ରାଷ୍ଟ୍ରବାଦ ଓ ଯୁଦ୍ଧ

ଭୁବନେଶ୍ଵର:  ସେ ଛୋଟ ହେଉ ଅବା ବଡ଼ ହେଉ, ଧନୀ ହେଉ ଅବା ଗରିବ, ନିଜ ଦେଶକୁ ଭଲପାଇବା ଓ ଏହାକୁ ନେଇ ଗର୍ବ କରିବାକୁ ସାଧାରଣତଃ ରାଷ୍ଟ୍ରବାଦ ବୋଲି ବିଚାର କରାଯାଇଥାଏ। ରାଷ୍ଟ୍ରବାଦ ସହ ଯୋଡ଼ିହୋଇ ରହିଥାଏ ରାଷ୍ଟ୍ରୀୟ ଧ୍ବଜ, ରାଷ୍ଟ୍ରୀୟ ମାନ ଏବଂ କିଛି ରାଷ୍ଟ୍ରୀୟ ପ୍ରତୀକ। ରାଷ୍ଟ୍ର ସହ ସମ ପରିମାଣରେ ଏସବୁ ପ୍ରତି ସମ୍ମାନ ହିଁ ଆମ ରାଷ୍ଟ୍ରବାଦୀ ଚେତନାର ପରିଚାୟକ। ଜାତୀୟତାବାଦ ଦେଶପ୍ରତି ଗଭୀର ଭକ୍ତିର ନିଦର୍ଶନ ହୋଇଥିବାବେଳେ ଦେଶାତ୍ମବୋଧ ଦେଶକୁ ନେଇ ଗର୍ବ କରିବା ଓ ଭଲ ପାଇବାର ନିଦର୍ଶନ। ଯେଉଁ ଦେଶର ଜନସାଧାରଣଙ୍କ ଭିତରେ ଜାତୀୟତାବାଦ ଓ ଦେଶାତ୍ମବୋଧ ଯେତେ ଅଧିକ, ସେ ଦେଶ ସେତେ ଉନ୍ନତ, ସଶକ୍ତ ଓ ଦୁର୍ନୀତିମୁକ୍ତ।
ଭାରତର ସ୍ବାଧୀନତା ସଂଗ୍ରାମ ବେଳେ ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଉଥିବା ନେତା ଓ ସାଧାରଣ ଜନତାଙ୍କ ମଧ୍ୟରେ ଯେଉଁ ରାଷ୍ଟ୍ରପ୍ରୀତି, ରାଷ୍ଟ୍ରଭକ୍ତି ଓ ଦେଶାତ୍ମବୋଧ ଥିଲା ସ୍ବାଧୀନତା ପ୍ରାପ୍ତି ପରେ ସମୟକ୍ରମେ ତା’ର ଅବକ୍ଷୟ ଘଟିଛି। ପ୍ରତ୍ୟେକ ବ୍ୟକ୍ତିର ସତ୍ତା ସଂପ୍ରତି ଏକ କ୍ଷୁଦ୍ର ଏକକ ସତ୍ତା ଯାହା ଭିତରେ ରାଷ୍ଟ୍ରୀୟ ଭାବନା ଗୌଣ ଓ ବ୍ୟକ୍ତିଗତ ସ୍ବାର୍ଥ ଓ ପ୍ରତିଷ୍ଠା ମୁଖ୍ୟ। ରାଷ୍ଟ୍ରକୁ ଦୋହନ କରି କିପରି ବ୍ୟକ୍ତିଗତ ସଂପତ୍ତି ବୃଦ୍ଧି କରାଯାଇ ପାରିବ ସେ ଦିଗରେ ସମାଜର ନେତୃତ୍ବ ଦେଉଥିବା ଶିକ୍ଷିତବର୍ଗ ଏବେ ବେଶି ତତ୍ପର। ରାଷ୍ଟ୍ର ପ୍ରଦତ୍ତ ଦରମା ସେମାନଙ୍କ ମୌଳିକ ଅଧିକାର ପରିସରଭୁକ୍ତ ଏବଂ ବୃତ୍ତିଗତ ଦାୟିତ୍ବ ନିର୍ବାହ ପାଇଁ କରୁଥିବା କାର୍ଯ୍ୟ ଉତ୍କୋଚ ଅବା ଲାଞ୍ଚ ସେମାନଙ୍କ ବୃତ୍ତିର ଆନୁଷଙ୍ଗିକ ସୁବିଧା ପରିସରଭୁକ୍ତ ବୋଲି ପ୍ରାୟ ଅଧିକାଂଶ ସରକାରୀ କର୍ମଚାରୀଙ୍କର ଅବବୋଧ। ସେଥିପାଇଁ ଏବେ ଦୁର୍ନୀତି ଅଭିଯୋଗରେ ଗିରଫ ହେଉଥିବା ଅଧିକାରୀଙ୍କଠାରୁ ଜବତ ହେଉଥିବା ନଗଦ ଟଙ୍କା, ସୁନାରୁପା ଓ କୋଠାବାଡ଼ିର ପରିମାଣ ଦେଖିଲେ ଜଣେ ସାଧାରଣ ଜନତା ତାଜୁବ୍‌ ହେବାପାଇଁ ବାଧ୍ୟ। ରାଷ୍ଟ୍ରର ବିକାଶ ଯଥା- ରାସ୍ତା, ସେତୁ, କୋଠାବାଡ଼ି, ଜଳସେଚନ, ଚାରାରୋପଣ, ସ୍ବାସ୍ଥ୍ୟ ସେବା, ଶିକ୍ଷା ବିକାଶ ପାଇଁ ଉଦ୍ଦିଷ୍ଟ ଏହି ଅର୍ଥର ବାଟମାରଣାକୁ ରାଷ୍ଟ୍ରଦ୍ରୋହ ହିସାବରେ ଗଣା ନଯାଇ କେବଳ ଦୁର୍ନୀତି ହିସାବରେ ଆମେ ଗ୍ରହଣ କରିଆସିଛୁ, ଫଳରେ ଏହାର ସଂଖ୍ୟା ଓ ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସିନା କମୁନାହିଁ।
ରାଷ୍ଟ୍ରୀୟ ଚେତନା କିଭଳି ଦୁର୍ନୀତିକୁ ପରାଭବ କରିଥାଏ ସେ ଦିଗରେ ଜାପାନକୁ ଓ ଜାପାନୀଙ୍କୁ ଉଦାହରଣ ଭାବରେ ନିଆଯାଇ ପାରେ। ଭାରତରୁ ଜାପାନକୁ ଲୁହାପଥର ରପ୍ତାନି ହୁଏ। ଖଣି ମାଲିକଙ୍କ ଠାରୁ ଉତ୍କୋଚ ନେଇ ଦାୟିତ୍ବରେ ଥିବା ଖଣି ଅଧିକାରୀ ନିମ୍ନବର୍ଗର ଲୁହାପଥରକୁ ଉନ୍ନତ ବର୍ଗର ଦର୍ଶାଇ ଦେଲେ। ଲୁହାପଥର ଜାହାଜରେ ଭର୍ତ୍ତି ହୋଇଗଲା। ଜାପାନ ଦେଶରୁ ଯେଉଁ କମ୍ପାନୀ ସେ ଲୁହାପଥର କ୍ରୟ କରୁଥିଲା, ତା’ର ମାନ ନିର୍ଣ୍ଣୟ ଅଧିକାରୀ ଏହାକୁ ପରୀକ୍ଷା କରି ସାର୍ଟିଫିକେଟ ଦେଲେ ଜାହାଜ ଯାତ୍ରା ଆରମ୍ଭ କରିବ। ମାତ୍ର ସେ ଅଧିକାରୀଙ୍କ ପରୀକ୍ଷଣରେ ଜଣାପଡ଼ିଲା ଲୁହାପଥର ନିମ୍ନ ମାନର। ଏହାକୁ ଉଚ୍ଚମାନ ଦର୍ଶାଇଥିବା ଆମ ଦେଶର ଖଣି ଅଧିକାରୀ, ଖଣି ମାଲିକଙ୍କୁ କହିଲେ ସେ ଜାପାନ ଅଧିକାରୀଙ୍କୁ କିଛି ଉତ୍କୋଚ ଦେଇ ଏହାକୁ ପାସ୍‌ କରାନ୍ତୁ ନଚେତ୍‌ ତାଙ୍କୁ ଅନଲୋଡ଼ିଂ କରି ଏଠାରେ ପକାଇ ରଖିବାକୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଖଣିମାଲିକ ମୋଟା ଆକାରର ଅର୍ଥନେଇ ଜାପାନ ଅଧିକାରୀ ରହୁଥିବା ହୋ‌େଟଲରେ ପହଞ୍ଚିଲେ। ଖଣି ମାଲିକଙ୍କଠାରୁ ତାଙ୍କ ଉଦ୍ଦେଶ୍ୟ ବୁଝିସାରିବା ପରେ ଜାପାନ ଅଧିକାରୀ ଜଣକ କହିଲେ ଆପଣଙ୍କଠାରୁ ଉତ୍କୋଚ ନେଇ ମୁଁ ଯଦି ମିଥ୍ୟା ସାର୍ଟିଫିକେଟ ଦିଏ ତେବେ ମୋ ରାଷ୍ଟ୍ର କ୍ଷତିଗ୍ରସ୍ତ ହେବ। ଏହି ନିମ୍ନମାନର ଲୁହାପଥରରୁ ପ୍ରସ୍ତୁତ ଷ୍ଟିଲ ଏବଂ ରଡ଼ ମୋ ଦେଶର କଳକାରଖାନା, କୋଠାବାଡ଼ି, ସେତୁ ଇତ୍ୟାଦି ଯେ କୌଣସିଥିରେ ମଧ୍ୟ ବ୍ୟବହାର ହୋଇପାରେ। ଏହା ଫଳରେ ସେମାନେ ବି ଦୁର୍ବଳ ଓ ନିମ୍ନମାନର ହେବେ। ସାମାନ୍ୟ ଅର୍ଥ ଲୋଭରେ ମୁଁ ମୋ ରାଷ୍ଟ୍ର ସହ ଏପରି ବିଶ୍ବାସଘାତକତା କରି ମୋ ଦାୟିତ୍ବକୁ ନିନ୍ଦିତ କରିପାରିବି ନାହିଁ।
ଜାପାନର ଶିକ୍ଷିତ ଲୋକଙ୍କ ପାଖରେ ଯେ କେବଳ ରାଷ୍ଟ୍ରପ୍ରୀତି ଓ ରାଷ୍ଟ୍ରଭକ୍ତି ଅଛି ସେ କଥା ନୁହଁ। ଜାପାନର ସାଧାରଣରୁ ସାଧାରଣ ନାଗରିକ ଏପରି କି ପିଲାଙ୍କ ପାଖରେ ରାଷ୍ଟ୍ରଭକ୍ତି ବି ପ୍ରବଳ। ଏ ସମ୍ପର୍କରେ ଏଠାରେ ଦୁଇଟି ଉଦାହରଣ ଦିଆଯାଇପାରେ। ଥରେ ଗୋଟିଏ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିଙ୍କ ଘରେ ପ୍ରବେଶ କଲା। ଅନ୍ଧାର ଭିତରେ ଉଣ୍ଡାଳି ମୂଲ୍ୟବାନ ଜିନିଷ ଚୋରି କରୁଥିବା ସମୟରେ ତା’ର ହାତ ପଡ଼ିଗଲା ଏକ ଟେପରେକର୍ଡର ଉପରେ। ଟେପ୍‌ରେକର୍ଡର ସୁଇଚ୍‌ଟି ଦବି ଯିବାରୁ ବାଜି ଉଠିଲା ଟେପରେକର୍ଡର। ଗୃହକର୍ତ୍ତା ସକାଳୁ ଉଠିଲେ ପ୍ରଥମେ ଯେହେତୁ ଜାତୀୟ ସଂଗୀତ ଶୁଣନ୍ତି, ସେହି କ୍ୟାସେଟ୍‌ ହିଁ ସେ ଭର୍ତ୍ତି କରିଥିଲେ ତା’ ଭିତରେ। ଜାତୀୟ ସଂଗୀତ ବାଜିବା କ୍ଷଣି ଚୋରଟି ଚୋରି କରିବା ଛାଡ଼ି ଦେଇ ସେହି ସ୍ଥାନରେ ସାବଧାନ ପୋଜିସନରେ ଠିଆ ହୋଇ ରହିଲା। ଟେପ୍‌ ବାଜିବା ଶବ୍ଦରେ ଗୃହକର୍ତ୍ତା ବି ଉଠି ପଡ଼ିଲେ। ଆଲୁଅ ଜଳାଇବାରୁ ଦେଖିଲେ ଚୋରଟି ସାବଧାନ ମୁଦ୍ରାରେ ଠିଆ ହୋଇ ରହିଛି। ସେ ତତ୍‌କ୍ଷଣାତ୍‌ ସାବଧାନ ମୁଦ୍ରାକୁ ଆସିଲେ। ଜାତୀୟ ସଂଗୀତ ସରିବା ପରେ ସେ ଚୋରକୁ ଧରିଲେ ଏବଂ ପୁଲିସକୁ ଦେଲେ। ଏ ସମ୍ପର୍କରେ ଅଦାଲତରେ ବିଚାର ହେବାବେଳେ ଚୋରଟି ଦେଇଥିବା ବୟାନ ଏଠାରେ ମୂଲ୍ୟବାନ। ବିଚାରପତି ଯେତେବେଳେ ପଚାରିଲେ ତୁମେ ଘର ମାଲିକ ଉଠିବା ପୂର୍ବରୁ ଦୌଡ଼ି ନ ପଳାଇ ଯାଇ ସେଠାରେ ଠିଆ ହୋଇ ରହିଲ କାହିଁକି? ଚୋରଟି କହିଲା ଭୁଲ୍‌ରେ ଟେପରେକର୍ଡର ଉପରେ ହାତ ବାଜିବା କ୍ଷଣି ଜାତୀୟ ସଂଗୀତ ଆରମ୍ଭ ହୋଇଗଲା। ମୁଁ ବଞ୍ଚିବା ପାଇଁ ଚୋରି କରୁଥିଲିି ସିନା, ହେଲେ ମୋ ଭିତରେ ତ ରାଷ୍ଟ୍ରପ୍ରୀତି ଓ ରାଷ୍ଟ୍ରଭକ୍ତି ରହିଛି ନା। ମୁଁ ଦୌଡ଼ି ନ ପଳାଇଲେ ପରିଣାମ କ’ଣ ହେବ ଚିନ୍ତା ନକରି ମୋ ରାଷ୍ଟ୍ରଗାନ ପ୍ରତି ସମ୍ମାନ ଜଣାଇ ଠିଆହୋଇ ରହିଲି।
ଜଣେ ପ୍ରବଚକ ପ୍ରବଚନ ଦେବାପାଇଁ ଜାପାନ ଯାଇଥିଲେ। ସେ ଯେହେତୁ ଭାରତୀୟ, ଭାରତୀୟ ସମୟାନୁବର୍ତ୍ତିତା ଓ ଆଦବ୍‌କାଇଦା ସହ ଅଭ୍ୟସ୍ତ। ପ୍ରବଚନ ଦେଇ ସାରି ହୋଟେଲ ଆସିବା ପରେ ହୋଟେଲ ବୟକୁ ଡାକି ତାଙ୍କୁ ଖାଦ୍ୟ ଦେବାପାଇଁ କହିଲେ। ହୋଟେଲ ବୟଟି ଭଦ୍ର ଭାବରେ ଜଣାଇଲା ରାତି ଆଠଟା ପରେ ଆଉ ରାତ୍ର ଭୋଜନ ଏଠାରେ ମିଳେ ନାହିଁ। ବାଧ୍ୟହୋଇ ପ୍ରବଚକ ଖାଡ଼ା