ଅମୃତ ଯୋଜନା : ଭୁବନେଶ୍ୱର ସମେତ ୨୫ଟି ସହରରେ କାର୍ଯ୍ୟକାରୀ ହେବ ପାଇଲଟ ବ୍ୟବସ୍ଥା

0

ଭୁବନେଶ୍ୱର :  କେନ୍ଦ୍ର ସରକାର ଅମୃତ ଯୋଜନା ଅଧିନରେ ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଆଉ ପାଦେ ଆଗେଇ ନେବା ପାଇଁ ୫ଟି ନୂଆ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି କାର୍ଯ୍ୟକ୍ରମଗୁଡିକ ହେଉଛି   ଇଣ୍ଡିଆ ସ୍ମାର୍ଟ ସିଟି ଫେଲୋସିପ,  ଇଣ୍ଡିଆ ସ୍ମାର୍ଟ ସିଟି ଇଂଟର୍ଣ୍ଣସିପ,  ସ୍ମାର୍ଟ ସିଟି ଡିଜିଟାଲ ପେମେଂଟ ପୁରସ୍କାର-୨୦୧୮,  ସ୍ମାର୍ଟ ସିଟି ନବସୃଜନ, ସମନ୍ୱୟକରଣ ଏବଂ ବିଭିନ୍ନ ଆହ୍ୱାନର ଦୀର୍ଘସ୍ଥାୟୀ ମୁକାବିଲା ତଥା ଲୋକାଲ ଏରିଆ ପ୍ଲାନ ଏବଂ ଟାଉନ ପ୍ଲାନିଂ ସ୍କିମ୍‍।


ସୋମବାର ନୂଆଦିଲ୍ଲୀଠାରେ କେନ୍ଦ୍ର ଆବାସ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏହି ଘୋଷଣା କରିଛନ୍ତି। ଦେଶର ୨୫ଟି ବଛା ବଛା ସହରରେ ପ୍ରଥମେ ପାଇଲଟ ଭିତିରେ ଏହି କାର୍ଯ୍ୟକ୍ରମଗୁଡିକ ଆରମ୍ଭ କରାଯିବ। ଓଡିଶାର ରାଜଧାନୀ ଭୁବନେଶ୍ୱର ଏଥିରେ ସ୍ଥାନ ପାଇଛି।
ଇଣ୍ଡିଆ ସ୍ମାର୍ଟ ସିଟି ଫେଲୋସିପ କାର୍ଯ୍ୟକ୍ରମ ଅଧିନରେ କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ୩୦ଜଣ ସ୍ନାତକ, ସ୍ନାତକୋତର ତଥା ପିଏଚଡି ଡିଗ୍ରୀଧାରି ଛାତ୍ରଛାତ୍ରୀମାନଙ୍କୁ ଏକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ନିୟୋଜିତ କରାଯିବ। ସେମାନେ ସହରାଂଚଳ ଯୋଜନା, ଡିଜାଇନ, ଇଞ୍ଜିନିୟରିଂ, ଆଇଟି, ସହରାଂଚଳ ପରିବହନ ବ୍ୟବସ୍ଥା, ଆର୍ଥିକ ପରିଚାଳନା, ସାମାଜିକ କ୍ଷେତ୍ର ଓ ପରିବେଶଗତ ବିଷୟ ଓ ଆହ୍ୱାନଗୁଡିକ ଉପରେ ଅଧ୍ୟୟନ କରିଥିବା ଆବଶ୍ୟକ। ଫଳରେ ଏହି ଯୁବ ଛାତ୍ରମାନେ ସ୍ମାର୍ଟ ସିଟିର ମିଶନ ନିର୍ଦ୍ଦେଶକ ଅଥବା ସିଇଓଙ୍କୁ ବିଭିନ୍ନ କାର୍ଯ୍ୟରେ ଯେପରିକି ଗବେଷଣା, ତଥ୍ୟ ବିଶ୍ଳେଷଣ, ଦସ୍ତାବିଜକରଣ, ସ୍ୱତନ୍ତ୍ର ମୂଲ୍ୟାୟନ, ରିପୋର୍ଟ ପ୍ରସ୍ତୁତି ଆଦି କାର୍ଯ୍ୟରେ ସହଯୋଗ କରିବେ। ଆଗ୍ରହୀ ଛାତ୍ରଛାତ୍ରୀମାନେ ୩୧ ଅଗଷ୍ଟ, ୨୦୧୮ ସୁଦ୍ଧା https://smartnet.niua.org ୱେବସାଇଟ ଜରିଆରେ ଆବେଦନ କରିପାରିବେ।
ଇଣ୍ଡିଆ ସ୍ମାର୍ଟ ସିଟି ଇଂଟର୍ଣ୍ଣସିପ କାର୍ଯ୍ୟକ୍ରମ ମାଧ୍ୟମରେ ଅଣ୍ଡର ଗ୍ରାଜୁଏଟ, ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ ଛାତ୍ରମାନଙ୍କୁ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ସାମିଲ କରାଯିବ। ସେମାନେ ୬ ରୁ ୧୨ ସପ୍ତାହ ପର୍ଯ୍ୟନ୍ତ ବିନା ପାରିଶ୍ରମିକରେ କାମ କରିବେ। କିନ୍ତୁ ସଫଳତାର ସହ ଇଂଟର୍ଣ୍ଣସିପ ସମ୍ପୂର୍ଣ୍ଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନୁଭୂତି ପ୍ରମାଣପତ୍ର ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଇଂଟର୍ଣ୍ଣସିପ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟ ସିଟିରେ ସହରାଂଚଳ ଯୋଜନା, ଡିଜାଇନ, ସୂଚନା ପ୍ରଯୁକ୍ତି ସେବା, ସହରାଂଚଳ ପରିବହନ, ଆର୍ଥିକ ପରିଚାଳନା, ସାମାଜିକ କ୍ଷେତ୍ର ଏବଂ ପରିବେଶଗତ ଦିଗଗୁଡିକ ଉପରେ ଅନୁଭୂତି ମିଳିପାରିବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ବର୍ଷର ଯେ କୌଣସି ସମୟରେ https://smartnet.niua.org ୱେବସାଇଟରେ ଆବେଦନ କରିପାରିବେ।
ସ୍ମାର୍ଟ ସିଟି ଡିଜିଟାଲ ପେମେଂଟ ପୁରସ୍କାର ୨୦୧୮ ଅଧିନରେ ସହରାଂଚଳ ବାସିନ୍ଦାମାନଙ୍କ ପାଇଁ ଜୀବନଧାରଣ ବ୍ୟବସ୍ଥାକୁ ସହଜ କରିବାର ଡିଜିଟାଲ ପଦ୍ଧତିମାନ ପ୍ରଚଳନ କରାଯିବ। ଡିଜିଟାଲ ଦେୟ / ପୈଠ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଥିବା, ଏଥିଲାଗି ଉନ୍ନତ ଭିତିଭୂମି ଏବଂ ନାଗରିକମାନଙ୍କୁ ଏଦିଗରେ ସକ୍ରିୟ ସହାୟତା କରୁଥିବା ପରିମାପକ ଆଧାରରେ ସ୍ମାର୍ଟ ସିଟିଗୁଡିକୁ ପୁରସ୍କୃତ କରିବାର ବ୍ୟବସ୍ଥା ହୋଇଛି। ଏହି ପୁରସ୍କାର ବ୍ୟବସ୍ଥା ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ଏବଂ କେନ୍ଦ୍ର ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ମୂଲ୍ୟାୟନ କମିଟି ପୁରସ୍କାର ଲାଗି ବିଭିନ୍ନ କାର୍ଯ୍ୟାନ୍ୱୟନ ପରିମାପକର ମୂଲ୍ୟାୟନ କରିବେ।
ଡିଜିଟାଲ ପେମେଂଟ ବ୍ୟବସ୍ଥା ଲାଗୁ କରିବା କ୍ଷେତ୍ରରେ ଶ୍ରେଷ୍ଠ ପଦ୍ଧତି ଅବଲମ୍ବନ, ଡିଜିଟାଲ ପେମେଂଟ କ୍ଷେତ୍ରରେ ଶ୍ରେଷ୍ଠ ନବସୃଜନ ଏବଂ ଡିଜିଟାଲ ପେମେଂଟ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା ଅଭିବୃଦ୍ଧିଶୀଳ ସ୍ମାର୍ଟ ସିଟି ପାଇଁ ୧୨ଟି ବିଭିନ୍ନ କ୍ଷେତ୍ରରେ ପୁରସ୍କାରମାନ ପ୍ରଦାନ କରାଯିବ।
