ମଝି ଆକାଶରେ ଖସିପଡିଲା ଏୟାର ଇଣ୍ଡିଆ ବିମାନ ଝରକା କାଚ

0

ନୂଆଦିଲ୍ଲୀ : ଉଡାଣ ସମୟରେ ଏୟାର ଇଣ୍ଡିଆର ଏକ ବିମାନରେ ଅସ୍ଥିରତା (ଟର୍ବୁଲେନ୍ସ) ଦେଖାଯିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଥିଲା। ଏପ୍ରିଲ ୧୯ ତାରିଖରେ ଏୟାର ଇଣ୍ଡିଆର ଏକ ବିମାନ ଅମୃତସରରୁ ନୂଆଦିଲ୍ଲୀ ଅଭିମୁଖେ ଉଡାଣ କରିବା ସମୟରେ ବିମାନରେ ଏପରି ଅସ୍ଥିରତା ଦେଖାଯାଇଥିଲା। ଅସ୍ଥିରତା ବା କମ୍ପନ ଯୋଗୁଁ ବିମାନ ଝରକାର ଭିତରପଟ କାଚ ଭାଙ୍ଗି ଯାତ୍ରୀଙ୍କ ଉପରେ ଖସିପଡିଥିଲା। ଏଥିରେ ବିମାନର ତିନିଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ବିମାନର ଅସ୍ଥିରତା ଯୋଗୁଁ ଅକ୍ସିଜେନ ମାସ୍କ ମଧ୍ୟ ଖସିପଡିଥିଲା। ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭ରେ ଏପରି ଅଘଟଣ ଘଟିଥିଲା। ୧୦ରୁ ୧୫ମିନିଟ୍‌ ଧରି ବିମାନରେ ଏପରି ଅସ୍ଥିରତା ଲାଗି ରହିଥିଲା। ଏହି ଘଟଣା ଉପରେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ତଦନ୍ତ ନିର୍ଦେଶ ଦେଇଛି। ଏହି ଅଘଟଣ ସମୟରେ ବିମାନରେ ୨୪୦ଜଣ ଯାତ୍ରୀଙ୍କ ସହିତ କର୍ମଚାରୀ ରହିଥିଲେ। ବିମାନ କର୍ମଚାରୀଙ୍କ କହିବା ଅନୁଯାୟୀ ବିମାନଟି ଉଡାଣ (ଟେକ୍‌ ଅପ୍‌) କରିବାର ଅଳ୍ପ ସମୟ ପରେ ଏପରି ଅସ୍ଥିରତା ଦେଖାଯାଇଥିଲା। ବିମାନଟି ଉପରକୁ ଉଠିବା ସମୟରେ ଏପରି ଅଘଟଣ ଘଟିଥିଲା। ସେତେବେଳେ ବିମାନଟି ପ୍ରାୟ ୮ହଜାରରୁ ୨୧ହଜାର ଫୁଟ ମଧ୍ୟରେ ରହିଥିଲା। ଖରାପ ପାଗ ଯୋଗୁଁ ଏପରି ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି।
ଏହି ଅଘଟଣ ସମ୍ପର୍କିତ ୫୦ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ବିମାନ ପରିଚାରିକା ଖସି ପଡିଥିବା ଝରକା କାଚକୁ ଯଥା ସ୍ଥାନରେ ଲଗାଇବାକୁ ଉଦ୍ୟମ କରୁଛନ୍ତି। ଝରକା ନିକଟରେ ଜଣେ ବୟସ୍କା ଯାତ୍ରୀ ବସିଥିବା ଦେଖାଯାଇଛି। ତେବେ ଏହି ଭିଡିଓ ସମ୍ପର୍କରେ ଏୟାର ଇଣ୍ଡିଆର କର୍ମଚାରୀ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ରିପୋର୍ଟ ଅନୁଯାୟୀ ଯେଉଁ ଯାତ୍ରୀମାନେ ସେମାନଙ୍କ ସିଟ୍‌ବେଲ୍ଟକୁ ଠିକ୍‌ରେ ବାନ୍ଧି ନଥିଲେ ସେମାନଙ୍କ ମୁଣ୍ଡ କେବିନରେ ମାଡ ହୋଇଯାଇଥିଲା; ଫଳରେ ସେମାନେ ଆହତ ହୋଇଥିଲେ। ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସେମାନଙ୍କ ମୁଣ୍ଡରେ କ୍ଷତ ହୋଇଥିବାରୁ ଏହାର ଚିକିତ୍ସା କରାଯାଇଥିଲା। ବିମାନ ଝରକାର ଭିତରପଟ କାଚ ଭାଙ୍ଗି ଥିଲା। ବାହାର କାଚ ସୁରକ୍ଷିତ ରହିଥିଲା। ବାହାର କାଚ ଭାଙ୍ଗିଥିଲେ ବିମାନର ଅଧିକ କ୍ଷତି ହୋଇଥାନ୍ତା। ୨୦୧୪ ଅକ୍ଟୋବର ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନରେ ଅନୁରୂପ ଅଘଟଣ ଘଟିଥିଲା। ବିମାନଟି ଅବତରଣ କରିବା ସମୟରେ ଏପରି ଅଘଟଣ ହୋଇଥିଲା। ଏଥିରେ ୨୨ଜଣ ଯାତ୍ରୀ ଓ କିଛି କର୍ମଚାରୀ ଆହତ ହୋଇଥିଲେ।

Leave A Reply