ ଏତେଟା ପ୍ରଭାବୀ ନୁହେଁ ତେବେ ତାଙ୍କୁ ଚୂଡ଼ାନ୍ତ ଦିନିକିଆରେ ସୁଯୋଗ ମିଳିବା ନିଶ୍ଚିତ। ବ୍ୟାଟସମ୍ୟାନ୍‍ ଭାବେ କେଦାର ବିସ୍ଫୋରକ ବ୍ୟାଟିଂ କରିବେ ବୋଲି ଆଶା ରହିଛି।
ଭାରତୀୟ ଦଳ ୪ଜଣ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି। ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା ଓ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଖେଳିବାର ସମ୍ଭାବନା ରହିଛି। ଭୁବନେଶ୍ୱର କୁମାର ଜଣେ ଦକ୍ଷ ବୋଲର ଭାବେ ବେଶ୍‍ ପରିଚିତ। ସେହିପରି ଯଶପ୍ରୀତ ବୁମରା ନିଜ ବୋଲିଂ ବଳରେ ମ୍ୟାଚ୍‍ ଜିତିବାକୁ ସକ୍ଷମ। କୁଲଦୀପ୍‍ ଓ ଚହଲ ସ୍ପିନର ଭାବେ ନିଜ ଦକ୍ଷତା ପ୍ରତିପାଦନ କରି ସାରିଛନ୍ତି। ତେବେ ହଂକଂ ବିପକ୍ଷ ମ୍ୟାଚ୍‍ରେ କୁଲଦୀପ କିମ୍ବା ଚହଲଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଆଜି (ମଙ୍ଗଳବାର)ର ମ୍ୟାଚ୍‍
ଭାରତ-ହଂକଂ; ସନ୍ଧ୍ୟା୫ଟା; ଷ୍ଟାର ସ୍ପୋର୍ଟସ-୧

Leave A Reply