www.samajalive.in
Saturday, December 6, 2025
16.1 C
Bhubaneswar

ଆମେରିକାର କ୍ରୀଡ଼ନକ

ଭୁବନେଶ୍ଵର:  ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବର ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ୧୯୪୪ରେ ଯେଉଁ ଆନ୍ତର୍ଜାତିକ ଅର୍ଥ ବ୍ୟବସ୍ଥାର ଅୟମାରମ୍ଭ ହୋଇଥିଲା ତାହା ବ୍ରେଟନ୍‌ ଉଡ୍‌ ସିଷ୍ଟମ ଭାବେ ପରିଚିତ। ଏଥିରେ ବିନିମୟ ମୁଦ୍ରା ହାରରେ ସ୍ଥିରତା ରକ୍ଷା ଓ ଆନ୍ତର୍ଜାତିକ ବାଣିଜ୍ୟକୁ ସୁଗମ କରିବାର ବ୍ୟବସ୍ଥା କରାଯାଇଥିଲା। ଏଥିରେ ବିଶ୍ବର ପ୍ରମୁଖ ମୁଦ୍ରାଗୁଡ଼ିକ ଆମେରିକୀୟ ଡଲାର ସହିତ ସଂଲଗ୍ନ ହୋଇଥିଲା ଯାହା ‘ଆଡଜଷ୍ଟ ପେଗ୍‌’ ନାମରେ ପରିିଚିତ। ଏହି ବ୍ରେଟନ ଉଡ୍‌ ବ୍ୟବସ୍ଥାକୁ ତଦାରଖ ଓ ପରିଚାଳନା ପାଇଁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଓ ବିଶ୍ବବ୍ୟାଙ୍କ ଗଠିତ ହୋଇଥିଲା। ଇତି ମଧ୍ୟରେ ଏହି ବ୍ୟବସ୍ଥା ବହୁ ଉତ୍‌ଥାନପତନ ଦେଇ ଗତି କରିବାପରେ ୧୯୭୧ରେ ରାଷ୍ଟ୍ରପତି ରିଚାର୍ଡ ନିକ୍ସନଙ୍କ ଶାସନକାଳରେ ନୂଆ ନିୟମ ପ୍ରବର୍ତ୍ତନ ହେଲା। ଏଥିରେ ଡଲାରର ଗୋଲ୍ଡ କନ୍‌ଭର୍ଟିବିଲିଟି ବ୍ୟବସ୍ଥାର ଅବସାନ ଘଟି ଏକ ନୂଆ ଫ୍ଲୋଟିଙ୍ଗ ଏକ୍ସଚେଞ୍ଚ ରେଟ୍‌ ସିଷ୍ଟମ୍‌ ପ୍ରବର୍ତ୍ତନ ହେଲା। ପରିତାପର ବିଷୟ ହେଲା ଏବେ ବ୍ରେଟନ ଉଡ୍ ଚୁକ୍ତିରୁ ଜନ୍ମ ନେଇଥିବା ଦୁଇ ଆନ୍ତର୍ଜାତିକ ବିତ୍ତୀୟ ପ୍ରତିଷ୍ଠାନ ଆଇଏମଏଫ୍‌ ଓ ବିଶ୍ବବ୍ୟାଙ୍କ ଆମେରିକା ଏବଂ ତାହାର ଧନାଢ଼୍ୟ ମିତ୍ରରାଷ୍ଟ୍ରଙ୍କ ନିୟନ୍ତ୍ରଣରେ ରହିଛି। ସେମାନେ ଯାହାକୁ ଚାହୁଁଛନ୍ତି ତାଙ୍କୁ ଅର୍ଥ ଓ ଅନ୍ୟାନ୍ୟ ସହାୟତା ଦେଉଛନ୍ତି। ପାକିସ୍ତାନ ଭଳି ଏକ ବିଫଳ ରାଷ୍ଟ୍ର ତାହାର ସଦ୍ୟତମ ଉଦାହରଣ।
