ନିମ୍ନମାନରେ ଚାଲିଛି ବୈତରଣୀ ନଦୀବନ୍ଧ କାର୍ଯ୍ୟ ; ବନ୍ୟା ଆସିଲେ ପୁଣି ଭାସିବ ୨୪ଖଣ୍ଡ ଗାଁ !
ଜଳସେଚନ ବିଭାଗ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ
ଆରଡି : ଭଦ୍ରକ ଜିଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ତଥା ଆରଡି ନିକଟସ୍ଥ ବୋଡକ ଓ ଷାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧର ଅନେକ ସ୍ଥାନ ଗତ ବନ୍ୟାରେ ଧୋଇ ଯାଇଥିଲା । ଏହି ସ୍ଥାନ ଗୁଡିକୁ ଭଦ୍ରକର ତତ୍କାଳୀନ ଜିଲାପାଳଙ୍କ ସହ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯିବା ସହ ସ୍ଥାୟୀ ମରାମତି ଖୁବଶୀଘ୍ର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ନଦୀବନ୍ଧର ସ୍ଥାୟୀ ମରାମତି କରାନଯାଇ ଏବେ ବର୍ଷାଋତୁ ଆରମ୍ଭ ହୋଇ ଯାଇଥିବାରୁ ତରବରିଆ ଭାବେ ଜଳସେଚନ ବିଭାଗ ପକ୍ଷରୁ ଅସ୍ଥାୟୀ ମରାମତି କାର୍ଯ୍ୟ କରାଯାଉଥିଲେ ମଧ୍ୟ ଅତି ନିମ୍ନମାନର କରାଯାଉଥିବାରୁ ଆଗକୁ ଯଦି ବୈତରଣୀରେ ବନ୍ୟା ଆସେ ତାହାଲେ ପୂର୍ବପରି ଆରଡି, ଓଳଗ, ସୁନ୍ଦରପୁର, ବୋଡକ, ଷାଠିବାଙ୍କୁଡା, ଅମୃତମଣି, ମୁଆଁ, ସନ୍ତରା, ଶୀତଳପୁର ଆଦି ୪ଟି ପଞ୍ଚାୟତର ୨୪ରୁ ଅଧିକ ଗାଁ ବନ୍ୟାପାଣିରେ ବୁଡିବା ଏଡାଇଦିଆଯାଇ ପାରିବ ନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ବିଶେଷକରି ବୈତରଣୀନଦୀର ଆଖୁଆପଦା ଆନିକଟ ନିକଟରୁ ଆସୁଥିବା ସମସ୍ତ ବନ୍ୟାଜଳ ଏହି ବାଟ ଦେଇ ସମୁଦ୍ରରେ ନିଷ୍କାସନ ହୋଇଥାଏ। ହେଲେ କାର୍ଯ୍ୟରତ ଠିକାଦାର ଓ ଜଳସେଚନ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ନିମ୍ନମାନର ବଲା, ହାତଗଣତିରେ କେତେକ ବାଲିବସ୍ତା ପକାଇ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ସେହିପରି ଏହି ନଦୀବନ୍ଧ ଦେଇ ଆଖଣ୍ଡଳମଣିରୁ କୁଆଖିଆ ଭାୟା ବିରଜାକ୍ଷେତ୍ର ଯାଜପୁରକୁ ୨୦ ନଂ ଜାତୀୟ ରାଜପଥ ଯାଇଥିବାରୁ ନଦୀବନ୍ଧ ବନ୍ୟା ସମୟରେ ଧୋଇଯିବାରୁ ଦୀର୍ଘଦିନ ଧରି ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ପର୍ଯ୍ୟଟକଙ୍କ ଯାତାୟତ ଠପ୍ ହୋଇଯାଇଥାଏ । ଏହି ବୈତରଣୀ ନଦୀବନ୍ଧର ସ୍ଥାୟୀ ମରାମତି କରିବା ପାଇଁ କିଛିବର୍ଷ ପୂର୍ବରୁ ପାଖାପାଖି ୧୦କୋଟି ଟଙ୍କା ବ୍ୟୟବରାଦ କରାଯାଇ ଲୁଣାବନ୍ଧ କରାଯିବା ସହ ନଦୀକଡରେ ସ୍ପର ସହ ପଥର ପ୍ୟାକିଂ କରାଯାଇଥିଲା ହେଲେ ବାରମ୍ବାର ନିମ୍ନମାନର କାମ ଓ ସ୍ଥାନୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପ୍ରତିବର୍ଷ ବର୍ଷାଋତୁ ଆସିଲେ ଏହି ଅଞ୍ଚଳର ଲୋକଙ୍କ ପାଇଁ ଦୁଃଖ ପାଲଟିଥାଏ ବୈତରଣୀ ନଦୀ । ସେହିପରି ଶୀତଳପୁର ନିକଟରେ ନଦୀବନ୍ଧ ମରାମତି ନାଁରେ ଖରାଦିନେ କିଛି ପଥର ପକାଇ ଜଳସେଚନ ବିଭାଗ ଚୁପ ହୋଇ ବସିଥିବାରୁ ଏବେ ନଦୀରେ ସାମନ୍ୟ ଜୁଆର ପାଣି ଆସିଲେ କୂଳ ଲଂଘି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି । ଏପରି ସମସ୍ୟା ବାବଦରେ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୋଣସି ଉତ୍ତର ମିଳିନଥିଲା।
Comments are closed.