ନୀତି ଆୟୋଗଙ୍କ ମାର୍ଗଦର୍ଶିକା ଅନୁସାରେ ଭାରତ-ଫ୍ରାନ୍ସ ସହଯୋଗିତା କାର୍ଯ୍ୟକ୍ରମ ଜରିଆରେ ୧୫ଟି ପ୍ରକଳ୍ପକୁ କାର୍ଯ୍ୟାନ୍ୱୟନ ପାଇଁ ବଛାଯିବ। ଏହିସବୁ ପ୍ରକଳ୍ପ ମାଧ୍ୟମରେ ସହରାଂଚଳ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା, ଉନ୍ମୁକ୍ତ ସରକାରୀ ଜାଗାର ପରିଚାଳନା, ସହରାଂଚଳ ପ୍ରଶାସନିକ ବ୍ୟବସ୍ଥା, ଆଇସିଟି ପଦ୍ଧତିର ରୂପାୟନ, ନିମ୍ନ ଆୟକାରୀ ବର୍ଗର କଲ୍ୟାଣ ପାଇଁ ସାମାଜିକ ଓ ଅନୁଷ୍ଠାନଗତ ନବସୃଜନ ଉପରେ ଗୁରୁତ୍ୱ ଦିଆଯିବ। ଏହି କାର୍ଯ୍ୟକ୍ରମର ଅବଧି ରହିବ ୩ ବର୍ଷ – ୨୦୧୮-୧୯ ରୁ ୨୦୨୦-୨୧।
ପ୍ରତ୍ୟେକ ପୁରସ୍କୃତ ସହରକୁ ଦକ୍ଷତା ଆଧାରରେ ୨୦ ରୁ ୮୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ଅନୁଦାନ ମିଳିବ।
ଲୋକାଲ ଏରିଆ ପ୍ଲାନ ଏବଂ ଟାଉନ ପ୍ଲାନିଂ ସ୍କିମ ଅଧିନରେ ଏକ ସ୍ମାର୍ଟ ସିଟିର ବିକଶିତ ହୋଇଥିବା ଏପରି ଅଂଚଳକୁ ବଛାଯିବ ଯେଉଁଠି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ସହର ଆଧାରରେ ଆହୁରି ଅଧିକ ସଂରଚନା କ୍ଷେତ୍ରର ଆବଶ୍ୟକତା ରହିଛି। ସେହି ସବୁ ଅଂଚଳକୁ ଅଗ୍ରାଧିକାର ଭିତିରେ ପୁନଃବିକାଶ କରାଯିବ, ଯାହାପାଇଁ ନୂତନ ଲୋକାଲ ଏରିଆ ପ୍ଲାନ ଏବଂ ଟାଉନ ପ୍ଲାନ ଲାଗୁ କରାଯିବ। ଏଥିଲାଗି ପ୍ରତ୍ୟେକ ସହରକୁ ୨ କୋଟି ଟଙ୍କା ଲେଖାଏଁ ତିନୋଟି କିସ୍ତିରେ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ। ପ୍ରାଥମିକ ପ୍ରସ୍ତାବ ପାଇଁ ୨୦ ପ୍ରତିଶତ, ଚିଠା ଯୋଜନା ପାଇଁ ୪୦ ପ୍ରତିଶତ ଏବଂ ଚୁଡାନ୍ତ ଯୋଜନା ଦାଖଲ ପରେ ଅବଶିଷ୍ଟ ୪୦ ପ୍ରତିଶତ ସହାୟତା ପ୍ରଦାନ କରାଯିବ।
ଏହି ଯୋଜନାର କାର୍ଯ୍ୟକାରିତା ଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ସମ୍ପୃକ୍ତ ୨୫ଟି ରାଜ୍ୟକୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆଜିର ଏହି ଘୋଷଣା ସମୟରେ ମନ୍ତ୍ରଣାଳୟର ସଚିବ  ଦୁର୍ଗା ଶଙ୍କର ମିଶ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply