ନୟାଗଡ଼: ବିଶ୍ୱ ଏଡ୍ସ ଦିବସ ଅବସରରେ ନୟାଗଡ଼ସ୍ଥିତ ଅଗ୍ରଦୂତ ନର୍ସିଂ କଲେଜ ପକ୍ଷରୁ ମଙ୍ଗଳବାର ଏକ ବିଶାଳ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା। ଏଡ୍ସରୁ ବଞ୍ଚିବାର ଉପାୟ ଓ ରୋଗୀମାନଙ୍କ ପ୍ରତି ଥିବା ଭ୍ରାନ୍ତ ଧାରଣା ଦୂର କରିବାକୁ ଛାତ୍ରଛାତ୍ରୀମାନେ ସଚେତନ କରାଇଥିଲେ।
ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶରେ ନୟାଗଡ଼ ତହସିଲଦାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ରାଲି ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। କଲେଜର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ପୋଷ୍ଟର ଓ ବ୍ୟାନର ଧରି ରାଲିରେ ଭାଗ ନେଇଥିଲେ।
ନୟାଗଡ଼-ଖଣ୍ଡପଡା ଛକରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ଚିତ୍ତାକର୍ଷକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ନାଟକରେ ଏଡ୍ସ ସଂକ୍ରମଣର କାରଣ, ଭ୍ରାନ୍ତି, ପରୀକ୍ଷାର ଗୁରୁତ୍ୱ ଓ ରୋଗୀଙ୍କ ପ୍ରତି ସହାନୁଭୂତି ବିଷୟ ଉପସ୍ଥାପନ କରାଯାଇଥିଲା। ଏହା ଦେଖିବାକୁ ବହୁ ଜନସମାଗମ ହୋଇଥିଲା।
ନାଟକ ପରେ ଛାତ୍ରଛାତ୍ରୀମାନେ ବୁଲି ଲୋକଙ୍କୁ ସୁରକ୍ଷିତ ଯୌନ ସମ୍ପର୍କ, ନିଡଲ୍ସ ବାଣ୍ଟିବା, ରକ୍ତ ପରୀକ୍ଷା ଓ ସରକାରୀ ସୁବିଧା ବିଷୟରେ ସଚେତନ କରାଇଥିଲେ।



