www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ନପୂର୍ଣ୍ଣା ଥିଏଟରର ଚର୍ଚ୍ଚିତା ନାୟିକା କୁଞ୍ଜଲତା ଏବେ ରୋଗ ଶଯ୍ୟାରେ

ନୀଳଗିରି : ଷାଠିଏରୁ ନବେ ଦଶକ ଭିତରେ ସେ ଓଡ଼ିଶାର ପୁରପଲ୍ଲୀରେ ଜଣେ ଥିଲେ ଚର୍ଚ୍ଚିତା ନାୟିକା। ଥିଏଟର ହେଉ କି ସିନେମା ବା ଯାତ୍ରା ମଞ୍ଚ; ସବୁଠି ତାଙ୍କ ନାଁ। ଆଜି ସେ ବୟସାଧିକ୍ୟ ଯୋଗୁଁ ରୋଗଗ୍ରସ୍ତ ହୋଇପଡ଼ିଛନ୍ତି, ରୋଗଶଯ୍ୟାରେ ପଡ଼ି ଓଡ଼ିଶାର କଳା, ସଂସ୍କୃତି ତଥା ଅଭିନୟକୁ ବଞ୍ଚାଇବାର ମୂଳମନ୍ତ୍ର ବାଣ୍ଟୁଛନ୍ତି। ଲୋକକଳାକୁ ସାରା ଓଡ଼ିଶାରେ ଅଭିନୟ ଜରିଆରେ ପରିଚିତ କରାଇଥିବା ଏହି ବର୍ଷୀୟାନ ଅଭିନେତ୍ରୀ କୁଞ୍ଜଲତା ଦାସଙ୍କ ଜୀବନ ଏବେ ସଂକଟରେ। ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ କାଣ୍ଡଗରଡ଼ି ଗାଁର କୁଞ୍ଜଲତା ଦାସ (୭୮)। ସପ୍ତମ ପାସ ହେବା ପରେ ଘରୋଇ କୀର୍ତ୍ତନ ଦଳରେ ଗୀତ ବୋଲୁଥିଲେ। ବାପା ବୈକୁଣ୍ଠନାଥ ନଦିଆ କୀର୍ତ୍ତନରେ ପ୍ରଖର ଥିଲେ। ପିଲା ବେଳୁ କଳା ପ୍ରତି ଦୁର୍ବଳତା ରହିଥିଲା। ୧୯୬୧ରେ ସେ ସୋରରେ ପଡ଼ିଥିବା ଅନ୍ନପୂର୍ଣ୍ଣା ଥିଏଟରର ନାଟକ ଦେଖିବାକୁ ଯାଇଥିବା ସମୟରେ ମ୍ୟାନେଜରଙ୍କ ସହ ପରିଚିତ ହୋଇଥିଲା। ମ୍ୟାନେଜର ମଧ୍ୟ ତାଙ୍କୁ ଥିଏଟରକୁ ନେବା ପାଇଁ ଆଗ୍ରହ ପ୍ରକାଶ କରି ଚୁକ୍ତି କରାଇଥିଲେ। ସେ ଓ ତାଙ୍କ ଭାଇ ବନବିହାରୀ ଉଭୟେ ଥିଏଟରରେ ଯୋଗଦେଲେ। ମାସିକ ୩୫ ଟଙ୍କା ଦରମାରେ ନିଜର କ୍ୟାରିୟର ଗଢ଼ିବା ଆରମ୍ଭ କରିଲେ। ସେତେବେଳେ ଚୀନ ଓ ଭାରତ ଲଢ଼େଇ ଉପରେ ପର୍ଯ୍ୟବେସିତ ନାଟକ ‘ଜାଗରଣ’ ଥିଲା ତାଙ୍କର ପ୍ରଥମ ନାଟକ, ଯାହାକି ପୁରୀରେ ମଞ୍ଚସ୍ଥ ହୋଇଥିଲା। ସେଇଠୁ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଲା। ଏହାପରେ ଅନେକ ମଞ୍ଚ ନାଟକ ସହ ଚଳଚିତ୍ର, ଦୂରଦର୍ଶନ ତଥା ରେଡିଓ ନାଟକରେ ସେ ଅଭିନୟ କରିଛନ୍ତି। ବେତାର ଓ ଟିଭିରେ ଜରୁରୀକାଳୀନ ଅଭିନେତ୍ରୀର ମାନ୍ୟତା ପାଇ ପ୍ରତିଦିନ ୩ ହଜାର ଲେଖାଏଁ ପାରିଶ୍ରମିକ ପାଇଛନ୍ତି। ସାତଶଙ୍ଖ ଏବଂ କୋଣାର୍କ ଗଣନାଟ୍ୟରେ ବି ସେ ଅଭିନୟ କରିଛନ୍ତି, କିନ୍ତୁ ଯାତ୍ରା ଦୁନିଆ ତାଙ୍କୁ ବେଶି ଦିନ କଳାରେ ବାନ୍ଧି ରଖି ପାରି ନଥିଲା। ଜନ୍ମମାଟି କାଣ୍ଡଗରଡ଼ି ଗାଁର ଚିକିତ୍ସକ ଶ୍ରୀମନ୍ତ ଦାସଙ୍କ ସହ ୧୯୬୬ରେ ବିବାହ ହୋଇଥିଲା। ସ୍ୱାମୀ ଶ୍ରୀମନ୍ତ ମଧ୍ୟ ତାଙ୍କ ସହ ରହି ଅନ୍ନପୂର୍ଣ୍ଣା ଥିଏଟରର ସହ ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। କୁଞ୍ଜଲତାଙ୍କ ଶେଷ ନାଟକ ଥିଲା ମାୟାବିନୀ, ଯାହାକି ପୁରୀ ଜିଲା ଡେଲାଙ୍ଗରେ ଥିଲା ତାଙ୍କର ଶେଷକ୍ୟାମ୍ପ। ୧୯୯୦ରୁ ସେ ଅଭିନୟ ଦୁନିଆରୁ ବିରତି ନେଇ ଗାଁରେ ଏକ ଅନୁଷ୍ଠାନ ଗଢ଼ି ପିଲାଙ୍କୁ ନୃତ୍ୟ ଓ ଅଭିନୟ ଶିକ୍ଷା ଦେଲେ। ଅଭିନୟ ଦୁନିଆରୁ ସେ ସାଉଣ୍ଟିଛନ୍ତି ଅନେକ ପ୍ରଶଂସା। ୨ଶହରୁ ଅଧିକ ନାଟକରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ଏହି ବୟୋଜ୍ୟୋଷ୍ଠ ଅଭିନେତ୍ରୀ ଜଣକ ଜୀବନରେ ପାଇଛନ୍ତି କ’ଣ ? ଏହି ଅଭିନେତ୍ରୀ ଜଣକ ସମ୍ପ୍ରତି ଦୁର୍ଦ୍ଦିନରେ ଗତି କରୁଛନ୍ତି। ୨୦୨୦ ମାର୍ଚ୍ଚରେ ଘରବାଡ଼ିରେ ପଡ଼ିଯିବାରୁ ତାଙ୍କ ଅଣ୍ଟା ହାଡ଼ ଭାଙ୍ଗିଯାଇଛି। ମିଳୁଥିବା ମାସିକ ୧୨ ଶହ ଟଙ୍କା କଳାକାର ଭତ୍ତା ତାଙ୍କ ଔଷଧ କିଣାକୁ ବି ନିଅଣ୍ଟ ହେଉଛି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିଚାର କଲେ ହୁଏତ, ଏହି ଅଭିନେତ୍ରୀ ଜଣକ ବାକି ଜୀବନ ଭଲରେ କାଟିପାରନ୍ତେ ବୋଲି ମତପ୍ରକାଶ ପାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories