ଶିକ୍ଷାଜ୍ୟୋତି ସମ୍ମାନରୁ ବଞ୍ଚିତ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଆଠଗଡ : ଆଠଗଡରେ ଶୁକ୍ରବାର ଫୋରମ ଅଫ୍ ଏକାଡେମିକ୍ସ ପକ୍ଷରୁ ଆୟୋଜିତ ଶିକ୍ଷାଜ୍ୟୋତି ସମ୍ମାନରୁ ବଞ୍ଚିତ ହୋଇଥିବା ତିଗିରିଆସ୍ଥିତ ପି.ପି ଦେବ କଲେଜର ଛାତ୍ରୀଙ୍କୁ ଶନିବାର ଯୁବସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି । ତିଗିରିଆର ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ସର୍ବୋଚ୍ଚ ୫୨୮ନମ୍ବର ରଖି କଲେଜରେ ଟପ୍ପର ହୋଇଥିବା ସୋମପଡା ପଞ୍ଚାୟତର ଅର୍ଜୁନ ସାହୁଙ୍କ ଝିଅ ସୁଭଦ୍ରା ସାହୁଙ୍କୁ ଗତକାଲି ଅନୁଷ୍ଠିତ ଶିକ୍ଷାଜ୍ୟୋତି ସମ୍ମାନ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ତାଙ୍କୁ ମିଳିବାକୁ ଥିବା ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇପାରିନଥିଲା। ଫଳରେ ସଂପୃକ୍ତ ଛାତ୍ରୀ ଦୁଃଖରେ ଭାଙ୍ଗି ପଡିଥିଲେ। ତେବେ ଏ କଥା ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଶନିବାର ଯୁବସଂଗଠକ ଶ୍ରୀ ବାରିକ ସୁଭଦ୍ରାଙ୍କୁ ଡକାଇ ତାଙ୍କ ରଥଗଡାସ୍ଥିତ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ପୁରସ୍କାର ଆକାରରେ ଏକ ୫ଜି ମୋବାଇଲ ଫୋନ ପ୍ରଦାନ କରିଥିଲେ। ଶିକ୍ଷାଜ୍ୟୋତି ସମ୍ମାନ ଆକାରରେ ତାଙ୍କୁ ଆସନ୍ତା ୫ଦିନ ମଧ୍ୟରେ ଫୋରମ ଅଫ ଏକାଡେମିକ୍ସ ପକ୍ଷରୁ ଯଦି ଲ୍ୟାପଟପ୍ ନଦିଆଯାଏ ତେବେ ଶ୍ରୀ ବାରିକ ତାଙ୍କୁ ଲ୍ୟାପଟପ୍ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଏ ସଂପର୍କରେ ଫୋରମ ଅଫ ଏକାଡେମିକ୍ସର ମୁଖ୍ୟ ସଂଯୋଜକ ଅଧ୍ୟାପକ ଡଃ ରାମଚନ୍ଦ୍ର ସାହୁଙ୍କୁ ତାଙ୍କ ପ୍ରତିକ୍ରିୟା ପଚାରିବାରେ ସୁଭଦ୍ରାଙ୍କର ପ୍ରମାଣପତ୍ର ଓ ଟ୍ରଫିରେ ଭୁଲବଶତଃ ଅନ୍ୟଜଣଙ୍କ ନାମ ଛପା ହୋଇଥିବାରୁ ତାଙ୍କୁ ତାହା ମଞ୍ଚ ଉପରେ ଦିଆଯାଇପାରିନଥିଲା। ତେବେ ତାଙ୍କ ଟ୍ରଫି ଓ ପ୍ରମାଣପତ୍ର ଖୁବ୍ଶୀଘ୍ର ତାଙ୍କ କଲେଜ ମାଧ୍ୟମରେ ତାଙ୍କୁ ପ୍ରଦାନ କରାଯିବ ବୋଲି ମଞ୍ଚ ଉପରେ ଘୋଷଣା କରାଯାଇଥିଲା। ତା ଛଡା ଡଃ ସାହୁ ଲ୍ୟାପଟପ ପ୍ରଦାନ ବାବଦରେ ନିଜର ସ୍ପଷ୍ଟିକରଣ ଦେଇ କଲେଜର +୨ ଓ +୩ ପରୀକ୍ଷାରେ କଲେଜସ୍ତରରେ ନୁହେଁ ବରଂ ନିର୍ବାଚନ ମଣ୍ଡଳୀସ୍ତରରେ ସବୋର୍ଚ୍ଚ ନମ୍ବର ରଖିଥିବା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଧାମୂଳକ ଶିକ୍ଷାରେ +୨ର ୪ଜଣ ଓ +୩ର ୩ଜଣଙ୍କୁ ଲ୍ୟାପଟପ୍ ପ୍ରଦାନ କରାଯାଇଥିବାବେଳେ ଅନ୍ୟମାନଙ୍କୁ କେବଳ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି।
Comments are closed.