ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଂଶ : ଆମେରିକା

ଚୀନ୍‌ର ସାମରିକ ଅତିକ୍ରମଣକୁ ନିନ୍ଦା

ନ୍ୟୁୟର୍କ : ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ। ଆମେରିକା ପକ୍ଷରୁ ଗୃହୀତ ଦ୍ୱିପାକ୍ଷିକ ପ୍ରସ୍ତାବରେ ମ୍ୟାକ୍‌‌ମୋହନ ଲାଇନକୁ ଅରୁଣାଚଳ ପ୍ରଦେଶ ଏବଂ ଚୀନ ମଧ୍ୟରେ ଆନ୍ତର୍ଜାତିକ ସୀମା ଭାବରେ ସ୍ୱୀକୃତି ଦିଆଯାଇଛି। ଏହି ଉତ୍ତର-ପୂର୍ବ ରାଜ୍ୟକୁ ଭାରତର ଅବିଚ୍ଛେଦ୍ୟ ଅଂଶ ଭାବରେ କୁହାଯାଉଛି। ତାହାସତ୍ତ୍ବେ ସେଠାରେ ଚୀନର ସାମରିକ ଅତିକ୍ରମଣ ନିନ୍ଦନୀୟ ବୋଲି ଆମେରିକାର ସିନେଟର ବିଲ୍‌‌ ହ୍ୟାଗର୍ଟି ଏବଂ ଜେଫ୍‌‌ ମର୍କଲେ କହିଛନ୍ତି। ଏଥିସହିତ ସେମାନେ ଏହି ମର୍ମରେ ଆମେରିକା ସିନେଟରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏଥିରେ ସେମାନେ ଦର୍ଶାଇଛନ୍ତି ଯେ ଏକ ମୁକ୍ତ ଏବଂ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଚୀନ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ଆମେରିକା ଉକ୍ତ ଅଞ୍ଚଳରେ ନିଜର ରଣକୌଶଳାତ୍ମକ ସହଯୋଗୀ ରାଷ୍ଟ୍ରସମୂହ, ବିଶେଷକରି ଭାରତ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡାହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଛି।
ହ୍ୟାଗର୍ଟି କହିଛନ୍ତି ଯେ ମ୍ୟାକ୍‌‌ମୋହନ ଲାଇନକୁ ନେଇ ଗୃହୀତ ଦ୍ୱିପାକ୍ଷିକ ସଂକଳ୍ପ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଦୃପ୍ତ କଣ୍ଠରେ ସ୍ୱୀକାର କରିବାକୁ ଆମେରିକା ସିନେଟ ନିଜର ସମର୍ଥନ ପ୍ରକାଶ କରୁଛି। ତାହା ସହିତ ଏହା ବାସ୍ତବ ନିୟନ୍ତ୍ରଣ ରେଖାରେ ସ୍ଥିତାବସ୍ଥା ପରିବର୍ତ୍ତନ କରିବା ସକାଶେ ଚୀନର ସାମରିକ ଅତିକ୍ରମଣକୁ ନିନ୍ଦା କରୁଛି ଏବଂ ଏହି ଘଟଣା ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସମର୍ଥନ କରିବା ପାଇଁ ଆମେରିକା-ଭାରତ ରଣକୌଶଳାତ୍ମକ ସହଯୋଗିତା ଏବଂ କ୍ୱାଡ୍‌‌କୁ ଅଧିକ ମଜଭୁତ କରୁଛି। ଅରୁଣାଚଳ ପ୍ରଦେଶ ପିପୁଲ୍ସ ରିପବ୍ଲିକ ଅଫ ଚାଇନା (ପିଆର୍‌‌ସି)ର ବୋଲି ଚୀନ ପକ୍ଷରୁ କରାଯାଉଥିବା ଦାବିକୁ ମଧ୍ୟ ଏହି ପ୍ରସ୍ତାବରେ ଅଗ୍ରାହ୍ୟ କରାଯାଇଛି।
ମର୍କଲେ କହିଥିଲେ, ସ୍ୱାଧୀନତା ଏବଂ ଏକ ନିୟମ ଆଧାରିତ ବ୍ୟବସ୍ଥାକୁ ସମର୍ଥନ କରିବା ନେଇ ଆମେରିକାର ମୂଲ୍ୟବୋଧ ସମଗ୍ର ବିଶ୍ୱରେ ଆମର କାର୍ଯ୍ୟକଳାପ ଏବଂ ସମ୍ପର୍କରେ କେନ୍ଦ୍ର ସ୍ଥାନ ନେବା ଉଚିତ। ସେ ସ୍ପଷ୍ଟ ଭାବରେ କହିଥିଲେ ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ- ଏହା ଆମେରିକାର ସ୍ପଷ୍ଟ ମତ। ଚୀନ ପକ୍ଷରୁ ଏଲଏସିରେ ସାମରିକ ଅତିକ୍ରମଣ ଏବଂ ବିବାଦୀୟ ଅଞ୍ଚଳରେ ଗ୍ରାମ ସ୍ଥାପନ, ମାଣ୍ଡାରିନ ଭାଷାରେ ମାନଚିତ୍ର ପ୍ରକାଶନ ଏବଂ ସେଥିରେ ଭାରତର ରାଜ୍ୟ ଅରୁଣାଚଳ ପ୍ରଦେଶକୁ ଚୀନର ଦର୍ଶାଯିବା ଭଳି ଉସୁକାଣ ସାମରିକ କାର୍ଯ୍ୟକଳାପକୁ ସେ ତୀବ୍ର ନିନ୍ଦା କରିଛନ୍ତି। ଏଭଳି ପରିସ୍ଥିତିରେ ଭାରତ ସରକାରଙ୍କ ପକ୍ଷରୁ ଚୀନର ଅତିକ୍ରମଣ ଏବଂ ନିରାପତ୍ତାଗତ ଧମକର ଜବାବ ଦେବାକୁ ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

Comments are closed.