www.samajalive.in
Thursday, November 13, 2025
18.1 C
Bhubaneswar

ଡାକ୍ତରଙ୍କୁ ଦେଖାଇବା ପାଇଁ ଧାଡ଼ିରେ ହେଲମେଟ୍‌, ବ୍ୟାଗ୍

ଅନୁଗୁଳ: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସୁପରସ୍ପେଶାଲିଟି ବିଭାଗରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ମୁଖ୍ୟ ଚିକିତ୍ସାଳୟରେ ଜଣେ ହେଲେ ସୁପରସ୍ପେଶାଲିଟି ବିଭାଗରେ ବିଶେଷଜ୍ଞ ଡାକ୍ତର ନଥିବାରୁ ଠିକାରେ ଡାକ୍ତରଙ୍କୁ ଅଣାଯାଇ ରୋଗୀ ଚିକିତ୍ସା କରାଯାଉଛି। ବୁଧବାର ବୃକ୍‌କ ବିଭାଗ (ନେଫ୍ରୋଲୋଜି) ଡାକ୍ତରଙ୍କୁ ଦେଖାଇବା ପାଇଁ ମଙ୍ଗଳବାର ରାତିରୁ ଶହଶହ ରୋଗୀଙ୍କ ଭିଡ଼ ଲାଗିଥିଲା। ଟିକଟ କାଟିବା ପାଇଁ ରାତିରୁ ଅନେକ ରୋଗୀଙ୍କ ସମ୍ପର୍କୀୟ ଧାଡ଼ିରେ ହେଲମେଟ୍‌ ଓ ବ୍ୟାଗ୍ ରଖି ବାହାରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ବୁଧବାର ସମେତ ଅନ୍ୟ ଦିନମାନଙ୍କରେ ମଧ୍ୟ ସୁପରସ୍ପେଶାଲିଟି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ବହୁ ରୋଗୀ ସମ୍ପର୍କୀୟମାନେ ପୂର୍ବଦିନ ରାତିରୁ ଏମିତି ଧାଡ଼ିରେ ବ୍ୟାଗ୍ ଓ ଅନ୍ୟ ସାମଗ୍ରୀ ରଖି ଟିକଟ କାଟୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ହେଲେ ସୁପରସ୍ପେଶାଲିଟି ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ। ପ୍ରତିଦିନ ଜଣେ ଲେଖାଏଁ ଡାକ୍ତରଙ୍କୁ ଦୈନିକ ୨୫ହଜାର ଟଙ୍କା ଦିଆଯାଉଛି। ଏହି ଅର୍ଥ ଜିଲା ଖଣିଜ ପାଣ୍ଠିରୁ ଭରଣା ହେଉଛି। ସୁପରସ୍ପେଶାଲିଟି ଡାକ୍ତର ବହିର୍ବିଭାଗରେ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ମାତ୍ର ୫୦ଜଣ ରୋଗୀ ଦେଖୁଛନ୍ତି। ରୋଗୀ ଦେଖିବା ପରେ ସୁପାରିଶ କରୁଥିବା ବିଭିନ୍ନ ପରୀକ୍ଷା ରିପୋର୍ଟ ନ ଦେଖି ଚାଲିଯାଉଛନ୍ତି। ଯାହାଫଳରେ ବହୁ ଗୁରୁତର ରୋଗୀଙ୍କର ତତ୍କାଳ ଚିକିତ୍ସା ହୋଇପାରୁନାହିଁ। ବୁଧବାର ବୃକ୍‌କ ବିଶେଷଜ୍ଞ ଡାକ୍ତରଙ୍କ ବହିର୍ବିଭାଗ ଥିଲା। ଏଥିପାଇଁ ମଙ୍ଗଳବାର ରାତି ୯ଟାରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାଳୟ ପରିସରରେ ଭିଡ଼ ଲଗାଇଥିଲେ। ଟିକଟ କାଟିବା ପାଇଁ କାଉଣ୍ଟର ସମ୍ମୁଖରେ କିଏ ବ୍ୟାଗ୍ ତ କିଏ ହେଲମେଟ୍‌ ରଖି ନିଜର ସ୍ଥାନ ସଂରକ୍ଷିତ କରି ରଖିଥିଲେ।

- Advertisement -

ବୁଧବାର ସକାଳ ୯ଟା ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ହେଲମେଟ୍‌ ଓ ବ୍ୟାଗ୍ ରହିଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ଣ ୯ଟାରେ ଟିକଟ କାଉଣ୍ଟର ଖୋଲିବା ପରେ ଧାଡ଼ିରେ ହେଲମେଟ୍‌ ଓ ବ୍ୟାଗ୍ ରଖିଥିବା ରୋଗୀ ସମ୍ପର୍କୀୟ ଟିକଟ କାଟି ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ବିଶେଷଜ୍ଞ ଡାକ୍ତର ମାତ୍ର ୫୦ଜଣ ରୋଗୀଙ୍କୁ ଦେଖିବା ପରେ ବହିର୍ବିଭାଗ ଅପରାହ୍ଣ ୧ଟାରେ ବନ୍ଦ ହୋଇଯାଇଥିଲା। ଫଳରେ ୫୦ରୁ ଊର୍ଦ୍ଧ୍ବ ରୋଗୀ ଡାକ୍ତରଙ୍କୁ ଦେଖାଇନପାରି ନିରାଶରେ ଫେରିଯାଇଥିଲେ। ଏହାକୁ ନେଇ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜ୍ୟ ସରକାର ତାଳଚେରରେ ମେଡିକାଲ କଲେଜରେ ସ୍ଥାପନ କରିଥିବାବେଳେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ରୋଗୀସେବା ସୁବିଧା ଉପଲବ୍ଧ କରିଛନ୍ତି। ଏଠାରେ ସୁପରସ୍ପେଶାଲିଟି ଆନ୍ତଃବିଭାଗ ନଥିବାରୁ ଡାକ୍ତରୀ ଛାତ୍ରଛାତ୍ରୀ ଏହିସବୁ ବିଭାଗରେ ରୋଗୀ ଚିକିତ୍ସା ଓ ସେବା କରିବା ସୁଯୋଗରୁ ବଞ୍ଚିତ ହେବେ। ଏ ଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହିତ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସବୁ ସୁପରସ୍ପେଶାଲିଟି ବିଭାଗରେ ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories