ପରକୀୟା ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲା କଳା ଶିକ୍ଷକ, ସୂଚନା ଦେଲେ ଏସପି

କାମାକ୍ଷାନଗର: ତୁମୁସିଙ୍ଗା ଥାନା ଗୁନେଇବିଲି ଗ୍ରାମରେ ଗୁରୁବାର ତୁମୁସିଙ୍ଗା ସ୍ଥିତ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ସନ୍ଦେହଜଣକ ଅବସ୍ଥାରେ ଠାବ ଘଟଣାରେ ପୁଲିସକୁ ସଫଳତା ମିଳିଛି। ଅନୈତିକ ସମ୍ପର୍କକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଛନ୍ତି ବିଦ୍ୟାଳୟରେ ଚାକିରୀ କରୁଥିବା କଳା ଶିକ୍ଷକ ସୋମନାଥ ବିଶ୍ୱାଳ। ଏହି ଘଟଣାରେ ସୋମନାଥକୁ ଗିରଫ କରିବା ସହ ଘଟଣାସ୍ଥଳକୁ ଆଣି ପୁଲିସ କ୍ରାଇମ ସିନ ରିକ୍ରିଏସନ କରିଛି।

ସୂଚନା ଅନୁଯାୟୀ ଗତକାଲି ତୁମୁସିଙ୍ଗା ପଞ୍ଚଶଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀଙ୍କ ମୃତଦେହ ଗୁନେଇବିଲି ସ୍ଥିତ ନିଜ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ଏ ସମ୍ପର୍କରେ ପରିବାର ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ଏହା ଏକ ହତ୍ୟା ଘଟଣା ହୋଇଥିବା ଜାଣିବା ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା। ଅନୈତିକ ସମ୍ପର୍କକୁ ନେଇ ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀ ଦେହୁରୀଙ୍କୁ ନିଜ ବିଦ୍ୟାଳୟର କଳାଶିକ୍ଷକ ସୋମନାଥ ବିଶ୍ୱାଳ ହତ୍ୟା କରିଥିବା ଜଣାପଡିଛି। ୨୦୨୩ ମସିହାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଥିବା ବେଳେ ଶେଷରେ ଏହି ସମ୍ପର୍କର ପୂର୍ଣ୍ଣଛେଦ ପଡିଛି। ତେବେ ପ୍ରଧାନଶିକ୍ଷୟତ୍ରୀ ପ୍ରଭାତୀଙ୍କ ପରିବାର ଲୋକ ଅନୈତିକ ସମ୍ପର୍କକୁ ନେଇ କିଛି କହିନଥିବା ବେଳେ ଟଙ୍କା ନେଣଦେଣକୁ ନେଇ ହତ୍ୟା ହୋଇଥିବା କହିଛନ୍ତି। ତେବେ ସମ୍ପୃକ୍ତ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବାପାଇଁ ପରିବାର ଲୋକ ଦାବି କରିଛନ୍ତି।ତେବେ ଏ ସମ୍ପର୍କରେ ଢେଙ୍କାନାଳ ଏସପି ଅଭିନଵ ସୋନକାର ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି।

ଅଭିଯୁକ୍ତ ଜଣକ ହତ୍ୟାକାଣ୍ଡ ଦିନ ପ୍ରଭାତୀଙ୍କ ଘରକୁ ଯାଇଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଏତେ ଉଗ୍ରରୂପ ନେଇଥିଲା ଯେ ସୋମନାଥ, ପ୍ରଭାତୀ ପିନ୍ଧିଥିବା ଓଢଣୀରେ ତାଙ୍କ ବେକକୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରଭାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ଏକ କୋଠରୀ ଭିତରେ ପକାଇଦେଇ ବାହାରୁ ତାଲା ପକାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ସୋମନାଥ ନେଇଯାଇଥିବା ପ୍ରଭାତୀଙ୍କ ଦୁଇଟି ମୋବାଇଲ ଫୋନ, ତାଙ୍କ ଝିଅଙ୍କ ମୋବାଇଲ ଫୋନ ଓ ସୁନାହାରକୁ ପୁଲିସ ଜବତ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର, ତୁମୁସିଙ୍ଗା ଥାନା ଅଧିକାରୀ ମନସ୍ବିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅଭିଯୁକ୍ତ ସୋମନାଥଙ୍କୁ ଡାକ୍ତରୀ ପରୀକ୍ଷା କରିବା ପରେ ଅଦାଲତ ଚାଲାଣ କରାଯାଇଛି।

Comments are closed.