ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ, ୨ ଆହତ

0

ଶ୍ରୀନଗର : ଉତ୍ତର କାଶ୍ମୀରର କୁପୱାଡ଼ା ଜିଲାସ୍ଥିତ ଜଙ୍ଗଲରେ ବୁଧବାର ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ଜଙ୍ଗଲରେ ୪ରୁ ୫ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ପକ୍ଷରୁ ବୁଧବାର ଅପରାହ୍ଣରେ ଏକ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ମିଳିତ ଅଭିଯାନରେ ସେନାର ୩ ଏବଂ ଅର୍ଦ୍ଧସାମାରିକ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲି୍‍ସ୍‍, ସିଆରପିଏଫର ୪ ପ୍ଲାଟୁନ୍‍ ଫୋର୍ସ ସାମିଲ ହୋଇଥିଲେ। ତଲାସୀ ବେଳେ ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀ ସେନା ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ ଅର୍ଦ୍ଧ ସାମରିକ ସ୍ୱତନ୍ତ୍ର ବାହିନୀର ଜଣେ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁସାରେ କୁପୱାଡ଼ା ଜିଲାର କାଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ବୁଧବାର ଅପରାହ୍ଣରେ ସେନାର ୪୭ ରାଷ୍ଟ୍ରୀୟ ରାଇଫଲ ଯବାନଙ୍କୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ମିଳିତ ଅଭିଯାନରେ ଜଙ୍ଗଲକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରାଯାଇଥିଲା। ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ୨ ଆତଙ୍କବାଦୀ ହଠାତ୍‍ ସେନା ଉପରକୁ ଗୁଳି ମାଡ଼ କରିଥିଲେ। ଜବାବରେ ସେନା ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା। ଏଥିରେ ଅର୍ଦ୍ଧସାମରିକ ସ୍ୱତନ୍ତ୍ର ବାହିନୀର ୩ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୁକୁଲ ମିଣା ନାମକ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି। ଏନକାଉଣ୍ଟର ସ୍ଥଳକୁ ଆଉ ୪ ପ୍ଲାଟୁନ୍‍ ଅର୍ଦ୍ଧସାମରିକ ବାହିନୀ, ଏସ୍‍ଓଜି ଏବଂ ସେନାର କିଛି ଦଳକୁ ପଠାଯାଇଛି।

Leave A Reply