ନୂଆଦିଲ୍ଲୀ : ଚିନ୍ତା ବଢାଇଛି ରାଜଧାନୀରେ ବାୟୁ ପ୍ରଦୂଷଣ। ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ପୁଣି ଫେରିଛି ଅଡ୍-ଇଭିନ୍ ନିୟମ। ଏକ ସପ୍ତାହ ଯାଏଁ ଅଡ୍-ଇଭିନ୍ କଟକଣା ଲାଗୁ ହେବ। ନଭେମ୍ବର ୧୩ରୁ ୨୦ ତାରିଖ ଯାଏଁ ଏହା ଲାଗୁ ହେବ।ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଦଶମ, ଦ୍ୱାଦଶ ଶ୍ରେଣୀକୁ ଛାଡି ସ୍କୁଲରେ ଫିଜିକାଲ କ୍ଲାସ ମଧ୍ୟ ବନ୍ଦ ରଖାଯାଇଛି।
ସୂଚନା ଅନୁଯାୟୀ,ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ହେତୁ ଲୋକଙ୍କ ଅବସ୍ଥା ବେହାଲ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି। ଏହି ବୈଠକରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟ ଉପସ୍ଥିତ ଥିଲେ। ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇ କହିଛନ୍ତି, ଦିଲ୍ଲୀରେ ଅଡ୍-ଇଭିନ୍ କଟକଣା ଲାଗୁ ହେବ। ଏହା ୧୩ ରୁ ୨୦ ନଭେମ୍ବର ମଧ୍ୟରେ କାର୍ୟ୍ୟକାରୀ ହେବ। ଆଜି ଦିଲ୍ଲୀ ସଚିବାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।