ଏହି ଦୁଇ ସଂଗଠନ ମୁକ୍ତ ଓ ଅବାଧ ବାଣିଜ୍ୟର ପକ୍ଷଧର ହେବା ପରିବ‌େ‌ର୍ତ୍ତ ଆମେରିକାର ବାଣିଜ୍ୟ ଓ ସ୍ବାର୍ଥକୁ ସୁରକ୍ଷା ଦେବାଭଳି ପଦକ୍ଷେପ ନେବା ଦୁର୍ଭାଗ୍ୟଜନକ। ଟ୍ରମ୍ପ ସରକାର ଭାରତ ସମେତ ବିଭିନ୍ନ ଦେଶ ବିରୋଧରେ ଏବେ ଯେଉଁ ମାତ୍ରାଧିକ ଟାରିଫ ବା ଶୁଳ୍ପ ଲଗାଇଛନ୍ତି ସେଥିରେ ଆମେରିକାକୁ ସାମଗ୍ରୀ ରପ୍ତାନିକାରୀ ଦେଶସମୂହ ବିଶେଷ କ୍ଷତିଗ୍ରସ୍ତ ହେବେ। ଯାହା ଜଣାପଡ଼ୁଛି ଏହି ଦୁଇ ସଂସ୍ଥା ସେମାନଙ୍କର ମୌଳିକ ଲକ୍ଷ୍ୟ ଓ ଆଦର୍ଶ ଭୁଲି ଏବେ ଆମେରିକା ଓ ଟ୍ରମ୍ପଙ୍କ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ତତ୍ପର। ଏହି ଦୁଇ ସଂସ୍ଥାରେ ଆମେରିକାର ଉପସ୍ଥିତି ତାହାର ଅନ୍ତର୍ନିହିତ ଅର୍ଥନୀତିକ ସ୍ବାର୍ଥକୁ ପ୍ରତିଫଳିତ କରୁଛି। ଏହା ଫଳରେ ଆଇଏମ୍‌ଏଫ୍‌ ଓ ବିଶ୍ବବ୍ୟାଙ୍କ ବିଶ୍ବ ଅର୍ଥନୀତିର ସାମଗ୍ରିକ ସ୍ବାର୍ଥ ଓ ସ୍ଥିରତା ପ୍ରତି ଆବଶ୍ୟକ ନଜର ଦେଇ ପାରୁନାହିଁ। ଏହି ମୌଳିକ ଦାୟିତ୍ବକୁ ସଂପୃକ୍ତ ଦୁଇ ସଂସ୍ଥା ଭୁଲିଯିବା ବା ଉପେକ୍ଷା କରିବା ଠିକ୍‌ ନୁହେଁ।
ଆଜିର ସମୟରେ ଆନ୍ତର୍ଜାତିକ ଅର୍ଥନୀତି ଓ ବାଣିଜ୍ୟନୀତି ବାସ୍ତବବାଦୀ, ସମୟୋପଯୋଗୀ ଏବଂ ନ୍ୟାୟୋଚିତ ହେବା ଆବଶ୍ୟକ। ଏଥିରେ କୌଣସି ଦେଶ ବା ଶକ୍ତିର ବଡ଼ଭାଇ ପଣିଆ ବା ବାଛବିଚାରର ଅବକାଶ ନାହିଁ। ଆମେ କିନ୍ତୁ ଦେଖୁଛୁ ଯେ ଆମେରିକାର ଘରୋଇ ନୀତି ମୁଦ୍ରାପାଣ୍ଠି ଓ ବିଶ୍ବବ୍ୟାଙ୍କ୍‌ରେ ପ୍ରତିଫଳିତ ହେଉଛି। ଟ୍ରମ୍ପ ପ୍ରଶାସନର ଭୂମିକା ଏକ ଜଟିଳ ସ୍ଥିତି ସୃଷ୍ଟି କରିଛି। ଆହୁରି ମଧ୍ୟ ଯେଉଁ ଦେଶ ଏହି ଦୁଇ ସଂଗଠନକୁ ଅଧିକ ଅନୁଦାନ ଦେଉଛନ୍ତି ସେମାନଙ୍କର ପ୍ରଭାବ ଏଥିରେ ଅଧିକ ରହୁଛି। ଫଳରେ ଏହା ସ୍ବଳ୍ପୋନ୍ନତ ଏବଂ କମ୍‌ ଅନୁଦାନ ଦେଉଥିବା ସଭ୍ୟ ରାଷ୍ଟ୍ରଙ୍କ ସ୍ବାର୍ଥରକ୍ଷା ଦିଗରେ ବିଶେଷ ତତ୍ପରତା ଦେଖାଉନାହିଁ। ବୈଶ୍ବିକ ଅର୍ଥନୀତିକ ପ୍ରଶାସନରେ ଅଳ୍ପକିଛି ପ୍ରଭାବଶାଳୀ ରାଷ୍ଟ୍ରଙ୍କ ପ୍ରଭୁତ୍ବ ଗ୍ରହଣୀୟ ନୁହେଁ। ତଦ୍ଦ୍ବାରା ଏହି ଦୁଇ ସଂଗଠନର ମୌଳିକ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଏହାକୁ ଗତିଶୀଳ ଏବଂ ଯଥାର୍ଥ କରାଯିବା ଆବଶ୍ୟକ। ଆମେରିକା ହାତରେ ଏ ଦୁଇ ସଂସ୍ଥା କ୍ରୀଡ଼ନକ ନ ହେଉ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories