ଭୁବନେଶ୍ଵର: ସମ୍ପ୍ରତି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ବିଶ୍ବ ବ୍ୟାପୀ ଚର୍ଚ୍ଚା ଚାଲିଛି ଯାହା କି ଏକବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବନାହିଁ। ଏହା ଏପରି ଏକ ବୈଷୟିକ ଜ୍ଞାନ ଯାହାକି ଆଧୁନିକ ମଣିଷ ଜୀବନର ଏକ ପ୍ରମୁଖ ଅଙ୍ଗ ହୋଇଗଲାଣି। ଏବେ କମ୍ପ୍ୟୁଟର କେବଳ ନିେର୍ଦଶ ଦେଲେ କାମ କରିବ ନାହିଁ, ଏହା ମଣିଷ ପରି ଭାବି ପାରିବ, ନିର୍ଣ୍ଣୟ କରିପାରିବ ଓ ମଣିଷର ବ୍ୟବହାରକୁ ନକଲ ବି କରିପାରିବ। ଏହି ପରିବର୍ତ୍ତନ ଯେତିକି ଚମତ୍କାର ସେତିକି ଚିନ୍ତାଜନକ ମଧ୍ୟ।
ବିତର୍କ ଆରମ୍ଭ ହୋଇଛି ଯେ କୃତ୍ରିମ ବୁଦ୍ଧିମତ୍ତା ମଣିଷର ପ୍ରତିଦ୍ବନ୍ଦ୍ବୀ ନା ସହାୟକ ହେବାକୁ ଯାଉଛି। ଦୁଇ ବର୍ଷ ତଳେ ଆମେରିକାର ଶିଳ୍ପପତି ଏଲନ ମସ୍କଙ୍କ ସମେତ ବିଶ୍ବର ସହସ୍ରାଧିକ ବିଜ୍ଞାନୀ ସର୍ବସାଧାରଣରେ ଏକ ମୁକ୍ତ ପତ୍ର ମାଧ୍ୟମରେ ଘୋଷଣା କରିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା ପରିଚାଳିତ ମଡେଲଗୁଡିକ ଆଗାମୀ ଦିନରେ ମଣିଷମାନଙ୍କର ପ୍ରତିଦ୍ବନ୍ଦ୍ବୀ ହେବାକୁ ଯାଉଛନ୍ତି। ଆଧୁନିକ ମଣିଷମାନେ କ’ଣ ଚାହୁଁଛନ୍ତି କି ଗୋଟିଏ ଅଣମାନବୀୟ ଯନ୍ତ୍ର ପ୍ରସ୍ତୁତ ହେଉ ଯାହାକି ଦିନେ ମଣିଷ ଠାରୁ ଅଧିକ ଶକ୍ତିଶାଳୀ ହେବ ଓ ମଣିଷ ବିନାଶର କାରଣ ହେବ! ଏହାର ବହୁ ବର୍ଷ ପୂର୍ବରୁ ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ ହକିଂ ମଧ୍ୟ ଅନୁରୂପ ମତ ଦେଇଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତାର ପୂର୍ଣ୍ଣ ବିକାଶ ଦିନେ ମାନବ ଜାତିର ଅନ୍ତ ଘଟାଇପାରେ। ପ୍ରଥମେ ଆମ ନିକଟକୁ ଚାଟ୍ ଜିପିଟି ମାଧ୍ୟମରେ ଆସିଥିଲା କୃତ୍ରିମ ବୁଦ୍ଧିମତ୍ତା। ଚାଟ୍ ଜିପିଟି ଅଧିକ ଗ୍ରହଣୀୟ ହୋଇଥିଲା ସେତିକି ବେଳେ ଯେତେବେଳେ ଏହାର ଆପ୍ ସ୍ମାର୍ଟଫୋନରେ ଉପଲବ୍ଧ ହେଲା। ଗାଳ୍ପିକଙ୍କ ଭଳି ଗପ ଲେଖିବା, ପ୍ରାବନ୍ଧିକଙ୍କ ପରି ପ୍ରବନ୍ଧ ଲେଖିବା, କବିଙ୍କ ପରି କବିତା ଲେଖିବା ଠାରୁ ଆରମ୍ଭ କରି ସଙ୍ଗୀତ ନିେର୍ଦଶକଙ୍କ ପରି ସ୍ବର ସଂଯୋଜନା ବି ଚାଟ୍ ଜିପିଟି କରିପାରିଲା। ଏହା ସହ ଯେ କୌଣସି ପାଠ୍ୟକ୍ରମରେ ସଫଳତାର ସହ ସେ ଉତ୍ତୀର୍ଣ୍ଣ ହେବାର ଯୋଗ୍ୟତା ରଖିଲା ଯାହାକୁ ଅସାଧାରଣ କ୍ଷମତା କହିଲେ ଅତ୍ୟୁକ୍ତି ହେବନାହିଁ। ବର୍ତ୍ତମାନ ସହସ୍ରାଧିକ ଏଆଇ ଟୁଲ୍ ଉପଲବ୍ଧ ହେଲାଣି। ଆଜି ଭରଚୁଆଲ ଆସିଷ୍ଟାଣ୍ଟ, ସ୍ବୟଂଚାଳିତ ଯାନ, ଚିକିତ୍ସା, ଶିକ୍ଷା, ବ୍ୟାଙ୍କିଙ୍ଗ, କୃଷି, ପ୍ରତିରକ୍ଷା, ଗବେଷଣା ଆଦି ପ୍ରତିଟି କ୍ଷେତ୍ରରେ ଏ.ଆଇ ନିଜର ପ୍ରଭୁତ୍ବ ଜାହିର କରିବା ଆରମ୍ଭ କରିଦେଲାଣି ଓ ଏହା ଅଧିକ ଉପଯୋଗୀ ହୋଇପାରୁଛି। ଏ ଆଇ ଆଜି ଯେଉଁ ଯେଉଁ କ୍ଷେତ୍ରରେ ପ୍ରବେଶ କରି ଯାହା ସଫଳତା ପାଉଛି ତାହା କଳ୍ପନା ବାହାରେ। ଶିକ୍ଷା କ୍ଷେତ୍ରରେ ବୈଷୟିକ ଛାତ୍ରଙ୍କ ପାଇଁ ପାଠ୍ୟକ୍ରମ ଚୟନ କରିବା, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କର୍କଟ ଭଳି ଗୁରୁତର ରୋଗର ସୃଷ୍ଟି ଓ ନିଦାନ ନିର୍ଣ୍ଣୟ କରିବା, କୃଷକଙ୍କ ପାଇଁ ପାଣିପାଗ ଓ ଜଳବାୟୁ ଆଧାରିତ ଚାଷ ନିମନ୍ତେ ପରାମର୍ଶ ଦେବା ଭଳି କାର୍ଯ୍ୟ କରିପାରୁଛି।
କୃତ୍ରିମ ବୁଦ୍ଧିମତ୍ତା କମ୍ପ୍ୟୁଟର ବିଜ୍ଞାନର ଏକ ବ୍ୟାପକ କ୍ଷେତ୍ର ଯାହା ସାଧାରଣତଃ ମାନବ ବୁଦ୍ଧିମତ୍ତା ଆବଶ୍ୟକ କରୁଥିବା କାର୍ଯ୍ୟ କରିବାକୁ ସକ୍ଷମ ମେସିନ୍ ଏବଂ ସଫ୍ଟୱେର୍ ତିଆରି କରିବା ଉପରେ ଧ୍ୟାନ ଦିଏ। ଏଥିରେ ଶିଖିବା, ଯୁକ୍ତି କରିବା, ସମସ୍ୟା ସମାଧାନ, ଧାରଣା ଏବଂ ଭାଷା ବୁଝାମଣା ଭଳି କାର୍ଯ୍ୟ ଅନ୍ତର୍ଭୁକ୍ତ। କୃତ୍ରିମ ବୁଦ୍ଧିମତ୍ତା ହେଉଛି ଏକ ପ୍ରଯୁକ୍ତିବିଦ୍ୟା ଯାହା କମ୍ପ୍ୟୁଟର ଏବଂ ଯନ୍ତ୍ରଗୁଡ଼ିକୁ ମାନବ ଶିକ୍ଷା, ବୋଧଗମ୍ୟତା, ସମସ୍ୟା ସମାଧାନ, ନିଷ୍ପତ୍ତି ଗ୍ରହଣ, ସୃଜନଶୀଳତା ଏବଂ ସ୍ୱାୟତ୍ତତାକୁ ଅନୁକରଣ କରିବାକୁ ସକ୍ଷମ କରିଥାଏ। ଏ.ଆଇ ସଜ୍ଜିତ ଆପ୍ଲିକେସନ୍ ଏବଂ ଡିଭାଇସ୍ ବସ୍ତୁଗୁଡ଼ିକୁ ଦେଖିପାରିବ ଏବଂ ଚିହ୍ନଟ କରିପାରିବ। ସେମାନେ ମଣିଷର ଭାଷା ବୁଝିପାରନ୍ତି ଏବଂ ପ୍ରତିକ୍ରିୟା ଦେଇପାରନ୍ତି। ସେମାନେ ନୂତନ ସୂଚନା ଏବଂ ଅଭିଜ୍ଞତାରୁ ଶିଖିପାରିବେ। ସେମାନେ ବ୍ୟବହାରକାରୀ ଏବଂ ବିଶେଷଜ୍ଞମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ସୁଚିନ୍ତିତ ମତାମତ ଦେଇପାରିବେ। ସେମାନେ ମାନବ ବୁଦ୍ଧିମତ୍ତା କିମ୍ବା ହସ୍ତକ୍ଷେପର ଆବଶ୍ୟକତାକୁ ବଦଳାଇ ସ୍ୱାଧୀନ ଭାବରେ କାର୍ଯ୍ୟ କରିପାରିବେ ଯାହାର ଏକ ଉଦାହରଣ ହେଉଛି ସ୍ୱୟଂଚାଳିତ କାର୍।
