ତିନି ମାସରେ ସଂଶୋଧିତ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ

ଅପାର୍ଟମେଣ୍ଟ ନିୟମାବଳୀର ବୈଧତାକୁ ଚାଲେଞ୍ଜ ପ୍ରସଙ୍ଗରେ ସରକାରଙ୍କ ସତ୍ୟପାଠ

କଟକ : ରାଜ୍ୟରେ ତିନି ମାସ ମଧ୍ୟରେ ଆସିବ ସଂଶୋଧିତ ଓଡିଶା ଅପାର୍ଟମେଣ୍ଟ ଓନରସିପ ଆଇନ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ର ଏ ନେଇ ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି ଯେ ମେ’ ୧୭ରେ ବୈଠକ ହୋଇଥିଲା; ସିଦ୍ଧାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀଙ୍କ ସମେତ ୫ଜଣ ସଦସ୍ୟ ଉପସ୍ଥିତ ଥିଲେ। ଆଗାମୀ ତିନି ମାସ ମଧ୍ୟରେ ଏହି ସଂଶୋଧିତ ଆଇନ ରାଜ୍ୟରେ ଆସିବ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଆଜିର ଶୁଣାଣି ସମୟରେ ବିଲଡର୍ସଙ୍କ ପକ୍ଷରୁ ଦର୍ଶଯାଇଥିଲା ଯେ ଫ୍ଲାଟ ବିକ୍ରିରେ ଅସୁବିଧା ହେଉଛି; ତେବେ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଦାଲତ ପରାମର୍ଶ ଦେଇଥିଲେ। ମେ‘ ୧୨ ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଆପାର୍ଟମେଣ୍ଟ ବିକ୍ରି ପୂର୍ବରୁ ଓନରସିପ ଆସୋସିଏସନ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି ନିର୍ଦେଶ ଦେଇଥିଲେ। ସେବେଠାରୁ ରାଜ୍ୟରେ ଆପାର୍ଟମେଣ୍ଟ ବିକ୍ରି ବନ୍ଦ ରହିଛି। ତେବେ ଆଜି ଏ ନେଇ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର। ମଧ୍ୟବର୍ତ୍ତୀ ସମୟରେ ଆପାର୍ଟମେଣ୍ଟ ବିକ୍ରି ପାଇଁ ଅନୁମତି ଦେବାକୁ ବିଲଡର ଆସୋସିଏସନ ପକ୍ଷରୁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଅଗଷ୍ଟ ୨୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ର ବୈଧତାକୁ ଚାଲେଞ୍ଜ କରି ଦାୟର ମାମଲାରେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ଆର୍‌.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ ଶୁଣାଣି କରି ଏହି ନି​‌େ​‌ର୍ଦଶ ଦେଇଛନ୍ତି। ସରକାର ଏବଂ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟାରି ଅଥରିଟି(ଓରେରା) ମିଳିତ ବୈଠକ କରିବାକୁ ମେ’ ୧୨ ତାରିଖରେ ନିର୍ଦେଶ ଦେଇଥିଲେ ହାଇକୋର୍ଟ। ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍ ଆଣ୍ଡ୍ ଡେଭେଲପମେଣ୍ଟ) ଆଇନ (ରେରା), ୨୦୧୬ର ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀର କେତେକ ନିୟମ ବିରୋଧାଚରଣ କରୁଥିବା ଅଭିଯୋଗ ହୋଇଥିବାବେଳେ ପ୍ରସଙ୍ଗରେ ସମାଧାନ ପନ୍ଥା ବାହାର କରିବାକୁ ଆଲୋଚନା କରିବାକୁ ନିର୍ଦେଶ ଥିଲା। ଏଥିସହ ଆପର୍ଟମେଣ୍ଟ ବିକ୍ରି କବଲା କାର୍ଯ୍ୟକାରୀ ବେଳେ ରେରା ଆଇନ ଓ ଏ ସମ୍ପର୍କିତ ନିୟମ ପାଳନ ସୁନିଶ୍ଚିତ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଏସ୍‌. ମିଶ୍ର ଓ ବିମଳେନ୍ଦୁ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସରକାର ବୈଠକ କରି ଆଜି ସତ୍ୟପାଠ ଦାଖଲ କରିଛନ୍ତି।

kalyan agarbati

Comments are closed.