ଉପବାସରେ ରାତିରେ ଶୋଇପଡ଼ିଲେ। ପରଦିନ ସକାଳୁ ତାଙ୍କର ଜାହାଜରେ ଅନ୍ୟ ଏକ ସ୍ଥାନକୁ ଯିବାର ଥିଲା। ସେ ସକାଳ ଛଅଟାରେ ପ୍ରସ୍ତୁତ ହୋଇ ସାରି ହୋଟେଲକୁ ପ୍ରାତଃ ଜଳଖିଆ ଯେତେବେଳେ ମଗାଇଲେ, ତାଙ୍କୁ କୁହାଗଲା ସକାଳ ଆଠଟାରେ ହିଁ ପ୍ରାତଃ ଜଳଖିଆ ମିଳିବ। ଯେହେତୁ ତାଙ୍କର ଜାହାଜ ସମୟ ହୋଇଯାଉଥିଲା, ସେ ଆଉ ଅପେକ୍ଷା ନ କରି ଜାହାଜ ଧରିବାକୁ ଗଲେ। ଟିକଟ କାଉଣ୍ଟରରେ ଯେତେବେଳେ ତାଙ୍କର ପାଳି ପଡ଼ିଲା ଟିକଟ କାଟିବା ପାଇଁ ଟିକଟ କାଟୁଥିବା ଲୋକଟି ତାଙ୍କୁ ପଚାରିଲା- ଶହେ ​‌େ​‌ୟନ ନା ଶହେ ପଚାଶ ​‌େ​‌ୟନର ଟିକଟ? ପ୍ରବଚକ ଜଣକ ପଚାରିଲେ- ଟିକଟ ଦାମ ଅନୁସାରେ ସିଟ୍‌ର କିଛି ଫରକ ଅଛି କି? ନା, କୌଣସି ଫରକ ନାହିଁ। ତେବେ ମୋତେ ଶହେ ୟେନ୍‌ର ଟିକଟ ଦିଅନ୍ତୁ। ଟିକଟ ଧରି ଜାହାଜରେ ବସିଗଲେ। ଆଠଟା ବାଜିବାକ୍ଷଣି ସେଠାରେ ଜଳଖିଆ ପରଷା ଗଲା। ପ୍ରବଚକଙ୍କର ଆଗ, ପଛ ଓ ପାର୍ଶ୍ବରେ ବସିଥିବା ଯାତ୍ରୀମାନଙ୍କୁ ଜଳଖିଆ ଦିଆଗଲା, ଅଥଚ ତାଙ୍କୁ ମିଳିଲା ନାହିଁ। ରାତ୍ରିରୁ ଉପବାସରେ ଥିବା ପ୍ରବଚକ କ୍ଷୁଧାରେ କ୍ରୋଧିତ ହୋଇ ପଚାରିଲେ ତାଙ୍କୁ କାହିଁକି ଜଳଖିଆ ମିଳୁନି ବୋଲି। ଜଣେ କିଏ ତାଙ୍କର ଟିକଟ ଦେଖି ବୁଝାଇ ଦେଲା ଯେ ସେ ଜଳଖିଆ ପାଇଁ ଟିକଟ୍‌ରେ ମୂଲ୍ୟ ଦେଇ ନାହାନ୍ତି। ଆରେ ମୋତେ ଏ ବିଷୟରେ କିଛି ନକହି ଟିକଟ ଦେବାବାଲା କେବଳ ଦୁଇ ପ୍ରକାର ରେଟ୍‌ ଓ ସିଟ୍‌ର କୌଣସି ଫରକ ନାହିଁ କହିଥିଲା। କ୍ଷୁଧାଜନିତ କ୍ରୋଧରେ ତାଙ୍କ ପାଟିରୁ ଦୁଇଥର ବାହାରି ପଡ଼ିଲା କି ବିଚିତ୍ର ଦେଶ ଇଏ। ତାଙ୍କ ପଛରେ ବସିଥିବା ଅବୋଧ ବାଳକଟିଏ ତା’ ଟିଫିନ ପ୍ରବଚକଙ୍କୁ ଦେଇ କହିଲା- ନିଅନ୍ତୁ ଖାଆନ୍ତୁ। ପ୍ରବଚକ ମନା କଲାରୁ ସାମାନ୍ୟ ଚଢ଼ା ଗଳାରେ ବାଳକଟି କହିଲା- କହିଲି ପରା ନିଅନ୍ତୁ, ଖାଆନ୍ତୁ। ଗତକାଲି ରାତିଠାରୁ ଖାଇ ନଥିବା ପ୍ରବଚକଙ୍କୁ ଖୁବ୍‌ ଭୋକ ଲାଗୁଥିବାରୁ ସେ ଆଉ ମନା ନକରି ଟିଫିନ ଗ୍ରହଣ କରି ଖାଇଲେ। ଖାଇସାରିବା ପରେ କ୍ଷୁଧା ସହ କ୍ରୋଧ ଶାନ୍ତ ହୋବାରୁ ବାଳକଟିକୁ ପଚାରିଲେ- ତୁମେ ତୁମ ଜଳଖିଆ ମୋତେ କାହିଁକି ଦେଲ? ବାଳକଟି ଏଥର ଉତ୍ତର ଦେଲା- ଆପଣ ମୋ ଦେଶର ନାଆଁ ଧରି ଦୁଇଥର ଗାଳି କଲେ ବଡ଼ ବିଚିତ୍ର ଦେଶ ବୋଲି। ମୁଁ କ୍ଷୁଧାକୁ ସମ୍ଭାଳି ପାରିବି, ମାତ୍ର ମୋ ଦେଶକୁ କିଏ ଗାଳିଦେଲେ ସମ୍ଭାଳି ପାରିବିନି। ସେଥିପାଇଁ ମୋ ଜଳଖିଆ ଆପଣଙ୍କୁ ଦେଇଦେଲି।
ଏହି ତିନିଗୋଟି ବର୍ଗର ଜନସାଧାରଣଙ୍କ ମଧ୍ୟରେ ଯେଉଁ ରାଷ୍ଟ୍ରପ୍ରୀତି ଓ ରାଷ୍ଟ୍ରଭକ୍ତି ଦେଖିବାକୁ ମିଳିଲା ତାହା ଆମ ଦେଶର ଜନସାଧାରଣଙ୍କ ଭିତରେ ଅଛି କି? ଭାରତୀୟଙ୍କର ରାଷ୍ଟ୍ରଭକ୍ତି କେବଳ ଯୁଦ୍ଧ ସମୟ ଭିତରେ ସୀମିତ। ଯୁଦ୍ଧ ସମୟରେ ଭାରତୀୟମାନେ ରାଷ୍ଟ୍ରପ୍ରୀତି ସହ ସୈନିକଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରନ୍ତି ଏବଂ ଯୁଦ୍ଧ ସରିବା ସହ ସରିଯାଏ ରାଷ୍ଟ୍ରଭକ୍ତି। ଭାରତୀୟଙ୍କ ଭିତରେ ବି ବିରଳ ରାଜନେତାମାନେ ଅଛନ୍ତି ସେମାନେ ରାଜନୀତିକୁ ରାଷ୍ଟ୍ରବାଦ ଉପରେ ବି ବିବେଚନା କରନ୍ତି। ସେମାନେ ସେନାକୁ ବି ଜାତି, ଧର୍ମ, ବର୍ଣ୍ଣରେ ବିଭାଜନ କରିବାକୁ ପଛାନ୍ତି ନାହିଁ। ସେମାନଙ୍କ ରାଜନୈତିକ ମହଦାକାଂକ୍ଷା ପାଖରେ ରାଷ୍ଟ୍ରବାଦ ଓ ରାଷ୍ଟ୍ରପ୍ରୀତି ଧୂମିଳ ହୋଇଯାଏ, ସେ ଯୁଦ୍ଧର ସମୟ ହେଉ ଅବା ଶାନ୍ତିର ସମୟ।

Comments are closed.