ଆଖଣ୍ଡଳମଣିଙ୍କ ପୀଠରେ କାର୍ଯ୍ୟକାରୀ ହେବ ମାଷ୍ଟରପ୍ଲାନ

ସମ୍ପ୍ରସାରଣ ହେବ ମନ୍ଦିର ପରିସର , ମୁଖ୍ୟ ବଜାର-ପ୍ରଣବ ପ୍ରକାଶ ଦାସ

ଆରଡି : ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଭାବେ ପରିଚିତ ଆରଡିପୀଠକୁ ବାବା ଆକଣ୍ଡଳମଣିଙ୍କ ଦର୍ଶନ ପାଇଁ ବହୁ ଦୂରଦୂରାନ୍ତରରୁ ଦୈନଦିନ ସମେତ ବିଭିନ୍ନ ପର୍ବପର୍ବାଣୀରେ ଅଗଣିତ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥାଏ। ଏହାକୁ ଦୃଷ୍ଟିରେ ରଖି ପୀଠର ପାରିପାର୍ଶକ ଉନ୍ନତି ଓ ଶ୍ରଦ୍ଧାଳୁମାନଙ୍କର ରହଣୀ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରର୍ଯ୍ୟାୟରେ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା। ତାହା କାର୍ଯ୍ୟକାରୀ ପାଇଁ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ରବିବାର ଆରଡି ଗସ୍ତରେ ଆସିଥିବା ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସଭାପତି ପ୍ରଣବ ପ୍ରକାଶ ଦାସ ମଣିବାବାଙ୍କୁ ଦର୍ଶନ ସାରିବା ପରେ ମନ୍ଦିର ପରିସର ଓ ମୁଖ୍ୟ ବଜାର ବୁଲି ଦେଖିଥିଲେ। ଏପରିକି ପୂର୍ବ ପ୍ରସ୍ତୁତି ଅନୁଯାୟୀ ପୀଠରେ ମାଷ୍ଟରପ୍ଲାନ କାର୍ଯ୍ୟକାରୀ ଖୁବଶିଘ୍ର କରାଯିବ ବୋଲି ପ୍ରକାଶ କରିବା ସହ ମନ୍ଦିର ବେଢାର ସମ୍ପ୍ରସାରଣ, ବାଇପାସ ରାସ୍ତା ଓ ମୁଖ୍ୟ ବଜାର ରାସ୍ତାର ସମ୍ପ୍ରସାରଣ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ। ତାହାସହ ପୀଠରେ ଆସନ୍ତା ଏପ୍ରିଲମାସରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ମଧ୍ୟ ଉପସ୍ଥିତ ଥିବା ସେବାୟତ ଓ ଜନସାଧାରଣଙ୍କ ନିକଟରେ ପ୍ରକାଶ କରିଥିଲେ। ବିଶେଷକରି ପୀଠରେ ସ୍ଥାୟୀ ଦୋକାନଗୃହ ନିର୍ମାଣ, ମଣିବାବାଙ୍କ ପୁଷ୍କରିଣୀ ମଧ୍ୟରେ ଚନ୍ଦନ ମନ୍ଦିର ନିର୍ମାଣ, ଗାଡିପାର୍କିଂ ବ୍ୟବସ୍ଥା, ଦର୍ଶନ ନିମନ୍ତେ ମନ୍ଦିରକୁ ପଦାଚଲା ରାସ୍ତା ନିର୍ମାଣ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ବିଧାୟକ ଶ୍ରୀ ଦାସ ପ୍ରକାଶ କରିବା ସହିତ ଏଥିପାଇଁ ଆବଶ୍ୟକତା ଅନୁଯାୟୀ ଅର୍ଥ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରକାଶ କରିଥିଲେ। ସେହିପରି ଯେଉଁମାନେ ବାସଗୃହ, ଦୋକାନଗୃହ ଓ ଜମି ହରାଇବେ ସେମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।

Comments are closed.