ଅଭିନେତ୍ରୀ ଐସା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଚେନ୍ନଇ: ଲାକ୍ଷାଦ୍ବୀପରେ ଗତ କିଛି ଦିନ ଧରି କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ପ୍ରଶାସକ ପ୍ରଫୁଲ୍ଲ ଖୋଦା ପଟେଲଙ୍କୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ସେଠାକାର ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ତଥା ପ୍ରସିଦ୍ଧ ମଡେଲ ଐସା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଏକ ଟିଭି କାର୍ଯ୍ୟକ୍ରମରେ ସେ ପଟେଲଙ୍କୁ କେନ୍ଦ୍ର ପକ୍ଷରୁ ପ୍ରେରିତ ‘ଜୈବିକ ଅସ୍ତ୍ର’ ଭାବେ ବର୍ଣ୍ଣନା କରିଥିଲେ। ଲାକ୍ଷାଦ୍ବୀପରେ କରୋନା ସଂକ୍ରମଣ ମାମଲା ଶୂନ୍ୟ ଥିବାବେଳେ ପ୍ରଶାସକଙ୍କ ଭୁଲ୍‌ ନୀତି ଯୋଗୁଁ ଏବେ ଦୈନିକ ୧୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି। କେନ୍ଦ୍ରର ଜୈବିକ ଅସ୍ତ୍ର ଯୋଗୁଁ ଏଭଳି ଘଟୁଛି ବୋଲି ସେ ଆକ୍ଷେପ କରିଥିଲେ।

ଜଣେ ସାମାଜିକ କର୍ମୀ ତଥା କନ୍ନଡ଼ ଚଳଚ୍ଚିତ୍ର ଅଭିନେତ୍ରୀ ଓ ନିର୍ଦେଶିକା ଭାବେ ଲୋକପ୍ରିୟ ସୁଲତାନାଙ୍କ ବିରୋଧରେ ଏଥିନେଇ ମାମଲା ରୁଜୁ କରିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ବିଜେପି ସଭାପତି ସି. ଅବଦୁଲ କାଦେର ହାଜି। ସୁଲତାନାଙ୍କ ମନ୍ତବ୍ୟ ଦେଶଦ୍ରୋହ ଅପରାଧ ବୋଲି ଦର୍ଶାଇ ସେ କାବାରତି ଥାନାରେ ତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଶାସକଙ୍କ ଦ୍ବାରା ଜାରି ହୋଇଥିବା ନୂଆ ସଂସ୍କାରମୂଳକ ପଦକ୍ଷେପ ଓ ଆଇନଗତ ପଦକ୍ଷେପ ବିରୋଧରେ ସର୍ବସାଧାରଣରେ ଗତ ଦୁଇ ସପ୍ତାହ ଧରି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଆସୁଛି। ପଟେଲଙ୍କୁ ତୁରନ୍ତ ପ୍ରତ୍ୟାହାର ପାଇଁ ଲାକ୍ଷାଦ୍ବୀପବାସୀ ଦାବି କରିଆସୁଛନ୍ତି।

Comments are closed.