କଟକ : ଭିନଟେଜ୍ କ୍ଳବ ଭୁବନେଶ୍ବରରେ ଚାଲିଥିବା ଗ୍ରୀନ ବ୍ଲିଜ କ୍ଲାସିକ ନିଖିଳ ଓଡ଼ିଶା ଓପନ ସ୍ନୁକର ଚମ୍ପିଆନସିପ୍ ଉଦ୍ଯାପିତ ହୋଇଯାଇଛି। ଏଥିରେ ଡ. ରାକେଶ ରୋଶନ ପ୍ରଧାନ ଚମ୍ପିଆନ ଓ ଆକାଶ ମହାପାତ୍ର ରନର୍ସଅପ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲରେ ଡ. ରାକେଶ ରୋଶନ ୬-୩ (୨୪-୬୫, ୨୫-୭୫, ୬୭-୩୪, ୬୩-୩୦,୪୮-୦୭, ୭୭-୧୩, ୨୨-୬୬, ୫୭-୪୮, ୬୧-୫୧)ରେ ଆକାଶ ମହାପାତ୍ରଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ଡ. ରାକେଶ ରୋଶନଙ୍କ ଏହା ୫ମ ରାଜ୍ୟ ସ୍ନୁକର ଟାଇଟଲ।
ପୁରସ୍କାର ବିତରଣୀ ଉତ୍ସବରେ ବିଲିୟାର୍ଡସ ସ୍ନୁକର ଆସୋସିଏସନର ଅଫ ଓଡ଼ିଶାର କର୍ମକର୍ତ୍ତା ସମୀର ଅଲ୍ଲୀ, ଗୋବିନ୍ଦ ଶର୍ମା, ଭିନ୍ଟେଜ କ୍ଳବ ତତ୍ତ୍ବାବଧାରକ ଅମୀୟ ନାୟକ, ସତ୍ୟଦୀପ୍ ଦାସ ଯୋଗ ଦେଇ ଡ. ରାକେଶ ରୋଶନଙ୍କୁ ୧୫ ହଜାର ଟଙ୍କା ସହ ଟ୍ରଫି, ରନର୍ସଅପ ଆକାଶ ମହାପାତ୍ରଙ୍କୁ ୮୦୦୦ ହଜାର ଟଙ୍କା ସହ ଟ୍ରଫି, ସେମିଫାଇନାଲରେ ପରାଜିତ ଖେଳାଳିଙ୍କୁ ୪୦୦୦ ଟଙ୍କା ଲେଖାଏଁ, କ୍ବାର୍ଟର ଫାଇନାଲରେ ପରାଜିତ ଖେଳାଳିଙ୍କୁ ୨୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଚମ୍ପିଆନ ସମେତ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ବିଲିୟାର୍ଡସ ସ୍ନୁକର ଆସୋସିଏସନର ଅଫ ଓଡ଼ିଶାର ସଭାପତି ତାରା ରଞ୍ଜନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁର୍ଣ୍ଣାମେଣ୍ଟ ନିର୍ଦେଶକ ଗୋବିନ୍ଦ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।



