ଓଡ଼ିଶା ହେବ ୧ ନମ୍ବର, ଗାଁ ହେବ ବିକାଶର କେନ୍ଦ୍ର

0

ଭୁବନେଶ୍ବର: ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଗାଁର ବିକାଶ ଉପରେ ଗୁରୁତ୍ବ ଦେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମ। ଗ୍ରାମାଞ୍ଚଳର ସର୍ବାଙ୍ଗୀଣ ବିକାଶ ଏହି କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ। ଗାଁ ଓ ସହର ମଧ୍ୟରେ ବିକାଶର ଦୂରତ୍ବ ହ୍ରାସ କରିବା ସହ ଗାଁକୁ ବିକାଶର କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ଏହି କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଗତ ୫ ମାସ ମଧ୍ୟରେ ଏହା ବେଶ ଲୋକପ୍ରିୟ ହୋଇପାରିଛି। ଗ୍ରାମାଞ୍ଚଳର ବିକାଶ ଧାରାରେ ସାମିଲ ହେବା ପାଇଁ ଲୋକଙ୍କ ମଧ୍ୟରେ ଏହା ସୁଯୋଗ ସୃଷ୍ଟି କରି ପାରିଛି। ଲୋକଙ୍କ ଦ୍ବାରା ଏବଂ ଲୋକଙ୍କ ପାଇଁ ହେଉଥିବା ଏହି କାର୍ୟ୍ୟକ୍ରମ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶକୁ ଆହୁରି ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକଟ କରିଛନ୍ତି। ଗାଁର ବିକାଶ ପାଇଁ ମାର୍ଚ୍ଚ ୫ ତାରିଖ ବିଜୁବାବୁଙ୍କ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମରେ ଏପର୍ୟ୍ୟନ୍ତ ୨୧,୯୬୦ଟି ପ୍ରକଳ୍ପ ପାଇଁ ୫୪୭କୋଟି ୭୪ଲକ୍ଷ ୧୫ହଜାର ୪୦୦ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।
ଆଜି ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମ ରାଜ୍ୟର ୧୦୧ଟି ବ୍ଲକରେ ପହଞ୍ଚିଛି। ଗଞ୍ଜାମ ଜିଲାର ଧରାକୋଟ ବ୍ଲକ ଥିଲା ଏହି କାର୍ୟ୍ୟକ୍ରମର ୧୦୦ତମ ବ୍ଲକ। ମଙ୍ଗଳବାର ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଗ୍ରାମବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ‘ଆପଣଙ୍କ ଗାଁର ଉନ୍ନତି ପାଇଁ ଆପଣମାନେ ପଠାଇଥିବା ପ୍ରକଳ୍ପକୁ ମୁଁ ମଞ୍ଜୁର କରିଛି। ଆପଣମାନେ ଖୁସି ତ?’ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନର ଉତ୍ତରରେ ସମବେତ ହଜାର ହଜାର ଗ୍ରାମବାସୀ ଏକ ସ୍ବରରେ କହିଥିଲେ,‘ହଁ ଆମେ ବହୁତ ଖୁସି। ’ ମୁଖ୍ୟମନ୍ତ୍ରୀ କହିଥିଲେ, ଏ ଟଙ୍କା ଆପଣମାନଙ୍କର, ରାଜ୍ୟବାସୀଙ୍କର। ଆପଣମାନେ ଭଲ କାମ କରନ୍ତୁ ଏବଂ ଶୀଘ୍ର କରନ୍ତୁ। ମୁଖ୍ୟମନ୍ତ୍ରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନା ସମସ୍ତଙ୍କୁ ଉତ୍ସାହିତ କରିଥିଲା। ଲୋକମାନେ ବେଶ୍ ଖୁସି ଥିଲେ।
ଏହି କାର୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟିର ଏକ ସଫଳ ଉଦାହରଣ। ପ୍ରଯୁକ୍ତି ବିଦ୍ୟା(ଟେକ୍ନୋଲୋଜି) ଦ୍ବାରା ମୁଖ୍ୟମନ୍ତ୍ରୀ ଗାଁ ଲୋକଙ୍କ ପାଖରେ ପହଞ୍ଚିପାରୁଥିବା ବେଳେ ଗାଁର ବିକାଶ ପାଇଁ ସବୁ ଲୋକ ଗୋଟିଏ ଜାଗାରେ ଏକାଠି ହେବା ହେଉଛି ଟିମ୍ ୱାର୍କର ପ୍ରତୀକ। ଆଗରୁ ଗାଁକୁ ଆସୁଥିବା ଟଙ୍କା ବିଷୟରେ ଅଳ୍ପ କିଛି ଲୋକ ଜାଣିପାରୁଥିଲେ। ଏବେ ମଞ୍ଜୁର ହେଉଥିବା ସବୁ ପ୍ରକଳ୍ପକୁ ହଜାର ହଜାର ଲୋକ ଏକ ସମୟରେ ଜାଣିପାରୁଛନ୍ତି। ଏହା ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତାର ପ୍ରତୀକ। ତେଣୁ ଏହି କାର୍ୟ୍ୟକ୍ରମ ଥ୍ରୀ-ଟି ମନ୍ତ୍ରର ଶ୍ରେଷ୍ଠ ନିଦର୍ଶନ ହୋଇପାରିଛି।
ଆଜିର କାର୍ୟ୍ୟକ୍ରମରେ ୬ଟି ଜିଲାର ୬ଟି ବ୍ଲକ ଅନ୍ତର୍ଗତ ୧୪୭ଟି ପଞ୍ଚାୟତର ଗ୍ରାମବାସୀ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ତରଭା ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୩.୫୯କୋଟି ଟଙ୍କାର ୧୪୧ଟି ପ୍ରକଳ୍ପ, ବସ୍ତା ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୭.୧୫କୋଟି ଟଙ୍କାର ୩୨୩ଟି, ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୮.୭୯କୋଟି ଟଙ୍କାର ୩୧୭ଟି, ଆଗଲପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୫.୨୫କୋଟି ଟଙ୍କାର ୨୬୨ଟି, ଧରାକୋଟ ବ୍ଲକର ୧୮ଟି ପଞ୍ଚାୟତ ପାଇଁ ୪.୫୦କୋଟି ଟଙ୍କାର ୧୨୬ଟି ଏବଂ ଝରିଗାଁ ବ୍ଲକର ୨୨ଟି ପଞ୍ଚାୟତ ପାଇଁ ୫.୩୫କୋଟ ିଟଙ୍କାର ୨୫୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ୬ଟି ବ୍ଲକର ୧୪୭ଟି ପଞ୍ଚାୟତ ପାଇଁ ୩୪,୪୫୬ କୋଟି ଟଙ୍କାର ୧୪୧୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ୟ୍ୟକ୍ରମରେ ମନ୍ତ୍ରିପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ, ସଂପୃକ୍ତ ଜିଲାର ଜିଲାପାଳ ଏବଂ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply