କୋଟିଆରେ ପୁଣି ଅନୁପ୍ରବେଶ
ନାରେଡ଼ିବାଲସାରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ସମାବେଶ
ପଟ୍ଟାଙ୍ଗି : କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାନ୍ତ ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତରେ ବୁଧବାର ପୁଣି ଆନ୍ଧ୍ରପ୍ରଦେଶ ପ୍ରଶାସନ ଉପସ୍ଥିତି ଜାହିର କରିଛି। ଗୋଟିଏ ପଟେ ଓଡ଼ିଶା ସରକାର କୋଟିଆକୁ ଜଗୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଆନ୍ଧ୍ରପ୍ରଦେଶର ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନେ ସେଠାକୁ ଆସି କୋଟିଆବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଚାଲିଛନ୍ତି। ଏହିକ୍ରମରେ ବୁଧବାର ପୁଣି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଡି ରାଜନ୍ ଦୋରା କୋଟିଆର ନାରେଡ଼ିବାଲସାଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ଼ିଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସଚେତନତା କରିବା ସହ ଦଳୀୟକର୍ମୀଙ୍କୁ ଉତ୍ସାହିତ କରିଥିଲେ। ସାଲୁର ବିଧାୟକ ଶ୍ରୀ ଦୋରା ପୂର୍ବରୁ ସୀମାନ୍ତ ଅନୁପ୍ରବେଶରେ ସାମିଲ ରହିଥିଲେ। ଆନ୍ଧ୍ରପ୍ରଦେଶ ସରକାର ନୂତନ ମାନ୍ୟମ୍ ପାର୍ବତୀପୁରମ୍ ଜିଲା ଗଠନ କରିବା ଏବଂ ଡି ରାଜନ୍ ଦୋରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିବା ପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଅନୁପ୍ରବେଶ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ପାର୍ବତୀପୁରମ୍ ଜିଲାପାଳ ନିଶାନ୍ତ କୁମାର,ଓ ଉପମୁଖ୍ୟମନ୍ତ୍ରୀଙ୍କ ଘନଘନ ଗସ୍ତ ସହ ବିଭିନ୍ନ ଯୋଜନା ଘୋଷଣା ସାଙ୍ଗକୁ ପ୍ରୋତ୍ସାହନ ଯୋଗୁଁ ସୀମାନ୍ତ ବାସିନ୍ଦାଙ୍କ ମଧ୍ୟରେ ଆନ୍ଧ୍ର ପ୍ରୀତି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବୁଧବାର ପୁଣି ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରା ୱାଏସ୍ ଆର୍ ଦଳୀୟ ନେତା ଓ କର୍ମୀଙ୍କ ସହ ନାରେଡ଼ିବାଲସା ସଭାରେ ଉପସ୍ଥିତ ରହି ଲୋକଙ୍କୁ ବିଭିନ୍ନ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ଗତ ସୋମବାର ଦିନ ପଟ୍ଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ନାରେଡ଼ିବାଲସାରେ ଅଭିଯୋଗ ଶୁଣାଣି ହୋଇଥିଲା। ଆନ୍ଧ୍ରପ୍ରଦେଶ ଦାଦାଗିରି ନୀତି ଅବଲମ୍ବନ କରି ବାରମ୍ବାର ଅନୁପ୍ରବେଶ ଜାରି ରଖି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବିଭ୍ରାନ୍ତ ସୃଷ୍ଟି କରୁଛି। ରାଜ୍ୟ ସରକାର ଏସବୁ ଦେଖି ନ ଦେଖିବା ନୀତିରେ ଚୁପ୍ ରହୁଥିବା ଯୋଗୁଁ ଆନ୍ଧ୍ର ଅନୁପ୍ରବେଶ କରିବାକୁ ପ୍ରୋତ୍ସାହନ ପାଉଥିବା ସାଧାରଣରେ ଆଲୋଚନା ହେଉଛି। ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶକୁ ରାଜ୍ୟ ସରକାର ନ ରୋକିଲେ ଆଗକୁ ନିଶ୍ଚିତ ଭାବେ ସୀମା ପ୍ରତି ବିପଦ ବଢ଼ିବ ବୋଲି ବୁଦ୍ଧିଜୀବୀ ମହଲ ମତବ୍ୟକ୍ତ କରିଛନ୍ତି।
Comments are closed.