ଜାଗର: ଏକବାର ନୀତିରେ ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡ଼ାରେ ଲାଗି ହେଲା ନୂଆନେତ

ରାତ୍ର ୧ଟାରେ ସୁନାବେଶ, ଭୋର ୫ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ

ଆରଡ଼ି: ରାତି ପାହିଲେ ପବିତ୍ର ମହାଶିବରାତ୍ରୀ(ଜାଗର)। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ବାବା ଆଖଣ୍ଡଳମଣିଙ୍କ ପୀଠ। ଗୁରୁବାର ଏକବାର ନୀତି ନିମନ୍ତେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ୟାହ୍ନ ନୀତି , ଯୋଗୀବେଶ, ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରୁ ଆଜ୍ଞାମାଳ ଓ ନୂଆନେତ ଆସିବା ପରେ ସେବାୟତଙ୍କ ଦ୍ବାରା ମନ୍ଦିର ଚୂଡାରେ ଲାଗି କରାଯାଇଥିଲା। ତାହାସହ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା। ଆଜି ମହାଶିବରାତ୍ରୀ ନୀତି ନିମନ୍ତେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ,କନିକାରାଜାଙ୍କ ପକ୍ଷରୁ ପହିଲି ଘର୍ଷଣଲାଗି ସରିବା ପରେ ସକାଳ ୫ଟାରେ ବଡାଭାତ(ଖେଚୁଡି ଅନ୍ନ) ନୀତି ଭୋଗ ଲାଗି କରାଯିବ। ପରେ ସକାଳ ୫ଟାରୁ ରାତ୍ରା ୧୧ଟା ଯାଏଁ ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା କରାଯିବ। ପରେ ସଂଧ୍ୟା ୬ରୁ ରାତ୍ର ୧୨ଟା ଯାଏଁ ୪ପ୍ରହର ଘର୍ଷଣ ନୀତି ସମ୍ପନ୍ନ ହେବ। ପରେ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ସହ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି। ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜାଗରଯାତ୍ରାରେ ଦୂରଦୂରାନ୍ତତରୁ ଆଗନ୍ତୁକ ଲକ୍ଷାଧିକ ଭକ୍ତ ଯେପରି ଭାବେ ମଣିବାବାଙ୍କୁ ଶୃଙ୍ଖଳିତ ଦର୍ଶନ କରିବେ ଉଜାଗର ରହି ଜାଗରଦୀପ ଜାଳିବା ସହିତ ମହାଦୀପ ଦର୍ଶନ କରିବେ ସେଥିପାଇଁ ଗତକାଲି ଅପରାହ୍ଣରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର, ଚାନ୍ଦବାଲି ତହସିଲିଦାର ଅଶ୍ବନି ଭୂୟାଁ, ବିଡିଓ ଅଶିତ ମହାନ୍ତି, ପୂର୍ତ୍ତ ବିଭାଗର ଉଚ୍ଚ ପ୍ରଦାଧିକାରୀ ଦୀପକ ପାଣିଗ୍ରାହୀ, ଅମ୍ବିକା ସ୍ବାଇଁ, ଜଳପରିମଳ ବିଭାଗର ନିର୍ବାହୀ ଓ କନିଷ୍ଠଯନ୍ତ୍ରୀ ପ୍ରମୁଖଙ୍କ ସହ ଜିଲାର ବିଭିନ୍ନ ବିଭାଗର ଅଧିକାରୀ କ୍ଷେତ୍ର ପରିଦର୍ଶନ କରିବା ସହ ପୀଠରେ ସମୀକ୍ଷା କରିଥିଲେ। ବିଶେଷକରି ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ନିର୍ମାଣଧିନ ବ୍ୟାରିକେଡ ଦେଖିବା ସହ ଅସ୍ଥାୟୀ କ୍ୟାମ୍ପ, ପରିମଳ, ପାନୀୟଜଳ, ସ୍ବାସ୍ଥ୍ୟ ଆଦି ଯେପରି ୨୪ଘଣ୍ଟିଆ ବ୍ୟବସ୍ଥା କରାଯିବ ସେଥିପାଇଁ ସମସ୍ତ ବିଭାଗର ଅଧିକାରୀଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ। ଏପଟେ ସେବାୟତଙ୍କ ପକ୍ଷରୁ ଏକବାର ନୀତି ସହ ଜାଗର ନୀତିକାନ୍ତି ନିମନ୍ତେ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଛି। ଚଳିତବର୍ଷ ଜାଗରଯାତ୍ରା ମହୋତ୍ସବ ୩ଦିନ ଧରି ପାଳନ ହେଉଥିବାରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ଶ୍ରୀ ବନ୍ଦୋର କହିଥିଲେ।

Comments are closed.