ଭୁବନେଶ୍ବର: ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀଙ୍କୁ ଘରୋଇ ସ୍କୁଲରେ ଘରୋଇ ବିଦ୍ୟାଳୟରେ ପାଠ ପଢିବାକୁ ସୁଯୋଗ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍ଲାଇନ୍ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଆବେଦନ ଓ ନାମଲେଖା ସଂକ୍ରାନ୍ତୀୟ ତାରିଖରେ ପରିବର୍ତ୍ତନ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବ ରଘୁରାମ ଆର ଆୟାର ଏନେଇ ଚିଠି ଲେଖିଛନ୍ତି। ଚିଠରେ ଉଲ୍ଲେଖ କରିଛନ୍ତି ଯେ, ଶିକ୍ଷା ଅଧିକାର ଆଇନ-୨୦୦୯ର ପାରା ୧୨.୧(ସି) ଅନୁଯାୟୀ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ନାମଲେଖା ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାକୁ ଅନ୍ଲାଇନ୍ରେ ସମସ୍ତ ପ୍ରକ୍ରିୟା ହେବ। ପୂର୍ବରୁ ଘରୋଇ ବିଦ୍ୟାଳୟ ଏହି ନିୟମକୁ ଠିକ୍ ପାଳନ କରୁ ନ ଥିବାରୁ ବିବାଦ ଦେଖାଦେଇଥିଲା। ସେଥିଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷରୁ ୨୫% ସଂରକ୍ଷଣ କଡ଼ାକଡ଼ି କରିବା ସହ ଅନ୍ଲାଇନ୍ରେ ଆବେଦନ ପାଇଁ ବିଭାଗ ନିଷ୍ପତ୍ତି ନେଇଛି।
ଘରୋଇ ବିଦ୍ୟାଳୟର ୨୫% ସିଟ୍ରେ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନାମଲେଖା ନେଇ ପ୍ରସ୍ତୁତ କ୍ୟାଲେଣ୍ଡରରେ ପରିବର୍ତ୍ତନ କରାଯାଇଛି। ଏହି ପ୍ରକ୍ରିୟା ଗତମାସ ୨୫ରେ ଆରମ୍ଭ ହୋଇଥିବାବେଳେ ଜୁନ୍ ୭ରେ ଶେଷ ହେବ। ପୂର୍ବରୁ ନାମଲେଖା ପ୍ରକ୍ରିୟା ଫେବୃଆରୀରୁ ଆରମ୍ଭ ହୋଇ ଏପ୍ରିଲ ୩୦ ଯାଏଁ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ଏଯାବତ୍ ରାଜ୍ୟର ୧୮୯୦ ଘରୋଇ ସ୍କୁଲ ନାମ ପଞ୍ଜୀକରଣ କରିଛନ୍ତି। ୧୦ ଦିନ ଭିତରେ ପଞ୍ଜୀକରଣ ବିଦ୍ୟାଳୟ ସଂଖ୍ୟା କମ୍ ଥିବାରୁ ବିଭାଗର ଚିନ୍ତା ବଢିବାରେ ଲାଗିଛି। ରାଜ୍ୟରେ ୬ ହଜାରରୁ ଅଧିକ ଘରୋଇ ବିଦ୍ୟାଳୟ ଥିବାବେଳେ ମାତ୍ର ୧୨ ଦିନ ପଞ୍ଜୀକରଣ ସମୟ ରହିଛି। ସେହିପରି ବିଭାଗ ପକ୍ଷରୁ ପରିବର୍ତ୍ତିତ ସମୟ ସାରଣୀ ଅନୁଯାୟୀ ଗତମାସ ୨୫ରୁ ବେସରକାରୀ ସ୍କୁଲ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ୨୫ରୁ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀ ପଞ୍ଜିକୃତ ହୋଇଥିବା ସ୍କୁଲଗୁଡ଼ିକର କାଗଜପତ୍ର ଯାଞ୍ଚ କରିବେ। ମାର୍ଚ୍ଚ ୨୬ରୁ ଏପ୍ରିଲ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କରିବେ। ଏପ୍ରିଲ ୨୦ରୁ ମେ’ ୩ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ରାଉଣ୍ଡ କାଗଜପତ୍ର ଯାଞ୍ଚ କରାଯିବ। ମେ’ ୬ରେ ପ୍ରଥମ ରାଉଣ୍ଡ ଅନ୍ଲାଇନ୍ ଲଟେରି ଓ ସ୍କୁଲ ଅଲର୍ଟମେଣ୍ଟ ହେବ। ମେ’ ୭ରୁ ୧୭ ମଧ୍ୟରେ ସ୍କୁଲଗୁଡିକରେ ନାମଲେଖା ଅନୁଷ୍ଠିତ ହେବ। ମେ’ ୭ରୁ ୨୦ ମଧ୍ୟରେ ୨ୟ ପର୍ଯ୍ୟାୟ ପଞ୍ଜୀକରଣ ହେବାକୁ ଥିବାବେଳେ ମେ’ ୧୮ରୁ ୨୭ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରାଯିବ। ମେ’ ୩୧ରେ ପ୍ରଥମ ରାଉଣ୍ଡ ଅନ୍ଲାଇନ୍ ଲଟେରି ଓ ସ୍କୁଲ ଆଲର୍ଟମେଣ୍ଟ ହେବ। ଜୁନ୍ ୧ରୁ ୭ ସ୍କୁଲରେ ନାମଲେଖା ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ସ୍ୱୀକୃତି ପାଇଥିବା ସମସ୍ତ ଘରୋଇ ସ୍କୁଲ ଏହି ୱେବ ପୋର୍ଟାଲରେ ପ୍ରଥମେ ନାମ ପଞ୍ଜୀକରଣ କରିବେ। ଜିଲା ଶିକ୍ଷା ଅଧିକାରୀ(ଡିଇଓ) ସମସ୍ତ କାର୍ଯ୍ୟକୁ ତଦାରଖ କରିବେ l ଅବହେଳିତ ଶ୍ରେଣୀର ଯେକୌଣସି ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଆବେଦନ ପରେ ଲଟେରି ମାଧ୍ୟମରେ ପିଲାମାନେ ଘରୋଇ ସ୍କୁଲରେ ନାମଲେଖା ପାଇଁ ସୁଯୋଗ ପାଇବେ।



