ସମ୍ବଲପୁର ଓ ସୋନପୁର ଜିଲାରେ ‘ଅହିଂସା ରଥ’; ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ୱାଧୀନତାର ସଂଦେଶ ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ରାଜ୍ୟବାସୀଙ୍କୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’ ଆଜି ସମ୍ବଲପୁର ଓ ସୋନପୁର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି ।
ଆଜି ସୁବର୍ଣ୍ଣପୁର ଜିଲାରେ ଅହିଂସା ରଥକୁ ଜିଲା ପରିଷଦ ଅଧ୍ୟକ୍ଷା ସୁପରା ଥେଲା, ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଅଁର, ମୁନିସିପାଲିଟିର ଅଧ୍ୟକ୍ଷ ତାମସି ତମସ୍ମିତା ନାଏକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହ୍ଲାଦ ନାୟକ, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ, ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭ୍ୟବୃନ୍ଦ, ସମସ୍ତ କାଉନ୍‌ସିଲର, ମହିଳା ସ୍ୱୟଂ ସେବକ ଗୋଷ୍ଠୀର ସଦସ୍ୟା, ବରିଷ୍ଠ ନାଗରିକ ମଞ୍ଚ, ଏନ୍‌ସିସି, ଗାଇଡ୍‌, ଏନ୍‌ଏସ୍‌ଏସ୍‌, ଜିଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସୋନପୁର ନୂତନ ଟାଉନ୍‌ ହଲ୍‌ଠାରେ ଏକ ଉତ୍ସବ ସହ ସଭା ଅନୁଷ୍ଠିତ ହୋଇଥିଲା। ପରେ ପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ସେହିପରି ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକ୍‌ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ୍‌ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ସରପଞ୍ଚ ଶ୍ରୀୟା କାରମୀ, ବିଡ଼ିଓ ମୋତିଲାଲ ସୁଲିଆ, ପାଣ୍ଡିଆପଲି ଗ୍ରାମର ଶହୀଦ ବିଭୀଷଣ ସାହୁଙ୍କ ପିତାମାତା ଉପସ୍ଥିତ ଥିଲେ। ସୋନପୁର ବ୍ଲକ୍‌ଠାରେ ହସ୍ତତନ୍ତ ଏବଂ ସ୍ୱାଧୀନତା ସଂଗ୍ରାମୀ ଗ୍ରାମ ସାଗରପଲ୍ଲୀଠାରେ ମଧ୍ୟ ସାଂସ୍କୃତିକ ତଥା ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅହିଂସା ରଥ ପରୀକ୍ରମାର ଚତୁର୍ଥ ତଥା ଅନ୍ତିମ ଦିନରେ ଆଜି ସମ୍ବଲପୁର ସହରର ହୀରାକୁଦ, ବୁର୍ଲା ପରିକ୍ରମା କରିଛି। ବୀର ସୁରେନ୍ଦ୍ର ସାଏ ବୈଷୟିକ ପ୍ରତିଷ୍ଠାନ, ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମେତ ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିଠାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ରଥ ଆଜି ବୁଢାରଜା ହିଲ ଟପ, ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରା ବାସ ଭବନ, ନେଲସନ ମଣ୍ଡେଲା ଛକ, ଜେଲ ଛକ, କମିଶନର କଲୋନୀ, ମହାତ୍ମା ଗାନ୍ଧୀ ମନ୍ଦିର ନେତାଜୀ ସୁଭାଷ ବୋଷ କଲେଜ, ଭୁତାପଡା, ଜିଲ୍ଲା ସ୍କୁଲ, ସେନ ପାର୍କ, ଗୋଲ ବଜାର, ମୁନିସିପାଲିଟି ଛକ, ମୋଦୀପଡା, ବାଲିବନ୍ଧା, ଦୁର୍ଗାପାଲି ହୀରାକୁଦର ସନ୍ତୋଷୀ ମା’ ଛକ ଏବଂ ଜବାହାର ଉଦ୍ୟାନ ପରିକ୍ରମା କରିଛି। ୧୯୨୮ ମସିହାରେ ଗାନ୍ଧୀ ସମ୍ବଲପୁର ଆଗମନ କରିଥିବା ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ପରିବାର ବର୍ଗଙ୍କୁୁ ସମ୍ମାନିତ କରାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ, ଡେପୁଟି କମିଶନର ଏନେ୍‌ଫୋର୍ସମେଣ୍ଟ ଅଫିସର ଶୁଭଙ୍କର ମହାନ୍ତି, ଜିଲା ପଂଚାୟତ ଅଧିକାରୀ ଗଜେନ୍ଦ୍ର ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗ ଉତ୍ତରାଞ୍ଚଳ ଉପ-ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀଙ୍କ ସମେତ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ।
ଅହିଂସା ରଥ ଆଜି ଉଭୟ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଅହିଂସା ରଥ ଦ୍ୱାରା ପ୍ରସାରିତ ଭିଡ଼ିଓ ବାର୍ତ୍ତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଅନୁପ୍ରାଣିତ କରୁଛି।

Comments are closed.