୫୦ ମାଓବାଦୀଙ୍କ ଆତ୍ମସମର୍ପଣ: ଶାହା କହିଲେ-ବର୍ଷକ ପରେ ଇତିହାସ ପାଲଟିଯିବ ନକ୍ସଲବାଦ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର ସରକାର ନକ୍ସଲମାନଙ୍କ ବିରୋଧରେ ସ୍ଵତନ୍ତ୍ର ଅଭିଯାନ ଚଳାଇଛନ୍ତି। ଏନକାଉଣ୍ଟରରେ ଅନେକ ନକ୍ସଲ ନିହତ ହେବା ପରେ ସେମାନଙ୍କ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ଯାହାଫଳରେ ବହୁ ନକ୍ସଲ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଛତିଶଗଡ଼ର ବିଜାପୁର ଜିଲାରେ ରବିବାର ୫୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରି ହିଂସାର ମାର୍ଗ ଛାଡ଼ିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେବା ସହିତ ସେମାନଙ୍କ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ସମସ୍ତ ନକ୍ସଲକୁ ଥଇଥାନ କରାଯାଇ ମୁଖ୍ୟ ସ୍ରୋତରେ ଯୋଡ଼ାଯିବ। ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଶାହା କହିଛନ୍ତି ବର୍ଷକ ପରେ ଅର୍ଥାତ ୩୧ ମାର୍ଚ୍ଚ ୨୦୨୬ ପରଠାରୁ ନକ୍ସଲବାଦ ଦେଶରେ ଇତିହାସ ପାଲଟିଯିବ।

ଶାହା ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଲେଖିଛନ୍ତି, ବିଜାପୁରରେ ୫୦ରୁ ଅଧିକ ନକ୍ସଲ ହିଂସାର ପଥ ଛାଡ଼ି ଆତ୍ମସମର୍ପଣ କରିବା ଅତ୍ୟନ୍ତ ଖୁସିର କଥା। ହିଂସା ଏବଂ ଅସ୍ତ୍ରଶସ୍ତ୍ର ଛାଡ଼ି ବିକାଶର ମୁଖ୍ୟଧାରାରେ ସାମିଲ ହେଉଥିବା ଲୋକଙ୍କୁ ମୁଁ ସ୍ଵାଗତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ସ୍ପଷ୍ଟ। ଯେଉଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଛାଡ଼ି ବିକାଶର ମାର୍ଗ ଆପଣାଇବେ ସେମାନଙ୍କୁ ଥଇଥାନ କରାଯାଇ ମୁଖ୍ୟଧାରାରେ ଯୋଡ଼ାଯିବ।

ସୂଚନାଯୋଗ୍ୟ, ରବିବାର ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଉପରେ ୬୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।

Comments are closed.