ଯଦି ଏ.ଆଇ.ର ନକାରାତ୍ମକ ଦିଗକୁ ଆଲୋଚନା କରିବା ପ୍ରଥମେ ଆସିବ ଡିପଫେକ୍। ଏହା ହେଉଛି ଏକ ପ୍ରକାର କୃତ୍ରିମ ବୁଦ୍ଧିମତ୍ତା, ଯାହା ବୃତ୍ତଚିତ୍ର, ଅଡିଓ ଏବଂ ଭିଡିଓ ଠକେଇ ସୃଷ୍ଟି କରିବାରେ ବ୍ୟବହୃତ ହୁଏ। ଏଥିରେ କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ନକଲି ଘଟଣାର ଚିତ୍ର ପ୍ରସ୍ତୁତ କରାଯାଇପାରେ। ଚିତ୍ର, ଶବ୍ଦ ଏବଂ ସ୍ୱରକୁ ଅନୁକରଣ ଓ କାରସାଦି କରାଯାଇ ଲୋକ, ଘଟଣା କିମ୍ବା ଦୃଶ୍ୟର ନକଲି ଉପସ୍ଥାପନା ସୃଷ୍ଟି କରାଯାଏ। ଏହାର ନକାରାତ୍ମକ ପରିଣାମ ସୁଦୂରପ୍ରସାରୀ ଓ ଭୟାନକ ହୋଇପାରେ। ଡିପଫେକ୍ ଦ୍ୱାରା ସୃଷ୍ଟି ହୋଇଥିବା ସବୁଠାରୁ ବଡ ବିପଦ ହେଉଛି ମିଥ୍ୟା ତଥ୍ୟ ବିସ୍ତାର କରିବାର କ୍ଷମତା ଯାହା ବିଶ୍ୱସ୍ତ ଉତ୍ସରୁ ଆସୁଥିବା ପରି ଦେଖାଯାଏ। ସେହିପରି ମାନବ ସୃଜନଶୀଳତା ଏବଂ ଭାବପ୍ରବଣ ବୁଦ୍ଧିମତ୍ତାର ସମ୍ଭାବନା ଏ.ଆଇ ଦ୍ବାରା ହ୍ରାସ ପାଇପାରେ। ଏ.ଆଇ ଉପରେ ଅତ୍ୟଧିକ ନିର୍ଭରଶୀଳତା ଜ୍ଞାନାତ୍ମକ ଏବଂ ସାମାଜିକ ଦକ୍ଷତାରେ ହ୍ରାସ ଆଣିପାରେ। ମଣିଷମାନେ କ୍ରମେ ଶିଖିବା, ସମସ୍ୟା ସମାଧାନ କରିବା କିମ୍ବା ସାମାଜିକ ପାରସ୍ପରିକ କ୍ରିୟାରେ ଲିପ୍ତ ହେବା ପ୍ରତି କମ୍ ଆଗ୍ରହ ପ୍ରକାଶ କରିପାରନ୍ତି। ଇତି ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତାର ନିରାପଦ ଏବଂ ବିଶ୍ୱସନୀୟ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଜାତିସଂଘ ସାଧାରଣ ପରିଷଦ ପକ୍ଷରୁ ଏକ ଐତିହାସିକ ପ୍ରସ୍ତାବ ଗ୍ରହଣ କରାଯାଇଛି। ଏହି ପ୍ରସ୍ତାବ ଆଧାରରେ ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏ.ଆଇର ସମ୍ଭାବନାକୁ ସ୍ୱୀକାର କରାଯାଇଛି। ସୁରକ୍ଷିତ ଏ.