Patra electronics

ଯାତ୍ରୀ ପିଛା ୩୫୦ ଡଲାର ଦେଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଆମେରିକାଗାମୀ ବିମାନର ଉଡାଣରେ ୩୦ ଘଣ୍ଟା ବିଳମ୍ବ ଘଟିଥିବା ପ୍ରସଙ୍ଗରେ ଏୟାର ଇଣ୍ଡିଆ ପକ୍ଷରୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରାଯାଇଥିବାବେଳେ ପ୍ରତ୍ୟେକ ଯାତ୍ରୀଙ୍କୁ ୩୫୦ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୨୯ ହଜାର ଟଙ୍କା) କ୍ଷତିପୂରଣ ବାବଦ ପ୍ରଦାନ କରାଯାଇଛି। ବିଭିନ୍ନ କାରଣରୁ ସେଦିନ ବିମାନ ଉଡାଣରେ ଏଭଳି ଅହେତୁକ ବିଳମ୍ବ ଘଟିଛି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଗୁରୁବାର ମଧ୍ୟାହ୍ନରେ ଏୟାର ଇଣ୍ଡିଆର ଏହି ବିମାନଟି ନୂଆଦିଲ୍ଲୀରୁ ଆମେରିକାର ସାନ୍‌ଫ୍ରାନ୍‌ସିସ୍‌କୋ ଅଭିମୁଖେ ଯାତ୍ରା କରିବାର ଥିଲା। ସବୁ ଯାତ୍ରୀ ବିମାନରେ ବସିସାରିଥିଲେ ସୁଦ୍ଧା ଉଡାଣ ପ୍ରକ୍ରିୟାରେ ବାରମ୍ବାର ବିଳମ୍ବ ଘଟିଥିଲା। ବିମାନରେ ଦୀର୍ଘ ୮ ଘଣ୍ଟା ବସିବା ପରେ କେତେକ ଯାତ୍ରୀ ଅଚେତ ହୋଇପଡିବାରୁ ସେମାନଙ୍କୁ ବିମାନରୁ ଓହ୍ଲାଇ ଲାଉଞ୍ଜରେ ଅପେକ୍ଷା କରିବାକୁ ଅନୁମତି ମିଳିଥିଲା। ତେବେ ଲାଉଞ୍ଜରେ ଅନ୍ୟ ଯାତ୍ରୀ ଥିବାରୁ ଏହି ଯାତ୍ରୀଙ୍କୁ ଚଟାଣରେ ବସିବାକୁ ପଡିଥିଲା। ଏଥିଯୋଗୁଁ ଯାତ୍ରୀଙ୍କ ଧୈର୍ଯ୍ୟଚ୍ୟୁତି ଘଟିବାରୁ ସେମାନେ ହୋ ହାଲ୍ଲା କରିଥିଲେ। ଶେଷରେ ଶୁକ୍ରବାର ରାତି ୧୦ଟାରେ ବିମାନଟି ଉଡାଣ ଆରମ୍ଭ କରି ଶନିବାର ଦିନ ୧୨ଟା ୪୫ରେ ସାନ୍‌ଫ୍ରାନ୍‌ସିସ୍‌କୋରେ ପହଞ୍ଚିିଥିଲା।

Comments are closed.