ନୂଆଦିଲ୍ଲୀ: ଶୀର୍ଷକଟି ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଆମେରିକୀୟ ମୋବାଇଲ ନିର୍ମାତା କମ୍ପାନୀ ଆପଲ୍ର ନୂଆ କମ୍ପ୍ୟୁଟର ମର୍ସିଡିଜ, ବିଏମଡବ୍ଲୁ ଏବଂ ଅଡୀ କାରଠାରୁ ବି ମହଙ୍ଗା। ଏହି କମ୍ପ୍ୟୁଟରର ନାମ ହେଉଛି ‘ମାକ୍ ପ୍ରୋ ୨୦୧୯’। ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି। ଆମେରିକାରେ ଏହି କମ୍ପ୍ୟୁଟର ପ୍ରସ୍ତୁତ ହୋଇଛି। ଏହାର ଟପ୍ ମଡେଲର ମୂଲ୍ୟ ୫୨ ହଜାର ୫୯୯ ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହାର ଦାମ୍ ୩୭ ଲକ୍ଷ ୧୫ ହଜାର ଟଙ୍କା।
ଯଦି କେହି ଜଣେ ବିଏମଡବ୍ଲୁର ପ୍ରାରମ୍ଭିକ ସେଗ୍ମେଣ୍ଟର କାର୍ କିଣୁଛନ୍ତି, ତେବେ ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ସେହିଭଳି ମର୍ସିଡିଜ୍ ବେଞ୍ଜ୍ ବେସ୍ ମଡେଲର ମୂଲ୍ୟ ଭାରତୀୟ ବଜାରରେ ୩୨ରୁ ୩୫ ଲକ୍ଷ ମଧ୍ୟରେ ରହିଛି। ଅଡୀ କାର୍ର ପ୍ରାରମ୍ଭିକ ମୂଲ୍ୟ ବି ୩୦ରୁ ୩୫ ଲକ୍ଷ ଟଙ୍କା ଭିତରେ ରହିଛି।
ଏଭଳି ସ୍ଥିତିରେ ଆପଲ୍ ମାକ୍ ପ୍ରୋ କମ୍ପ୍ୟୁଟରର ପ୍ରାରମ୍ଭିକ ମୂଲ୍ୟ ୫,୯୯୯ ଡଲାର ଅର୍ଥାତ୍ ୪ ଲକ୍ଷ ୨୫ ହଜାର ଟଙ୍କା। ଏହା କେବଳ ସିପିୟୁର ମୂଲ୍ୟ। ମନିଟରର ପ୍ରାରମ୍ଭିକ ମୂଲ୍ୟ ୪୯୯୯ ଡଲାର ରହିଛି। ଏହି କମ୍ପ୍ୟୁଟରର ଅପ୍ଗ୍ରେଡେଡ୍ ମଡେଲର ଦାମ୍ ୫୨ ହଜାର ୯୯୯ ଡଲାର ଧାର୍ଯ୍ୟ କରାଯାଇଛି। ଏହି ମଡେଲରେ ୨୮ କୋର୍ର ଇଣ୍ଟେଲ ଜେନନ ଡବ୍ଲୁ ପ୍ରୋସେସର, ୪ ଟିବି ଷ୍ଟୋରେଜ ଏବଂ ୧.୫ ଟିବି ରାମ୍ ରହିଛି। କମ୍ପ୍ୟୁଟରରେ ଶକ୍ତିଶାଳୀ ହାଡୱେର ଖଞ୍ଜା ଯାଇଛି, ଯାହା ଭିଡିଓ ଏଡିଟର ଏବଂ ପ୍ରୋଗ୍ରାମରଙ୍କ ପାଇଁ ସୁବିଧାଜନକ ହେବ। ତେବେ ଭାରତୀୟ ବଜାରରେ ଏହାର ବିକ୍ରି ଉପରେ କମ୍ପାନୀ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।



