ଜୀବଜନ୍ତୁଙ୍କ ପର୍ଯ୍ୟଟନ ଆରମ୍ଭ

କିଛି ମାସ ପୂର୍ବର ସ୍ଥିତିକୁ ମନେପକାନ୍ତୁ। ପୂରା ବିଶ୍ବ ଯେପରି ଆମ ମନୁଷ୍ୟଙ୍କ ଅକ୍ତିଆରରେ ଥିଲା। ଏବେ କିନ୍ତୁ ଭାଇରସ୍‌୍ କବଳରୁ ରକ୍ଷା ପାଇବା ନିମନ୍ତେ ସମସ୍ତେ ଘରେ ରହି ସଂଗ୍ରାମ ଚଳାଇଛନ୍ତି। ଦେଶବିଦେଶ ଭ୍ରମଣ କରି ଆମେ ମଜା କରୁଥିଲୁ। ଏସବୁ ଭିତରେ କିନ୍ତୁ ପ୍ରକୃତିର ନିୟମକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲୁ କହିଲେ ଚଳେ। ବଣଜଙ୍ଗଲ କାଟି ପଦା କରି ଚାଲୁଥିଲୁ, ବନ୍ୟପ୍ରାଣୀଙ୍କ ସମ୍ପର୍କରେ ଭାବିବା ନିମନ୍ତେ ମୁହୂର୍ତ୍ତେ ସମୟ ନଥିଲା। ଆଜି ମଣିଷ ଘରେ ଥିବାବେଳେ ବଣଜଙ୍ଗଲରୁ ଜୀବଜନ୍ତୁ ରାସ୍ତା ଉପରେ ପର୍ଯ୍ୟଟନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଦିଲ୍ଲୀର ନୋଏଡା ରାସ୍ତାରେ ଏବେ ମୟୂର, ନୀଳଗାଈ ଚଳଳପ୍ରଚଳ ଆରମ୍ଭ କରିଦେଇଛନ୍ତି। କେରଳର ରାଜରାସ୍ତାରେ ହାତୀ ଦଳଦଳ ହୋଇ ଭ୍ରମଣ କରୁଛନ୍ତି। ବିହାରର ବୈଶାଳୀ ଜିଲାରେ ଚିତା ବାଘର ଆତଙ୍କରେ ଲୋକେ ଭୟଭୀତ। କେବଳ ଭାରତ ନୁହେଁ, ବିଦେଶୀ ରାଇଜର ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ବଣୁଆ ବିଲୁଆ ସ୍ପେନ୍‌ ରାସ୍ତାରେ ବୁଲୁଥିବାବେଳେ ବୈଜ୍ଞାନିକଙ୍କ ମତରେ ଏହି ଜୀବଜନ୍ତୁ ମଧ୍ୟ ନିଜକୁ ସୁରକ୍ଷିତ ମନେକଲେଣି। ଦୂରଦୂର ପର୍ଯ୍ୟନ୍ତ ମଣିଷର ବାସ୍ନା ଏମାନେ ବାରିପାରୁନାହାନ୍ତି। ଏଣୁ ଏଇ ସମୟକୁ ସେମାନେ ଉପଭୋଗ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି।

Comments are closed.