ୱେୟାର ହାଉସ୍ ଡକାୟତି ମାମଲା ; ୫ ଗିରଫ
ଯାଁଳା : ଗତ ସେପ୍ଟେମ୍ବର ମାସରେ ସ୍ଥାନୀୟ ଏକ ୱେୟାର୍ ହାଉସ୍ରେ ହୋଇଥିବା ଡକାୟତି ମାମଲାରେ ଯାଁଳା ଫାଣ୍ଡି ପୁଲିସକୁ ସଫଳତା ମିଳିଛି। ଡକାୟତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ବୁଧବାର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଚନ୍ଦକା ଥାନା ଛତାବର ଗାଁର ସନ୍ତୋଷ ବେହେରା, ମେଣ୍ଢାଶାଳ ହରିପୁରର ସେକ୍ ରାଜା ଓରଫ୍ ରହିମ୍, ବାଲିପାଟଣା ଥାନା ରାଜସ ଗାଁର ସଦାଶିବ ମଲ୍ଲିକ ଓରଫ୍ ମଙ୍ଗୁ, ଆଇଗିଣିଆ ଆଳୁଗଦି ନିକଟରେ ରହୁଥିବା ଗଞ୍ଜାମ ପୋଲସରା ଓ କୋଦଳାର ଗଣେଷ ଦାସ ଓରଫ୍ ଗଇ ଓ ଦୀପୁ ପ୍ରଧାନ ଓରଫ୍ କଂଗ୍ରେସ ।
ପୁଲିସ ସୂଚନାନୁ ଅନୁଯାୟୀ, ଗତ ସେପ୍ଟେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ଯାଁଳା ଶିଳ୍ପାଞ୍ଚଳସ୍ଥିତ ଷ୍ଟର୍ଲିଂ ୱିଲିସନ୍ ୱେୟାର ହାଉସ୍ରେ ଡକାୟତି ହୋଇଥିଲା। ଦୁର୍ବୃତ୍ତମାନେ ୩ ଜଣ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ପରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ଆଲୁମିନିୟମ୍ ତାର(୬ ଡ୍ରମ), ବ୍ୟାଟେରୀ ଓ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ଲୁଟିନେଇ ଫେରାର୍ ହୋଇଥିଲେ। କିନ୍ତୁ ସୁରକ୍ଷାକର୍ମୀଙ୍କ ସହ ଖଣ୍ଡଯୁଦ୍ଧବେଳେ ଦୁର୍ବୃତ୍ତଙ୍କ ଏକ ମୋବାଇଲ୍ ଫୋନ୍ ସେଠାରେ ପଡ଼ି ଯାଇଥିଲା। ସେହି ମୋବାଇଲ୍ ଫୋନ୍କୁ ଟ୍ରାକିଂ କରି ପୁଲିସ ଏହି ଗ୍ୟାଙ୍ଗ୍କୁ ଠାବ କରିଛି। ଏହି ଗ୍ୟାଙ୍ଗ୍ ବାଙ୍କୀ, ବାଲିପାଟଣା, ଖୋର୍ଦ୍ଧା, ଯାଁଳା ଓ ଜଟଣୀର ବିଭିନ୍ନ ଅଞ୍ଚଳରୁ ଟ୍ରାନ୍ସଫର୍ମର ଚୋରି କରୁଥିବା ଜଣାପଡ଼ିଛି। ଏମାନେ ଚୋରି ମାଲ୍କୁ କୋଲକତା ଚାଲାଣ କରୁଥିବା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି।
Comments are closed.