www.samajalive.in
Monday, December 15, 2025
15.1 C
Bhubaneswar

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ, ୬୦ କିମି ଦୂରରେ ଥିବା ଜଣେ ଜରୁରୀ ରୋଗୀଙ୍କ ପାଇଁ ଗଲା ରକ୍ତ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ପୂର୍ବକ ରୋଗୀସେବାରେ ଅନନ୍ୟତା ଆଣୁଥିବା ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଆଜି ଡ୍ରୋନ୍ ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ ହୋଇଯାଇଛି। ମଙ୍ଗଳବାର ହୋଇଥିବା ସଫଳ ପରୀକ୍ଷଣର ଦୁଇ ଦିନ ପରେ, ଏହି ଜାତୀୟ ଅନୁଷ୍ଠାନ ସ୍ବଳ୍ପ ସମୟ ମଧ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦିର ପରିବହନ ପାଇଁ ଡ୍ରୋନ୍ ବ୍ୟବହାର ଆରମ୍ଭ କରିଛି।

ଏମ୍‌ସ ଭୁବନେଶ୍ୱର ପରିସରରୁ ପ୍ରାୟ ୬୦ କିମି ଦୂରରେ ଅବସ୍ଥିତ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଜଣେ ଜରୁରୀ ରୋଗୀଙ୍କ ପାଇଁ ଏଠାରୁ ଯାଇଥିଲା ଗୋଟିଏ ୟୁନିଟ୍‌ ରକ୍ତ। ଏହି ଦୂରତାକୁ ଡ୍ରୋନ୍‌ ମାତ୍ର ୩୫ ମିନିଟ୍‌ ବ୍ୟବଧାନରେ ଅତିକ୍ରମ କରିଥିଲା। ଯାହାକି ସେଠାରେ ରକ୍ତହୀନତା କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ଜରୁରୀ କାର୍ୟ୍ୟରେ ଉପଯୋଗ ହୋଇଛି। ସ୍ବାସ୍ଥ୍ୟସେବାରେ ଏପରି ପ୍ରୟୋଗ ରାଜ୍ୟ ତଥା ଦେଶରେ ପ୍ରଥମ ବୋଲି ପ୍ରକାଶ କରିଛନ୍ତି ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଏହି ସଫଳ ପ୍ରୟୋଗରେ ସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରୋଗୀଙ୍କୁ ରକ୍ତ ବ୍ୟାଗ ଯୋଗାଣ କରିବା ସଫଳ ହୋଇଥିବାରୁ ଆନନ୍ଦିତ ଥିବା ଡ. ବିଶ୍ବାସ କହିଛନ୍ତି। ଏହି ପ୍ରଥମ ଡ୍ରୋନ୍‌ ସ୍ବାସ୍ଥ୍ୟସେବା ଟାଙ୍ଗିରୁ ଫେରିବା ପୂର୍ବରୁ ବିଭିନ୍ନ ପରୀକ୍ଷା ପାଇଁ ଆବଶ୍ୟକୀୟ ରକ୍ତ ନମୁନା ସଂଗ୍ରହ କରି ଏମ୍‌ସକୁ ଆଣିଥିଲା।

- Advertisement -

ପ୍ରାୟ ୧୨ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଡ୍ରୋନ୍‌ ୨ ରୁ ୫ କିଲୋଗ୍ରାମ ପର୍ୟ୍ୟନ୍ତ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀ ସହିତ ରକ୍ତ ଆଦି ବହନ କରିବାର କ୍ଷମତା ରଖିଛି। ଏହା ଘଣ୍ଟା ପ୍ରତି ୯୦ କିଲୋମିଟର ବେଗରେ ଗତି କରିପାରିବ। ଜିପିଏସ୍ ଟେକ୍ନୋଲୋଜି ବ୍ୟବହାର କରି ଡ୍ରୋନ୍ ନାଭିଗେସନରେ ଅତୁଳନୀୟ ସଠିକତା ପ୍ରଦର୍ଶନ କରି ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ଠିକ୍ ଏବଂ ନିରାପଦ ଯୋଗାଣକୁ ସୁନିଶ୍ଚିତ କରିପାରିଛି ଏହି ବ୍ୟବସ୍ଥା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ପୂର୍ବକ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଏହି ପ୍ରୟାସ ଏମ୍‌ସ ଭୁବନେଶ୍ୱରର ରୋଗୀସେବା ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣ କରୁଛି। ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକୀୟ ଔଷଧ, ଇଞ୍ଜେକ୍ସନ୍‌ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀର ଶୀଘ୍ର ବିତରଣରେ ଏହି ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଡ. ବିଶ୍ବାସ।

ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ସୋନୁ ଏଚ୍‌ ସୁବା, ଡ. ସତ୍ୟପ୍ରକାଶ, ଡ. ମନୀଷା ଆର୍‌ ଗାଏକାୱାଡ୍‌, ଡ. ପ୍ରିୟମାଧବ ବେହେରା, ଡ. ଅଭିଷେକ ମିଶ୍ର, ଡ. ଅଂଶୁମାନ ସାହୁ, ଡ. ଦେବାଶିଷ ମିଶ୍ର ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories