ଧାରଣା ଦେବାରୁ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କଲା ପୁଲିସ

ଚାନ୍ଦବାଲି: ନିଖୋଜ ଥିବା ଜଣେ ନାବାଳିକାଙ୍କୁ ଖୋଜିବା ଦିଗରେ ପୁଲିସର ନିଷ୍କ୍ରିୟତା ପଦାରେ ପଡ଼ିଛି। ଯେଉଁ ଅଭିଯୋଗ ଉପରେ ପଦକ୍ଷେପ ନେବାକୁ ଆଗ୍ରହ ଦେଖାଉ ନ ଥିଲା ପୁଲିସ ପରିବାର ଲୋକେ ଧାରଣା ଦେବାରୁ ୨୪ ଘଣ୍ଟା ଭିତରେ ନାବାଳିକାଙ୍କୁ ଉଦ୍ଧାର କରିଛି। ଭଦ୍ରକ ଜିଲା ବାଂଶଡ଼ା ଥାନା ଘଣ୍ଟେଶ୍ଵର ଫାଣ୍ଡି ପୁଲିସର ଏପରି ଅବହେଳାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ସକ୍ରିୟ ହେବ ଏବଂ ଲୋକଙ୍କୁ ଉତ୍ତମ ବ୍ୟବହାର କରିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିବାବେଳେ ଏଠାରେ ପୁଲିସ ବ୍ୟବସ୍ଥା କିପରି ରହିଛି ତାହା ଏହି ଘଟଣାରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ବାଂଶଡା ଥାନା ଅଧୀନ ଷଣ୍ଢଗଡା ଗ୍ରାମର ଜଣେ ନାବାଳିକା ଘଂଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିଲେ। ଏ ନେଇ ଗତ ୨୧ ତାରିଖରେ ବାଂଶଡା ଥାନାରେ ଝିଅର ବାପା ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଅଭିଯୋଗ ଆଧାରରେ ପୁଲିସ କିଛି ପଦକ୍ଷେପ ନେଇ ନ ଥିଲା। ଦିନ ପରେ ଦିନ ଗଡ଼ାଇବା ସହିତ ପରିବାର ଲୋକଙ୍କୁ ଭୁଆଁ ବୁଲାଇ ଚାଲିଥିଲା। ଯାହାଫଳରେ ନାବାଳିକାଙ୍କ ପରିବାର ଏବଂ ଗ୍ରାମବାସୀ ଶନିବାର ବିଳମ୍ବିତ ରାତିରେ ଆସି ଘଂଟେଶ୍ୱର ଫାଣ୍ଡି ଆଗରେ ଧାରଣା ଦେଇଥିଲେ। ଝିଅକୁ ଖୋଜି ନ ଦେଲେ ସମେସ୍ତ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ପୁଲିସ ତତ୍ପରତା ଦେଖାଇ ନାବାଳିକାକୁ ୨୪ ଘଣ୍ଟା ଭିତରେ ଉଦ୍ଧାର କରିଛି।
ଝିଅର ବାପା କହିଛନ୍ତି ଯେ, ୮ ଦିନ ଯାଏ ପୁଲିସ ଚୁପ କାହିଁକି ବସିଥିଲା ? ପରିବାର ଲୋକେ ଧାରଣା ଦେବାରୁ ପୁଲିସ କିପରି ସଙ୍ଗେ ସଙ୍ଗେ ଝିଅକୁ ଖୋଜି ଆଣିଲା। ଏହାର ତଦନ୍ତ ହେବା ଜରୁରୀ। ଅନ୍ୟପଟେ ଅଞ୍ଚଳର ୨ଜଣ କୁଜି ନେତା ତାଙ୍କ ଝିଅକୁ ସେମାନଙ୍କ ପୁଅ ସଙ୍ଗେ ବିବାହ କରାଇବାକୁ କହିଥିଲେ। ବିବାହ ନ କରାଇଲେ ଝିଅକୁ ଏବଂ ତା’ ପରିବାରବର୍ଗକୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ସମ୍ପୃକ୍ତ ୨ କୁଜି ନେତାଙ୍କୁ ପୁଲିସ ଗିରଫ ନ କରି କାହିଁକି ଛାଡିଦେଲା ବୋଲି ଝିଅର ମା’ ପ୍ରଶ୍ନ କରିଛନ୍ତି।
Comments are closed.