‘ଅଗ୍ନିପଥ’ ନିଆଁ ଅଣାୟତ୍ତ : ବିଭିନ୍ନ ସ୍ଥାନରେ ୧୨ ଟ୍ରେନ୍ ପୋଡ଼ି
ଦେଶର ଅଧା ରାଜ୍ୟକୁ ବ୍ୟାପିଲାଣି, ସିକନ୍ଦରାବାଦ ଓ ଲଖିସରାଇରେ ୨ମୃତ, ସରକାରଙ୍କ ବୁଝାଇବା ଉଦ୍ୟମ କାଟୁ କରୁନି
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବୁଧବାରଠାରୁ ଆରମ୍ଭ ହୋଇଥିବା ହିଂସାତ୍ମକ ବିକ୍ଷୋଭ ଥମିବା ପରିବର୍ତ୍ତେ ବ୍ୟାପିବାରେ ଲାଗିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଏବେ ଦେଶର ଅଧା ରାଜ୍ୟକୁ ବ୍ୟାପିଗଲାଣି। ଗୁରୁବାର ବିହାରରେ ବିକ୍ଷୋଭକାରୀ ଗୋଟିଏ ଟ୍ରେନ୍ ପୋଡ଼ିଥିବାବେଳେ ଶୁକ୍ରବାର ବିହାର, ଉତ୍ତର ପ୍ରେଦଶ ଓ ତେଲଙ୍ଗାନା ଆଦି ରାଜ୍ୟରେ ମୋଟ ୧୨ଟି ଟ୍ରେନ୍ରେ ନିଆଁ ଲଗାଇ ଦିଆଯାଇଛି। ପୁଲିସ ସହ ସଂଘର୍ଷରେ ତେଲଙ୍ଗାନାର ସିକନ୍ଦରାବାଦ ଠାରେ ଜେଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ବିହାରର ଲଖିସରାଇଠାରେ ଟ୍ରେନ୍ ନିଆଁରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଯାତ୍ରୀଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପୁଲିସ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ବାତିଲ କରାଯାଇଛି। ହିଂସାକାଣ୍ଡ ରେକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ସାମାଜିକ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଅଗ୍ନିପଥ ଯୋଜନା ସମ୍ପର୍କରେ ବହୁ ଅପପ୍ରଚାର କରାଯାଉଥିବା କେନ୍ଦ୍ର ସରକାର ଦର୍ଶାଇଛନ୍ତି। ରେଳ ମନ୍ତ୍ରଣାଳୟ ସୂଚନାନୁଯାୟୀ, ହିଂସାକାଣ୍ଡ ଯୋଗୁଁ ବିକ୍ଷୋଭକାରୀଙ୍କ ଦ୍ବାରା ପ୍ରାୟ ୩୧୬ ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଛି। ୨୧୪ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବାବେଳେ ୧୧ଟିକୁ ଭିନ୍ନ ରାସ୍ତାରେ ନିଆଯାଇଛି। ରେଳଧାରଣା ଅବରୋଧ ଯୋଗୁଁ ପ୍ରାୟ ୯୦ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରି ନ ଥିବା ଜଣାପଡ଼ିଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିକ୍ଷୋଭକାରୀଙ୍କୁ ହିଂସା ପରିହାର ସହ ଜାତୀୟ ସମ୍ପତ୍ତି ନଷ୍ଟ ନ କରିବାକୁ ନିବେଦନ କରିଛନ୍ତି।
ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରାଖଣ୍ଡ, ଓଡ଼ିଶା ଆଦି ରାଜ୍ୟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବିହାରର ବିଭିନ୍ନ ସ୍ଥାନରେ ତିନିଟି ଟ୍ରେନ୍ ପୋଡ଼ି ଦିଆଯାଇଛି। ଏଥିମଧ୍ୟରେ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍, ରାଜକୋଟ ଏକ୍ସପ୍ରେସ୍ ଓ ଅଜନ୍ତା ଏକ୍ସପ୍ରେସ୍ ଅନ୍ତର୍ଭୁକ୍ତ। ବିହାରର ସମସ୍ତିପୁରଠାରେ ଜାମ୍ମୁ ତାୱି ଏକ୍ସପ୍ରେସ୍କୁ ପୋଡ଼ି ଦିଆଯାଇଛି। ସେହିପରି ଇ୍ଲାମପୁର-ହାଟିଆ ଟ୍ରେନ୍କୁ ନାଳନ୍ଦା ନିକଟରେ ପୋଡ଼ାଯାଇଛି। କୁହ୍ଲାଡ଼ିଆ, ସମସ୍ତିପୁର, ବକ୍ସର, ବେଗୁସରାଇ ଆଦି ରେଳ ଷ୍ଟେସନ୍ରେ ବିକ୍ଷୋଭକାରୀ ପ୍ରବଳ ଭଙ୍ଗାରୁଜା କରିବା ସହ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି। ଆସନ୍ତା କାଲି, ଶନିବାର ବିହାର ବନ୍ଦ ପାଇଁ ଡାକରା ଦିଆଯିବା ସହ ୭୨ ଘଣ୍ଟା ମଧ୍ୟରେ ଯୋଜନା ପ୍ରତ୍ୟାହାର ପାଇଁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି। ଆରଜେଡି ଏହି ବନ୍ଦ ଡାକରା ଦେଇଛି। ବିହାର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ପଶ୍ଚିମ ଚମ୍ପାରଣ ଜିଲା ଅନ୍ତର୍ଗତ ବେଟିଆସ୍ଥିତ ବାସଭବନକୁ ଉଗ୍ର ବିକ୍ଷୋଭକାରୀ ଭାଙ୍ଗି ଦେଇଛନ୍ତି। ସେହିପରି ରାଜ୍ୟ ବିଜେପି ସଭାପତି ତଥା ସାଂସଦ ସଞ୍ଜୟ ଜୟସ୍ବାଲଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ମାଧେପୁରଠାରେ ଦୁଇଟି ବିଜେପି କାର୍ଯ୍ୟାଳୟ ପୋଡ଼ି ଦିଆଯାଇଛି। ଉତ୍ତର ପ୍ରଦେଶର ବାଲିଆଠାରେ ଏକ ଟ୍ରେନ୍ରେ ନିଆଁ ଲଗାଇ ଦିଆଯାଇଛି। ବାରାଣସୀ, ଆମେଥି, ଫିରୋଜାବାଦରେ ସରକାରୀ ବସ୍ ଓ ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ କରାଯାଇଛି। ଅଲିଗଡ଼ଠାରେ ଜଣେ ବିଜେପି ନେତାଙ୍କ ଗାଡ଼ି ଓ ଯମୁନା ଏକ୍ସପ୍ରେସ୍ ଟ୍ରେନ୍କୁ ପୋଡ଼ି ଦିଆଯାଇଛି। ଆଗ୍ରାରେ କେତେକ ବସ୍ ଭଙ୍ଗାରୁଜା ହୋଇଛି। ହରିୟାଣାର ପଲାୱାଲାଠାରେ ବିକ୍ଷୋଭକାରୀଙ୍କ ସହ ସଂଘର୍ଷରେ ୧୫ ପୁଲିସ କର୍ମଚାରୀ ଆହତ ହୋଇଥିବାବେଳେ ୫ଟି ସରକାରୀ ଗାଡ଼ିକୁ ପୋଡ଼ି ଦିଆଯାଇଛି। ଗୁଡ଼ଗାଓଁେର ୧୪୪ ଧାରା ଜାରି କରାଯାଇଛି। ହାଇଦରାବାଦରୁ ବାହାରୁଥିବା ୭୧ଟି ଟ୍ରେନ୍କୁ ବାତିଲ କରାଯାଇଛି।
ହିଂସାକାଣ୍ଡ ନିୟନ୍ତ୍ରଣ ସହ ଯୋଜନାର ଉପାଦେୟତା ବୁଝାଇବା ପାଇଁ ସରକାରୀସ୍ତରରେ ପ୍ରୟାସ ଜାରି ରହିଛି। ଆସାମ ପରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ସରକାର ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ରାଜ୍ୟ ପୁଲିସରେ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବା ସହ ଅନ୍ୟ ଚାକରି ତଥା ଆତ୍ମନିଯୁକ୍ତି ପାଇଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ର ସରକାର ଅଗ୍ନିବୀରଙ୍କ ନିଯୁକ୍ତି ସଂକ୍ରାନ୍ତ ସର୍ବୋଚ୍ଚ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ହିଂସା ପରିତ୍ୟାଗ ପାଇଁ ନିବେଦନ କରିଛନ୍ତି। ନୂଆ ଅଗ୍ନିପଥ ଯୋଜନା ଯୁବକଙ୍କ ପାଇଁ ଲାଭଦାୟକ ହେବ ବୋଲି ଶାହା କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କିଛି ଯୁବକଙ୍କୁ ଭେଟି ବାସ୍ତବତା ବୁଝାଇଛନ୍ତି। ଖୁବ୍ ଶୀଘ୍ର ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ଏବଂ ଦୁଇ ଦିନ ମଧ୍ୟରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଡିସେମ୍ବର ସୁଦ୍ଧା ସେମାନଙ୍କ ପ୍ରଥମ ଦଫା ତାଲିମ ଶେଷ ହେବ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି।
ଜୁନ୍ ୨୪ ତାରିଖରୁ ‘ଅଗ୍ନିପଥ’ ଯୋଜନା ମାଧ୍ୟମରେ ‘ଅଗ୍ନିବୀର’ମାନଙ୍କୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ବଢ଼ାଇ ଦିଆଯାଇଛି। ଏହା ଯୁବପିଢ଼ିଙ୍କୁ ଫାଇଦା ଦେବ।
ଅପରପକ୍ଷରେ ବିରୋଧୀ ଦଳ ନେତାମାନେ ସରକାରଙ୍କୁ ସମାଲୋଚନା କରିବା ସହ ଯୋଜନାର ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ରାହୁଲ ଗାନ୍ଧୀ ଓ ଅଖିଳେଶ ସିଂହ ଯାଦବଙ୍କ ଭଳି ନେତା କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଯୁବବର୍ଗଙ୍କ ଅଗ୍ନିପରୀକ୍ଷା ନ ନେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ଯୋଜନା ଦେଶର ଭବିଷ୍ୟତ ପ୍ରତି ଘାତକ ବୋଲି ସେମାନେ କହିଛନ୍ତି। ବିଜେପି ସାଂସଦ ବରୁଣ ଗାନ୍ଧୀ ବିକ୍ଷୋଭକାରୀଙ୍କୁ ହିଂସା ଛାଡ଼ିବା ପାଇଁ ନିବେଦନ କରିଥିବାବେଳେ କଂଗ୍ରେସ ନେତା ମନୀଷ ତିୱାରୀ ଯୋଜନାକୁ ପରୋକ୍ଷ ସମର୍ଥନ ଜଣାଇଛନ୍ତି। ବିକ୍ଷୋଭକାରୀ ଗୁଣ୍ଡାଗିରି ଚଳାଇଛନ୍ତି। ସେଥିପାଇଁ ସେମାନେ ସେନାରେ ନିଯୁକ୍ତି ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ପୂର୍ବତନ ସେନାଧ୍ୟକ୍ଷ ଭି.କେ ମଲ୍ଲିକ। ବିରୋଧୀ ଦଳଗୁଡ଼ିକ ଏହି ଯୋଜନା ସମ୍ପର୍କରେ ବିଭ୍ରାନ୍ତି ସୃଷ୍ଟି କରୁଥିବା କହିଛନ୍ତି ପୂର୍ବତନ ସେନାଧ୍ୟକ୍ଷ ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଭି.କେ ସିଂହ।
Comments are closed.