ବୈତରଣୀ ନଦୀକୁ ୨୦ନଂ ଜାତୀୟ ରାଜପଥ ଧସିବା ଘଟଣା, ସ୍ଥାୟୀ ମରାମତି ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ବୈଷୟିକ ଟିମ
ଆରଡି : କୁଆଖିଆ_ ଆଖଣ୍ଡଳମଣି ୨୦ନଂ ଜାତୀୟରାଜପଥର ଓଳଗ ନିକଟସ୍ଥ ବୋଡକ ଠାରେ ପାଖାପାଖି ୨ଶହ ଫୁଟର ରାସ୍ତା ବାରମ୍ବାର ବୈତରଣୀ ନଦୀକୁ ଧସିବା ଫଳରେ ସ୍ଥାୟୀ ମରାମତି ପାଇଁ ବୁଧବାର ପାଣିକୋଇଲି ଏନ.ଏଚ ବିଭାଗୀୟ ଅଧିକାରୀଙ୍କ ନେତୃତ୍ବରେ ଏକ ୨ଜଣିଆ ବୈଷୟିକ ଟିମ ଘଟଣାସ୍ଥଳର ଅନୁଧ୍ଯାନ କରିବା ହହ ମୃତ୍ତିକା ପରିକ୍ଷା କରିଥିଲେ। ବିଶେଷକରି ବୈତରଣୀ ନଦୀର ପ୍ରଖର ସ୍ରୋତ ଯୋଗୁଁ ଉକ୍ତ ସ୍ଥାନ ଉପରେ ପ୍ରଭାବ ପଡିବା, ନଦୀ ଶଯ୍ୟାରୁ ରାସ୍ତା ଆଡକୁ ହୋଇଥିବା ଆଭ୍ୟନ୍ତର ସୁଡଙ୍ଗ ଠାବକରି ମରାମତି ପାଇଁ ପଦକ୍ଷେପ ନେବା, ୨ ମିଟର ଅନ୍ତରରେ ବୋରିଂ କରି ଖମ୍ବ ନିର୍ମାଣ କରିବା ଉପରେ ବିଶେଷଜ୍ଞ ମାନେ ଗୁରୁତ୍ବ ଆରୋପ କରିଥିଲେ । ଏହି ସ୍ଥାନରେ ମୃତ୍ତିକା ସଂଗ୍ରହ କରି ପରୀକ୍ଷା କରିସାରିଲା ପରେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସେମାନେ ମତ ପୋଷଣ କରିଥିଲେ। ଏହି ଅବସରରେ ସେମାନେ ପ୍ରାୟ ୫ଟି ସ୍ଥାନରେ ମୃତ୍ତିକା ପରୀକ୍ଷଣ କରିଥିଲେ। ଏନଏଚ ନିର୍ବାହୀ ଯନ୍ତ୍ରୀ ରାକେଶ ରାଉତ, ଅଧୀକ୍ଷଣ ଯନ୍ତ୍ରୀ ଧ୍ୟାନଚାନ୍ଦ ନାୟକ, ଉପଖଣ୍ଡ ଅଧିକାରୀ ସୁମିତ ସାହୁ, କନିଷ୍ଟ ଯନ୍ତ୍ରୀ ଶକ୍ତିବ୍ରତ ଜେନା, ଶୁଭସ୍ମିତା ପାଣି ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । ଏହି ଜାତୀୟରାଜପଥ ୨ଟି ପର୍ଯ୍ଯଟନସ୍ଥଳ ଯାଜପୁରର ମା ବିରଜା ଓ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଅଗଣିତ ଭକ୍ତ ଓ ପର୍ଯ୍ଯଟକ ଛୋଟବଡ ଗାଡି ନେଇ ଆସିଥାନ୍ତି। ହେଲେ ବୈତରଣୀ ନଦୀବନ୍ଧ ଓ ଜାତୀୟରାଜପଥ ସମାନ ହୋଇଥିବାରୁ ପ୍ରତିବର୍ଷ ଆସୁଥିବା ବନ୍ଯାପାଣି ମାଡରେ ନଦୀ ମଧ୍ଯକୁ ଧସିଯାଉଛି ରାସ୍ତା। ଏହାର ସ୍ଥାୟୀ ମରାମତି ନିମନ୍ତେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେବା ପରେ ଏନ.ଏଚ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି।
Comments are closed.