ବିରାଟଙ୍କ ଜର୍ସି ସର୍ବାଧିକ ୪୦ ଲକ୍ଷ ଟଙ୍କାରେ ନିଲାମ, ରୋହିତଙ୍କ ବ୍ୟାଟ୍‌ ୨୪ ଓ ଧୋନିଙ୍କ ବ୍ୟାଟ୍‌ ୧୩ ଲକ୍ଷ ଟଙ୍କାରେ ବିକ୍ରି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଲୋକେଶ ରାହୁଲ ଓ ପତ୍ନୀ ଆଥିଆ ସେଟ୍ଟିଙ୍କ ଦ୍ବାରା ନିକଟରେ କ୍ରିକେଟ ଫର ଚାରିଟି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜର ଗରିବ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ଭିପ୍‌ଲା ସଂଗଠନକୁ ସାହାଯ୍ୟ ଉଦ୍ଦେଶ୍ୟରେ ତାରକା କ୍ରିକେଟରଙ୍କ ଜର୍ସି ଓ ଅନ୍ୟାନ୍ୟ କ୍ରିକେଟ ସରଞ୍ଜାମ ନିଲାମ କରା ଯାଇଥିଲା। ଏହି ନିଲାମରେ ବହୁ ପ୍ରସିଦ୍ଧ କ୍ରିକେଟର ସେମାନଙ୍କ ଜର୍ସି, ବ୍ୟାଟ୍‌, ଗ୍ଲୋଭ୍‌ସକୁ ସାମିଲ କରିଥିଲେ।

ସେଥିମଧ୍ୟରୁ ଭାରତର ତାରକା ବ୍ୟାଟ୍‌ସମ୍ୟାନ ବିରାଟ କୋହଲିଙ୍କ ଜର୍ସି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ବିରାଟ କୋହଲିଙ୍କ ଜର୍ସିରେ ସବୁଠାରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା। ସେହିପରି ବିରାଟଙ୍କ ଗ୍ଲୋଭ୍‌ସ ମଧ୍ୟ ୨୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ ୨୪ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବ୍ୟାଟ୍‌ ୧୩ ଲକ୍ଷ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ବ୍ୟାଟ୍‌ ୧୧ ଲକ୍ଷ ଓ ଲୋକେଶ ରାହୁଲଙ୍କ ଜର୍ସି ୧୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା।

ଲୋକେଶ ରାହୁଲ ଓ ଆଥିଆ ସେଟ୍ଟିଙ୍କ ଦ୍ବାରା ଆୟୋଜିତ ନିଲାମ ଅଭିଯାନରେ ଯଶପ୍ରୀତ୍‌ ବୁମ୍‌ରା,ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କ ସମେତ ବିଦେଶୀ କ୍ରିକେଟର ଭାବେ ଜୋଶ ବଟ୍‌ଲର,କ୍ବିଣ୍ଟନ ଡି କକ୍‌ ଓ ନିକୋଲାସ ପୁରନ ମଧ୍ୟ ଏହି ଅଭିଯାନର ଏକ ଅଂଶ ହୋଇଛନ୍ତି। କ୍ରିକେଟ ଫର ଚାରିଟି ନିଲାମରେ ମୋଟ୍‌ ୧ କୋଟି ୯୩ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରାଯାଇଛି। ନିଲାମରେ ଆଶା ଅନୁଯାୟୀ ଅର୍ଥ ସଂଗ୍ରହ ହୋଇଛି। ଉକ୍ତ ଅର୍ଥ ଅଭାବୀ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟବହୃତ ହେବ ବୋଲି ରାହୁଲ କହିଛନ୍ତି।

Comments are closed.