ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୭ ପାକ୍ କମାଣ୍ଡୋ ନିହତ

ନୂଆଦିଲ୍ଲୀ: ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନ ବର୍ଡର ଆକ୍ସନ ଟିମ୍‌ (ବିଏଟି)ର ଏକ ଅନୁପ୍ରବେଶ ଯୋଜନାକୁ ଭାରତୀୟ ସେନା ପଣ୍ଡ କରିଛି। ସେନା କହିବା ଅନୁଯାୟୀ ଜୁଲାଇ ୩୧ ତାରିଖ ରାତିରେ ବିଏଟିର ସଦସ୍ୟମାନେ ଜାମ୍ମୁ-କାଶ୍ମୀରର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ପାକିସ୍ତାନ ସେନା ସମର୍ଥନରେ ହେଉଥିବା ବିଏଟି କରିଥିବା ଏହି ଅନୁପ୍ରବେଶକୁ ଭାରତୀୟ ସେନା ପ୍ରତିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ପାକିସ୍ତାନ ସେନାର ସ୍ପେଶାଲ ସର୍ଭିସ ଗ୍ରୁପ୍ (ଏସଏସଜି)ର ୫ରୁ ୭ଜଣ କମାଣ୍ଡୋ ପ୍ରାଣ ହରାଇଥିବା ଭାରତ ସେନା କହିଛି। ପ୍ରାଣ ହରାଇଥିବା ଏହି କମାଣ୍ଡୋଙ୍କ ମଧ୍ୟରୁ ୪ଜଣଙ୍କ ମୃତଦେହକୁ ଭାରତ ଠାବ କରିଛି। ଭାରତ ସେନା ପୋଷ୍ଟ ଠାରୁ କିଛି ଦୂରରେ କମାଣ୍ଡୋଙ୍କ ମୃତଦେହ ପଡିଥିବାବେଳେ ଏହାକୁ ଜବତ କରାଯାଇ ନାହିଁ କି ପାକିସ୍ତାନକୁ ହସ୍ତାନ୍ତର କରାଯାଇ ନାହିଁ। ସେନା କହିଛି ଯେ ପାକିସ୍ତାନ ନିୟମିତ ଭାବେ ଆତଙ୍କବାଦୀଙ୍କୁ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ଲାଗି ଉଦ୍ୟମ କରିଆସୁଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଜୈସ-ଇ-ମହମ୍ମଦ ଓ ଅନ୍ୟ ଆତଙ୍କବାଦୀ ସଂଗଠନର ପ୍ରାୟ ୨୦୦ରୁ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ସୀମାରେ ରହିଛନ୍ତି।

Comments are closed.