www.samajalive.in
Monday, December 15, 2025
17.1 C
Bhubaneswar

ଆଣ୍ଡରସନ୍‍ ୧ନଂ ଟେଷ୍ଟ ବୋଲର ହେଲେ

ଦୁବାଇ : ଇଂଲଣ୍ଡର ଅଭିଜ୍ଞ ଫାଷ୍ଟବୋଲର ଜେମ୍‍ସ ଆଣ୍ଡରସନ୍‍ ଆଇସିସି ଟେଷ୍ଟ ବୋଲର ମାନ୍ୟତାର ଶୀର୍ଷ ସ୍ଥାନ ପୁଣି ହାସଲ କରିଛନ୍ତି। ୩୫ ବର୍ଷ ବୟସ୍କ ଆଣ୍ଡରସନ୍‍ ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ାଙ୍କୁ ପଛରେ ପକାଇ ଦେଇଛନ୍ତି। ଇଂଲଣ୍ଡ କ୍ରିକେଟ ଇତିହାସରେ ସଫଳତମ ଟେଷ୍ଟ ବୋଲର ଆଣ୍ଡରସନ୍‍ ୧୩୮ଟି ଟେଷ୍ଟମ୍ୟାଚ୍‍ରୁ ୫୪୦ଟି ୱିକେଟ ନେଇଛନ୍ତି।
ନିକଟରେ ଘରୋଇ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ରେ ଦୁର୍ବଳ ପ୍ରଦର୍ଶନ କରିବା ଯୋଗୁଁ ଦକ୍ଷିଣ ଆଫ୍ରିକାର ଓପ୍‍ନିଂ ବୋଲର କାଗିସୋ ରାବାଡ଼ାଙ୍କ ମାନ୍ୟତା ନିମ୍ନଗାମୀ ହୋଇଛି। ଏହି ୨ଟି ଟେଷ୍ଟରେ ରାବାଡ଼ା ମୋଟ ୮ଟି ୱିକେଟ ନେଇଥିବା ବେଳେ ସେ ୨ୟ ସ୍ଥାନକୁ ଖସି ଆସିଛନ୍ତି। ଆଣ୍ଡରସନ୍‍ ଏବେ ସର୍ବାଧିକ ୮୯୨ ଽାଙ୍କିଙ୍ଗ୍‍ ପଏଣ୍ଟ ପାଇଥିବା ବେଳେ ରାବାଡ଼ା ତାଙ୍କଠାରୁ କମ୍‍ ୮୮୨ ଽାଙ୍କିଙ୍ଗ୍‍ ପଏଣ୍ଟ ପାଇଛନ୍ତି। ଭାରତୀୟ ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଦେଶର ୩ୟ ପସନ୍ଦର ଟେଷ୍ଟ ସ୍ପିନର ହୋଇଥିଲେ ହେଁ ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ୩ୟ ସ୍ଥାନରେ ରହିଛନ୍ତି। ୮୨୬ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ସ୍ୱିଙ୍ଗ୍‍ ବୋଲର ଭର୍ନନ ଫିଲାଣ୍ଡର ୪ର୍ଥ ସ୍ଥାନରେ ଥିବା ବେଳେ ଜାଡ଼େଜାଙ୍କ ସ୍ପିନ୍‍ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ୫ମ ସ୍ଥାନରେ ରହିଛନ୍ତି। ଅଗଷ୍ଟ ୧ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ଟେଷ୍ଟ ସିରିଜ୍‍ ଖେଳିବାକୁ ଯାଉଥିବା ବେଳେ ଆଣ୍ଡରସନ୍‍ ଓ ରାବାଡ଼ାଙ୍କୁ ପଦଚ୍ୟୁତ କରି ଟେଷ୍ଟ ବୋଲର ମାନ୍ୟତାରେ ପ୍ରଥମ ୨ଟି ସ୍ଥାନ ଦଖଲ କରିବାକୁ ଜାଡ଼େଜା ଓ ଅଶ୍ୱିନଙ୍କ ପାଖରେ ସୁଯୋଗ ରହିଛି। ୬ଷ୍ଠରୁ ୧୦ମ ସ୍ଥାନରେ ଥିବା ବୋଲର ହେଲେ ଅଷ୍ଟ୍ରେଲିଆର ପ୍ୟାଟ୍‍ କମିନ୍‍ସ, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‍ଟ, ଶ୍ରୀଲଙ୍କାର ରଙ୍ଗନା ହେରାଥ୍‍, ନ୍ୟୁଜିଲାଣ୍ଡର ନିଲ୍‍ ୱାଗ୍‍ନର ଓ ଅଷ୍ଟ୍ରେଲିଆର ଜୋସ୍‍ ହାଜେଲ୍‍ଉଡ୍‍। ଶ୍ରୀଲଙ୍କା ବିପକ୍ଷ ୨ଟି ଟେଷ୍ଟରେ ମୋଟ ୧୮ଟି ୱିକେଟ ନେଇଥିବା ଦକ୍ଷିଣ ଆଫ୍ରିକାର ବାମହାତି ସ୍ପିନର କେଶବ ମହରାଜ ୫ଟି ସ୍ଥାନର ଉନ୍ନତିକରି ୧୮ଶ ସ୍ଥାନରେ ପହଞ୍ଚିଛନ୍ତି।
ଆଇସିସି ଟେଷ୍ଟ ବ୍ୟାଟ୍‍ସମ୍ୟାନ୍‍ ତାଲିକାରେ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ପୂର୍ବପରି ୧ନଂ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କଠାରୁ ୨୬ ପଏଣ୍ଟ କମ୍‍ ପାଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ୯୦୩ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି। ଅଗଷ୍ଟ ୧ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍‍ରେ ଭଲ ପ୍ରଦର୍ଶନ କରି କୋହଲି ୧ନଂ ସ୍ଥାନ ହାସଲ କରିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟି ଟେଷ୍ଟରେ ୩୫୬ ରନ୍‍କରି ଶ୍ରୀଲଙ୍କାର ଓପ୍‍ନର ଦିମୁଥ୍‍ କରୁଣାରତ୍ନେ ୩ଟି ସ୍ଥାନର ଉନ୍ନତି ଘଟାଇ ୭ମ ସ୍ଥାନ ଅଧିକାର କରିଛନ୍ତି। ଏହି ସିରିଜ୍‍ରେ ଖେଳିନଥିଲେ ହେଁ ଶ୍ରୀଲଙ୍କାର ଦିନେଶ ଚାନ୍ଦିମାଲ ୨ଟି ସ୍ଥାନର ଉନ୍ନତି ଘଟାଇ ୮ମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡର ଜୋ ରୁଟ୍‍ ୩ୟ ସ୍ଥାନରେ ଥିବା ବେଳେ ନ୍ୟୁଜିଲାଣ୍ଡର କେନ୍‍ ୱିଲିୟମ୍‍ସନ ୪ର୍ଥ, ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ୫ମ ଓ ଭାରତର ଚେତେଶ୍ୱର ପୂଜାରା ୬ଷ୍ଠ ସ୍ଥାନରେ ରହିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାଣେ ୧୯ନଂ ଉଠିଥିବା ବେଳେ କେ.ଏଲ୍‍. ରାହୁଲ ପୂର୍ବ ପରି ୧୮ଶ ସ୍ଥାନରେ ରହିଛନ୍ତି। ଦଳଗତ ମାନ୍ୟତାରେ ଭାରତ ୧ନଂ ସ୍ଥାନ ବଜାୟ ରଖିଥିବା ବେଳେ ଦକ୍ଷିଣ ଆଫ୍ରିକା ୨ୟ, ଅଷ୍ଟ୍ରେଲିଆ ୩ୟ, ନ୍ୟୁଜିଲାଣ୍ଡ ୪ର୍ଥ ଓ ଇଂଲଣ୍ଡ ୫ମ ସ୍ଥାନରେ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories