ଅସାଧାରଣ ସନ୍ଥ

0

ସ୍ବାମୀ ରାମକୃଷ୍ଣ ପରମହଂସ କାଶୀକ୍ଷେତ୍ରରେ ପଦାର୍ପଣ କରିଥାନ୍ତି। ସାଥୀରେ ଥାନ୍ତି କିଛି ଶିଷ୍ୟ। ହଠାତ୍‌ ସେ ଅନୁଭବ କଲେ କୌଣସି ଅଦୃଶ୍ୟ, ଦିବ୍ୟଶକ୍ତିର ଆକର୍ଷଣରେ ଆକର୍ଷିତ ହୋଇ ସେ ଆଗେଇ ଯାଉଛନ୍ତି।
ଗ୍ରୀଷ୍ମ ଦିନ ଥିଲା। ରାମକୃଷ୍ଣ ନିଜ ଶିଷ୍ୟମାନଙ୍କ ସହ ଗଙ୍ଗା ତୀରରେ ଉତ୍ତପ୍ତ ବାଲୁକା ରାଶି ଦେଇ ଆଗକୁ ଆଗେଇବାରେ ଲାଗିଥାନ୍ତି। ସେ ନିଜେ ଜାଣି ପାରୁନଥାନ୍ତି କୁଆଡ଼େ ଯାଉଛନ୍ତି । ଶିଷ୍ୟଙ୍କ ସହ ରାଣୀ ରାସମଣିଙ୍କ ଜ୍ବାଇଁ ମଥୁରା ବାବୁ ମଧ୍ୟ ତାଙ୍କର ପଶ୍ଚାତ୍‌ଧାବନ କରୁଥାନ୍ତି।
ହଠାତ୍‌ ରାମକୃଷ୍ଣ ଦେଖିବାକୁ ପାଇଲେ ସମ୍ମୁଖ ଦିଗରେ ଜଣେ କ୍ଷୀଣକାୟ, ଅର୍ଦ୍ଧନଗ୍ନ ବାବାଙ୍କୁ। ଦୁଇ ହାତ ଆଗକୁ ବଢ଼ାଇ ଖୁବ୍‌ କ୍ଷିପ୍ର ଗତିରେ ସେହି ତପ୍ତ ବାଲୁକାରାଶିକୁ ଭ୍ରୂକ୍ଷେପ ନକରି ସେ ତାଙ୍କ ଆଡ଼କୁ ଆସୁଥାନ୍ତି। ଅତି ପାଖକୁ ଆସିବାପରେ ସେ ରାମକୃଷ୍ଣଙ୍କୁ ଗଳାରେ ଲଗାଇ ଏଭଳି ଆଲିଙ୍ଗନ କଲେ ଶିଷ୍ୟମାନଙ୍କୁ ବୋଧହେଲା ସତେ ଯେପରି ଯୁଗଯୁଗ ପରେ ଦୁହିଁଙ୍କ ମିଳନ ହେଉଛି। ଅବର୍ଣ୍ଣନୀୟ ଥିଲା ଏହି ଦୃଶ୍ୟ। ଶିଷ୍ୟମାନେ କିଛି ଦୂରରେ ଠିଆ ହୋଇଥିବା ଦେଖି ​‌ସେମାନଙ୍କ ଉଦ୍ଦେଶ୍ୟରେ କହିଲେ- ‘ଆରେ ତୁମେମାନେ ଠିଆ ​‌େ​‌ହଇ ଦେଖୁଛ କ’ଣ? ତାଙ୍କୁ ପ୍ରଣାମ କର। ସାକ୍ଷାତ୍‌ ବିଶ୍ବନାଥ ଆମ ସମ୍ମୁଖରେ ଉଭା ହୋଇଛନ୍ତି। ମୋର କାଶୀଯାତ୍ରା ସଫଳ ହୋଇଗଲା।’
ସେହି ସନ୍ଥ ଥିଲେ ତୈଲଙ୍ଗ ସ୍ବାମୀ। ତେଲଙ୍ଗାନା କ୍ଷେତ୍ରରୁ ଆସି କାଶୀଠାରେ ଅବସ୍ଥାନ କରିବା କାରଣରୁ ସେ ତୈଲଙ୍ଗ ସ୍ବାମୀ ନାମରେ ପରିଚିତ ଥିଲେ। ଢ଼େର ସମୟ ପର୍ଯ୍ୟନ୍ତ ଦୁହେଁ ସେହି ତପ୍ତ ବାଲୁକା ଉପରେ ଉପବେଶନ କରି କଥା ହେଲେ।
ତୈଲଙ୍ଗ ସ୍ବାମୀ ଯିବା ପରେ ରାମକୃଷ୍ଣ ମଥୁରାବାବୁଙ୍କୁ କହିଥିଲେ- ସାକ୍ଷାତ୍‌ କାଳୀଙ୍କ ସେବକ, ଜୀବନ୍ତ ପ୍ରତିମା ମହାକାଳଙ୍କର। ମଥୁରାବାବୁ କୌତୂହଳୀ ହୋଇ ରାମକୃଷ୍ଣଙ୍କୁ ପଚାରିଥିଲେ- ଆପଣ ତ ପ୍ରଥମ କରି ଗଙ୍ଗାତଟରେ ତାଙ୍କୁ ଭେଟିଲେ। ତାଙ୍କ ଆଶ୍ରମକୁ କେବେ ବି ଯାଇ ନାହାନ୍ତି କି ତାଙ୍କ ସହ ମିଶି ନାହାନ୍ତି। ହେଲେ ତାଙ୍କୁ କିଭଳି ଭାବରେ ଆପଣ ଜାଣିପାରିଲେ?
ଏହାଶୁଣି ରାମକୃଷ୍ଣ ହସିହସି କହିଥିଲେ- ‘ଏହି ଦୁଇ ଆଖିରୁ କିଛି ହେଲେ ଛପି ରହିପାରିବ ନାହିଁ। ବାବା (ତୈଲଙ୍ଗସ୍ବାମୀ) ଅସାଧାରଣ ଯୋଗୀ, ଦିବ୍ୟଶକ୍ତିର ଅଧିକାରୀ। ଯେଉଁ ବାଲୁକା ଉପରେ ତୁମେ ଚାଲିଚାଲି ଯିବା କଷ୍ଟସାଧ୍ୟ ତା’ ଉପରେ ସେ ବସି ରହିଲେ ଦୀର୍ଘସମୟ। ଏହା ତ ତାଙ୍କର ଅସାଧାରଣ ସାଧନାର ଫଳ। ଏଭଳି ଯୋଗୀ ସଂସାରର କେବେ କେମିତି ବିଶେଷ ପ୍ରୟୋଜନ ଅବସରରେ ଜନ୍ମ ନେଇଥାନ୍ତି ସଂସାରବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ।’ ରାମକୃଷ୍ଣଙ୍କ କଥାର ମହତ୍ତ୍ବ ଉପଲବ୍ଧି କରିଥିଲେ ମଥୁରାବାବୁଙ୍କ ସମେତ ଶିଷ୍ୟମାନେ।

Leave A Reply