କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରତ୍ନତତ୍ତ୍ଵ ବିଭାଗ, ୯ମାସ ହେଲା ଆଖଣ୍ଡଳମଣି ମନ୍ଦିର ଚୂଡାର ବଙ୍କା ତ୍ରିଶୂଳରେ ଲାଗି ହେଉଛି ନେତ
ଆରଡି: ରାଜ୍ୟର ପୁରାତନ ଶୈବପୀଠ ମଧ୍ୟରେ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଅନ୍ୟତମ। ମଣିବାବାଙ୍କ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ଵ ରାଜ୍ୟ ପ୍ରତ୍ନତ୍ତତ୍ବ ବିଭାଗ ହାତରେ ରହିଛି। ଏଥିପାଇଁ ପୂର୍ବରୁ ପ୍ରତ୍ନତ୍ତତ୍ବ ବିଭାଗ ପକ୍ଷରୁ ଜଣେ କର୍ମଚାରୀ ନିୟୋଜିତ ରହିଥିଲେ। ହେଲେ ୯ମାସ ତଳେ ଅର୍ଥାତ ମାର୍ଚ୍ଚ ୧୩ରେ ଘୂର୍ଣ୍ଣିଝଡ ବର୍ଷାରେ ମଣିବାବାଙ୍କ ମନ୍ଦିର ଦଧିନଉତିରେ ଲାଗିଥିବା ତ୍ରିଶୂଳ ବାମପାର୍ଶ୍ବକୁ ବଙ୍କିଯାଇଥିଲା। ଦଧିନଉତିରେ ବଙ୍କି ଯାଇଥିବା ତ୍ରିଶୂଳର ମରାମତି ନିମନ୍ତେ ଭଦ୍ରକ ଜିଲା ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟିଙ୍କ ପକ୍ଷରୁ ଚିଠି ନଂ ୪୬୨ଦ୨୪ରେ ଜଣାଯାଇଥିଲା। ଇତିମଧ୍ୟରେ ୯ମାସ ବିତିଯାଇଥିଲେ ମଧ୍ୟ ପ୍ରତ୍ନତ୍ତତ୍ବ ବିଭାଗ ପକ୍ଷରୁ ମରାମତି ତ ଦୂରର କଥା ଯାଞ୍ଚ ବି କରାଗଲା ନାହିଁ। ଫଳରେ ୯ମାସ ହେଲା ମଣିବାବାଙ୍କ ମନ୍ଦିର ଚୂଡାର ବଙ୍କା ତ୍ରିଶୂଳରେ ନେତ ଲାଗି କରାଯାଉଛି। ଯାହାକୁ ନେଇ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତଙ୍କ ସହ ମନ୍ଦିରର ସେବାୟତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏବେ ପୀଠରେ କାର୍ତ୍ତିକବ୍ରତ ଥିବାରୁ ବହୁ ମାନସିକଧାରୀ ଭକ୍ତ ମଣିବାବାଙ୍କ ମନ୍ଦିରରେ ନେତ ଲାଗି କରୁଛନ୍ତି। ତ୍ରିଶୂଳ ବଙ୍କା ରହିଥିବାରୁ ଭୟରେ ନେତଲାଗି ପାଇଁ ସେବାୟତମାନେ ମନ୍ଦିର ଚୂଡାକୁ ଯାଉନାହାନ୍ତି। ତାହାସହ ମନ୍ଦିର ଦଧିନଉତିକୁ ଲାଗି ଥିବା ଚେନ ମଧ୍ୟ ହୁଗୁଳି ଗଲାଣି। ମନ୍ଦିର ଅଳାଁଠାରେ ବଡବଡ ଅଶ୍ଵସ୍ତ ଓ ବରଗଛ ଉଠିଥିବାରୁ ଫାଟ ସୃଷ୍ଟି ହେଲାଣି। ପ୍ରତ୍ନତ୍ତତ୍ବ ବିଭାଗର ଅଣଦେଖା ଯୋଗୁ ଏପରି ସମସ୍ୟା ଦେଖା ଦେଇଥିବା କହିଛନ୍ତି ମନ୍ଦିରର ବରିଷ୍ଠ ସେବାୟତ। ଯଥାଶୀଘ୍ର ମନ୍ଦିର ଦଧିନଉତିର ତ୍ରିଶୂଳ ମରାମତି ସହ ମନ୍ଦିର ଅଳାଁ ଓ ଚତୁଃପାର୍ଶ୍ବ ଯାଞ୍ଚ କରିବାକୁ ସେବାୟତମାନେ ଦାବି କରିଛନ୍ତି।
Comments are closed.