ଭୁବନେଶ୍ୱର: ଭାରତୀୟ ସେନା ପାଇଁ ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଫେବୃଆରୀ ୧୬ରୁ ଆରମ୍ଭ ହୋଇଥିବା ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ www.joinindianarmy.nic.in େୱବ୍ସାଇଟ୍ରେ ଆବେଦନ କରିପାରିବେ। ପ୍ରଥମେ ଆଶାୟୀଙ୍କୁ କମ୍ପ୍ୟୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କୁ ଅନ୍ଲାଇନ୍ରେ ୨୫୦ ଟଙ୍କା ଫି ଦେବାକୁ ପଡ଼ିବ। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ୨୦୨୩ ଅପ୍ରେଲ ୧୭ରୁ ମଇ ୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ। ସୂଚନା ଯୋଗ୍ୟ ଯେ ଅଗ୍ନିବୀର ପ୍ରଥମ ବ୍ୟାଚ୍ ୨୦୨୩ ଜାନୁଆରୀ ପହିଲାରୁ ବିଭିନ୍ନ ସେନା ତାଲିମ କେନ୍ଦ୍ରରେ ତାଲିମରତ ଅଛନ୍ତି। ଦ୍ୱିତୀୟ ବ୍ୟାଚ୍ ତାଲିମ ମାର୍ଚ୍ଚ ୧ ରୁ ଆରମ୍ଭ ହେବ। ଓଡ଼ିଶାର ଅନୁଗୋଳ, ବରଗଡ଼, ବଲାଙ୍ଗୀର, ଦେଓଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ବଲପୁର ଆଦି ଜିଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ସେବା ନିଯୁକ୍ତି କାର୍ଯ୍ୟାଳୟ, ସମ୍ବଲପୁର ସହିତ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି।
Popular Categories