ଆଇ ବ୍ୟବହାର ପାଇଁ ନିୟାମକ ଢାଞ୍ଚା ଏବଂ ପଦ୍ଧତି ବିକଶିତ କରିବା ପାଇଁ ରାଜ୍ୟ, ଘରୋଇ କ୍ଷେତ୍ର, ନାଗରିକ ସମାଜ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗ ପାଇଁ ଆହ୍ୱାନ କରାଯାଇଛି। ଏହା ସହିତ ପରିଷଦ ବିକାଶଶୀଳ ଦେଶଗୁଡ଼ିକୁ ଏ.ଆଇ ପ୍ରଯୁକ୍ତି ବିଦ୍ୟାର ଅନ୍ତର୍ଭୁକ୍ତିମୂଳକ ପ୍ରବେଶ ହାସଲ କରିବାରେ ଏବଂ ଡିଜିଟାଲ ସାକ୍ଷରତା ବୃଦ୍ଧି କରିବାରେ ସମର୍ଥନ କରି ଡିଜିଟାଲ ବିଭାଜନକୁ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଛି। ଏହା ନିଶ୍ଚିତ କରେ ଯେ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସମସ୍ତଙ୍କୁ ସମାନ ଭାବରେ ଲାଭ ପହଞ୍ଚାଇ ପାରିବ।
ତେବେ ଏଠାରେ ପ୍ରଶ୍ନ ଉଠେ ଏହି ଏ ଆଇ ଉପଲବ୍ଧି ଦ୍ବାରା ମଣିଷର ଶ୍ରମ ଉପଯୋଗିତାର ସମାପ୍ତି ହୋଇଯିବନି ତ। ଏଥିପାଇଁ ଆମର ପାରମ୍ପରିକ ଚାକିରି ବା ନିଯୁକ୍ତି ଶେଷ ହୋଇଯିବନି ତ। ଏହା ଅବଶ୍ୟ ସତ୍ୟ ଯେ ନୂଆ ନୂଆ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ନୂଆ ନୂଆ ନିଯୁକ୍ତି ସୃଷ୍ଟି ହେଉଛି। ଏହାକୁ ଆଧାର କରି ଆମର ଶିକ୍ଷା ପ୍ରଣାଳୀ ମଧ୍ୟ ଅନୁରୂପ ପରିବର୍ତ୍ତନ ହେଉଛି। ଏ.ଆଇକୁ ନେଇ ସବୁଠାରୁ ବୁଦ୍ଧିମାନ ଦୃଷ୍ଟିକୋଣ ହେଉଛି ଆମେ ଏହାକୁ ପ୍ରତିଦ୍ବନ୍ଦ୍ବୀ ନୁହେଁ, ସହାୟକ ମଣିବାକୁ ପଡ଼ିବ। ଏହାର ଉଦ୍ଦେଶ୍ୟ ମଣିଷର ସ୍ଥାନ ନେବା ପାଇଁ ନୁହେଁ, ବରଂ ମଣିଷକୁ ଅଧିକ ସମର୍ଥ କରିବା ହେଉ। ତେଣୁ ଏପରି ପ୍ରଗତିଶୀଳ ନିଷ୍ପତ୍ତି ନେବାକୁ ପଡ଼ିବ ଯେପରି ଏ. ଆଇ ମାନବ ମୂଲ୍ୟକୁ ସୁରକ୍ଷା ଦେବା ସହ ନୂତନତାକୁ ଆଗକୁ ବଢାଇବ। କୃତ୍ରିମ ବୁଦ୍ଧିମତ୍ତା ଏକ ଦୁଇଧାର ବିଶିଷ୍ଟ ଖଣ୍ଡା ଅଟେ ଯାହାର ଗୋଟିଏ ଧାର ବିକାଶର ଗାଥା ଲେଖୁଥିଲା ବେଳେ ଅନ୍ୟ ଧାରଟି ବିନାଶର କାରଣ ହୋଇପାରେ। ତେବେ ଏହା ନିର୍ଭର କରିଥାଏ ଯେ ଏହାକୁ ଆମେ କିପରି ଭାବେ ଉପଯୋଗ କରୁଛୁ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ଯନ୍ତ୍ର ନିଶ୍ଚିତ ଅଧିକ ବେଗରେ ଗତି କରିବ, କିନ୍ତୁ ଗତିପଥ ଦେଖାଇବାର କର୍ତ୍ତା ହେଉଛି ମଣିଷ।
କୃତ୍ରିମ ବୁଦ୍ଧିମତ୍ତା ପ୍ରତିଦ୍ଵନ୍ଦ୍ଵୀ ନା ସହାୟକ
Popular Categories



