ମାଟିତଳୁ ମିଳିଲା କୁଢ଼ କୁଢ଼ ଆଧାର କାର୍ଡ, ସରକାରୀ ସୁବିଧାରୁ ବଞ୍ଚିତ ଅନେକ ହିତାଧିକାରୀ

ଚାନ୍ଦିପୁଟ/ମୋହନା: ସ୍ଥାନୀୟ ଲୋକଙ୍କ ନାମରେ ଆସିଥିବା ଆଧାରକାର୍ଡ ଲୋକଙ୍କୁ ନ ଦେଇ ମାଟି ତଳେ ପୋତି ନଷ୍ଟ କରିଦେଲେ ପୋଷ୍ଟ ମାଷ୍ଟର। ଏଭଳି ଘଟଣା ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ ଅଧିନ ଡରାବ ଗାଁରେ। ଗାଁରେ ଥିବା ପୋଷ୍ଟ ଅଫିସ ଉପରେ ଡରାଵ ଗାଁ ସମେତ ଆଖପାଖ ୬ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ ଥିବା ବେଳେ ଗ୍ରାମବାସୀ ନିଜ ଆଧାର କାର୍ଡ ପାଇଁ ମୋହନା ଯାଇ ଜନସେବା କେନ୍ଦ୍ରରେ ଚ଼ଢ଼ା ଦରରେ ଅର୍ଥ ଦେଇ ଆବେଦନ କରିଥିଲେ। ହେଲେ ସେମାନଙ୍କ ଆଧାର କାର୍ଡ ପୋଷ୍ଟ ଅଫିସ ଜରିଆରେ ଆସିବା ପରେ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ପର୍ଶୁଧର ରଣ ସିଂ ସେହି ସବୁ ଆଧାର କାର୍ଡ ଲୋକଙ୍କୁ ନ ଦେଇ ମାଟିରେ ପୋତି ଦେଇଥିବା ସହ ବହୁ ଜଣଙ୍କ ଆଧାର କାର୍ଡ ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ। ଗାଁର ଜଣେ ବ୍ୟକ୍ତି ଏହା ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲା। ଗ୍ରାମବାସୀ ଆସି ମାଟି ଖୋଳି ଶହ ଶହ ଆଧାର କାର୍ଡ ଠାବ କରିଛନ୍ତି। ବର୍ଷ ବର୍ଷ ଧରି ଲୋକଙ୍କ ନାମରେ ଆସୁଥିବା ଆଧାର କାର୍ଡ ସମ୍ପୃକ୍ତ ପୋଷ୍ଟ ଅଫିସ ଲୋକଙ୍କୁ ନ ଦେଇ ଏଭଳି ନଷ୍ଟ କରିଦେଇଥିବା ବେଳେ ଗାଁର ବହୁ ହିତାଧିକାରୀଙ୍କ ଅଧାର କାର୍ଡ ନ ଥିବାରୁ ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି।

ଡାକଘର ଠାରୁ ଅତି ନିକଟରେ ଅବସ୍ଥିତ ଏକ ପରିତ୍ୟକ୍ତ କୋଠା ଘର ପାଖରୁ ମାଟି ତଳେ ପୋତା ହୋଇଥିବା ହଜାର ହଜାର ଆଧାର କାର୍ଡକୁ ଉଦ୍ଧାର କରୁଛନ୍ତି ଅଞ୍ଚଳବାସୀ। ଏହି ଖବର ପ୍ରକଟ ହେବା ପରେ ନିଜ ନିଜ ପରିଚୟ ପତ୍ର ପାଇବା ପାଇଁ ମାଟି କାଦୁଅରେ ଖୋଜା ଆଧାର କାର୍ଡ ପାଇ ଲୋକେ ପଡାଉଠା ହେଉଛନ୍ତି। ମିଳୁଥିବା ଆଧାରକାର୍ଡରେ ଅଧିକାଂଶ ଚନ୍ଦ୍ରଗିରି, ଜିରାଙ୍ଗ, ଆଦି ଅଞ୍ଚଳର ଠିକଣା ରହିଥିବା ଦେଖିବାକୁ ମିଳିଛି। ଉଦ୍ଧାର ହୋଇଥିବା ହଜାର ହଜାର ଆଧାର କାର୍ଡକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗରୀବ ନିରିହ ଅଞ୍ଚଳବାସୀ। ତେବେ ପଞ୍ଜିକରଣ ପରେ ଆଧାର କାର୍ଡ ଡେରବା ଡାକଘରକୁ ଆସୁଥିଲେ ମଧ୍ୟ ଜାଣିଶୁଣି କାର୍ଯ୍ୟରତ ଡାକ ସବ ପୋଷ୍ଟ ମାଷ୍ଟର ପର୍ଶୁଧର ରଣସିଂ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏତେ ସଂଖ୍ୟକ ଆଧାର କାର୍ଡକୁ ସାଧାରଣ ଲୋକଙ୍କୁ ବାଣ୍ଟିବା ବଦଳରେ କିଭଳି ମାଟିତଳେ ପୋତାଯାଇଥିବା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ସମୃକ୍ତ ସବ ପୋଷ୍ଟ ମାଷ୍ଟର ପର୍ଶୁଧର ରଣସିଂଙ୍କୁ ପଚାରିବାରେ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସେ କିଛି ଜାଣିନଥିବା ସଫେଇ ଦେଇଛନ୍ତି। ଅପରପକ୍ଷରେ ଆମେ ଏ ନେଇ ବିଭାଗୀୟ ଡାକ ନିରିକ୍ଷକ ରବିନ କୁମାର ପାଣିଗ୍ରାହୀଙ୍କ ମତାମତ ନେବାରେ ଏବାବଦରେ କୈଣସି ଅଭିଯୋଗ ଆସିନି, ଯଦି ଘଟଣା ସତ୍ୟ ହୋଇଥାଏ ତାହାହେଲେ ତଦନ୍ତ ସହ ଦୋଷୀ ବିରୁଦ୍ଧରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫୋନ ଯୋଗେ କହିଛନ୍ତି।

Comments are closed.