କୃଷକ ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ-ମୁଖ୍ୟମନ୍ତ୍ରୀ

ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା-୨୦୨୫ ଉଦଘାଟିତ

କେନ୍ଦୁଝରଗଡ଼ : ସମାଜର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛନ୍ତି ଆମର କୃଷକ ସମାଜ। ଯେଉଁମାନେ ଖରା, ବର୍ଷା, ଶୀତକୁ ଭୃକ୍ଷେପ ନକରି ହାଡଭଙ୍ଗା ପରିଶ୍ରମ କରି ଆମ ସମସ୍ତଙ୍କୁ ଆହାର ଦେଇଥାନ୍ତି। ସେମାନଙ୍କ ବିନା ସମାଜର ପରିକଳ୍ପନା କରିବା ଅସମ୍ଭବ। ତେଣୁ, ଅନ୍ନଦାତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ତାହା ସବୁବେଳେ କମ୍‌‌ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ୫ଦିନବ୍ୟାପୀ ଆୟୋଜିତ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଓଡିଶା ଏକ କୃଷିଭିତ୍ତିକ ରାଜ୍ୟ ଭାବେ ୬୦ପ୍ରତିଶତରୁ ଅଧିକ ଲୋକେ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭରଶୀଳ । ଆମ ସରକାର ଆସିବା ମାତ୍ର ୨୪ମିନିଟ ମଧ୍ୟରେ ରାଜ୍ୟର ଚାଷୀ ଭାଇ ଓ ଭଉଣୀଙ୍କ ଆୟରେ ବୃଦ୍ଧିକରିବା ପାଇଁ କୃଷକ ସମୃଦ୍ଧି ଯୋଜନା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଥିଲା। ଯାହା ଆମ ସରକାରଙ୍କ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଥିବା ପ୍ରତିଶ୍ରୁତିବଦ୍ଧତାକୁ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ।

ଜଳବାୟୁ ପରିବର୍ତ୍ତନ, ଅସ୍ଥିର ବଜାର ମୂଲ୍ୟ ଏବଂ ଶ୍ରମିକ ଅଭାବ କୃଷି ଉତ୍ପାଦନକୁ ବାଧା ଦେଇଥାଏ। ସେଥିପାଇଁ ଏହି ମେଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷିକ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କିପରି ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟରୁ କିଛି ହ୍ରାସ କରାଯାଇପାରିବ ଓ ଦକ୍ଷତା, ଉତ୍ପାଦକତା ଏବଂ ଶେଷରେ ଲାଭଦାୟକତା ବୃଦ୍ଧି କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ମେଳା ଆୟୋଜନ କରାଯାଇଛି। ଏହା ଆମର କୃଷି ପଦ୍ଧତିକୁ ଆଧୁନିକୀକରଣ କରିବା ସହିତ ଆମର ଚାଷୀଭାଇମାନଙ୍କୁ ବିଶ୍ୱ ବଜାରରେ ପ୍ରତିଯୋଗୀ ଭାବେ ଗଢ଼ି ତୋଳିବାରେ ସକ୍ଷମ ହେବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥିଲେ।

୨୦୨୫-୨୬ ବଜେଟରେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ବହୁବିଧ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା କରାଯାଇଛି। ସମୃଦ୍ଧ କୃଷକ ଯୋଜନା ଅନ୍ତର୍ଗତ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଅଧିକ ଅର୍ଥ ଇନ୍‌‌ପୁଟ ସହାୟତା ଆକାରରେ ପ୍ରଦାନ କରାଯାଇ କ୍ୟୁଣ୍ଟାଲ ପିଛା ୩୧୦୦ଶହ ଟଙ୍କାରେ ଧାନ କିଣାଯାଉଛି। ଏହି ଯୋଜନାର ବଜେଟ ୫ହଜାର କୋଟିରୁ ୬ହଜାର କୋଟିକୁ ବୃଦ୍ଧି କରାଯାଇଛି।

ସେହିପରି କେନ୍ଦ୍ର ସରକାରଙ୍କ ‘ପିଏମ କିଷାନ’କୁ ରାଜ୍ୟ ଯୋଜନା ‘ସିଏମ କିଷାନ’ ସହିତ ସମ୍ମିଶ୍ରଣ କରାଯାଇ କୃଷକମାନଙ୍କ ଆୟ ବୃଦ୍ଧି ଲକ୍ଷ୍ୟକୁ ସାକାର ପାଇଁ ବଜେଟରେ ୨ହଜାର ୨୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ମାଣ୍ଡିଆ ଚାଷ ଦ୍ୱାରା ଖାଦ୍ୟ ସୁରକ୍ଷା ଓ ପୋଷଣର ଆବଶ୍ୟକତାକୁ ପୂରଣ ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’କୁ ସମସ୍ତ ୩୦ଟି ଜିଲାର ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରାଯିବା ଲକ୍ଷ୍ୟ ନେଇ ବଜେଟରେ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯାଇଛି।

କୃଷି ଯାନ୍ତ୍ରୀକିକରଣ ଓ କୃଷି ଭିତ୍ତିକ ଉଦ୍ୟୋଗର ବିକାଶ ନିମନ୍ତେ ୪୨୫କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ସେହିପରି କୃଷି ଉଦ୍ୟୋଗର ପ୍ରୋତ୍ସାହନ ତଥା ବ୍ୟବସାୟକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ନିମନ୍ତେ ୨୬୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝରଗଡ଼଼ ନଗରପାଳ ନିକୁ ସାହୁ, ଜିଲାପାଳ ବିଶାଲ ସିଂହ,  କୃଷି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଜାମି ସୂର୍ଯ୍ୟା ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ କୃଷି ଯନ୍ତ୍ରପାତି ଓ କୃଷି ଆନୁସଙ୍ଗିକ ଉପକରଣ ପ୍ରଦର୍ଶିତ ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ଏହି ଅବସରରେ ୧୧ଜଣ ସଫଳ ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସୁବିଧା ହସ୍ତାନ୍ତର କରାଯାଇଥିଲା।

Comments are closed.